ଭୁବନେଶ୍ୱର ୨୮/୦୬/୨୦୨୫(ଓଡ଼ିଶା ସମାଚାର)- ରାଜଧାନୀର ୩ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି ଭରତପୁର ଥାନା ପୁଲିସ । ପଣ୍ଡାକୁଦିଆ ବସ୍ତି ଅଞ୍ଚଳରୁ ୩ ଆନ୍ତଃରାଜ୍ୟ ଡକାୟତଙ୍କୁ କାବୁ କରିଛି ଭରତପୁର ଥାନା ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଭିତରଗଡ଼ର ଦୀପ୍ତିରଞ୍ଜନ ଜେନା ଓରଫ୍ ଦିପୁ (୨୦), ପଶ୍ଚିମବେଡ଼ାର ପ୍ରବୀର କୁମାର ସ୍ୱାଇଁ ଓରଫ୍ ସିପୁ (୨୮) ଓ ନିଆଳି ଥାନା କପସି ଗାଁର ଆଶିଷ ରଞ୍ଜନ ଦାସ (୨୨) । ସେମାନଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି । ତେବେ ଦୁଇ ଅପରାଧୀ ଧର୍ମେନ୍ଦ୍ର ରାଉତ ଓରଫ୍ ବିକ୍ରମ ଓ ହରି ଓରଫ୍ ହରେକୃଷ୍ଣ ସ୍ୱାଇଁ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଛନ୍ତି ।
ପୁଲିସ ସୂଚନା ମୁତାବକ, ବୁଧବାର ଅପରାହ୍ଣରେ ଦିପୁ, ସିପୁ, ଆଶିଷ, ବିକ୍ରମ ଓ ହରି ଏକ ବୋଲେରୋରେ ମାରଣାସ୍ତ୍ର ଧରି ଭରତପୁର ଥାନା ଅଂଚଳରେ ବୁଲୁଥିଲେ । ପରବର୍ତୀ ସମୟରେ ସେମାନେ ପଣ୍ଡାକୁଦିଆ ବସ୍ତି ଅଂଚଳରେ ଡକାୟତି ଯୋଜନା କରୁଥିବା ନେଇ ପୁଲିସ ଖବର ପାଇଥିଲା । ଭରତପୁର ଥାନାର ଏକ ସ୍ୱତନ୍ତ୍ର ଟିମ୍ ହଠାତ୍ ଭୂଦାନ ଅଂଚଳରେ ଚଢ଼ଉ କରିଥିଲା । ପୁଲିସକୁ ଦେଖି ଡକାୟତମାନେ ଖସିଯିବାକୁ ଉଦ୍ୟମ କରିଥିଲେ । ପୁଲିସ ଟିମ୍ କୈାଶଳ କ୍ରମେ ଦିପୁ ,ସିପୁଓ ଆଶିଷକୁ କାବୁ କରିଥିବାବେଳେ ବିକ୍ରମ ଓ ହରି ଖସିଯିବାରେ ସଫଳ ହୋଇଥିଲେ ।
ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଦୁଇଟି ବନ୍ଧୁକ, ୭.୬୫ ଏମଏମର ୬ଟି ଜୀବନ୍ତ ଗୁଳି, ଖଣ୍ଡା, ଭୁଜାଲି, କଟୁରି, ଲୁଟ୍ ସୁନା ଚେନ, ୧୮ ହଜାର ଟଙ୍କା, ଗୋଟିଏ ବୋଲେରୋ ଓ ୪ଟି ମୋବାଇଲ ଫୋନ ଜବତ କରିଥିଲା । ସେମାନଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚରା କରିଥିଲା । ଅଭିଯୁକ୍ତମାନେ ଘାଟିକିଆ ଅଂଚଳରେ ଥିବା ପେଟ୍ରୋଲ ପମ୍ପରୁ ଡକାୟତି କରିବାକୁ ଯୋଜନା କରୁଥିବା ପୁଲିସ ଆଗରେ ସ୍ୱୀକାର କରିଥିଲେ ।
୨୦୨୧ ମସିହା ଅକ୍ଟୋବର ମାସରେ ଭରତପୁରର ରମାକାନ୍ତ ଦାଶ ଓ ଦିପୁ ଗୋଷ୍ଠୀ ମଧ୍ୟରେ ଦୁର୍ଘଟଣାକୁ ନେଇ ବଚସା ହୋଇଥିଲା । ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ହେଲେ ପରବର୍ତୀ ସମୟରେ ଦିପୁ ଓ ସହଯୋଗୀମାନେ ଆସି ଫାୟାରିଂ କରିବା ସହିତ ରମାକାନ୍ତଙ୍କୁ ଆକ୍ରମଣ କରିଥିଲେ ।
ତେବେ ଇଏ ଗୋଟିଏ ଘଟଣା ନୁହଁ, ପୂର୍ବରୁ ଦିପୁ ନାମରେ ୪ଟି ଓ ସିପୁ ନାମରେ ଗୋଟିଏ ମାମଲା ରହିଛି । ସେହିପରି ଫେରାର ଥିବା ହରି ନାମରେ ରାଜ୍ୟର ବିଭିନ୍ନ ଥାନାରେ ଏପର୍ଯ୍ୟନ୍ତ ମୋଟ ୨୧ଟି ଓ ବିକ୍ରମ ନାଁରେ ୩ଟି ଅପରାଧିକ ମାମଲା ରହିଥିବା ତଦନ୍ତ ବେଳେ ଜଣାପଡ଼ିଛି ।
