କେନ୍ଦ୍ରାପଡ଼ା, ୨୭/୦୬/୨୦୨୫(ଓଡ଼ିଶା ସମାଚାର)- ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ପୋକସୋ କୋର୍ଟ ବିଚାରପତି ଆସାମୀ ସ୍ୱାଧୀନ ଡିଗାଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ ୬୫ ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଆସାମୀ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବେ ବୋଲି ଜଜ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଏହି ମାମଲାରେ ପୀଡ଼ିତାଙ୍କୁ ୮ ଲକ୍ଷ ଟଙ୍କାର କ୍ଷତିପୁରଣ ପ୍ରଦାନ କରିବା ପାଇଁ ଜିଲା ଆଇନ୍ ସେବା ପ୍ରାଧିକରଣକୁ ଜଜ ନିର୍ଦ୍ଧେଶ ଦେଇଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ଯେ ପାଟକୁରା ଅଂଚଳର ଜଣେ ୧୬ ବର୍ଷର ନାବାଳିକା ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଂଚଳରେ ଥିବା ବିଜୁ ପଟ୍ଟନାୟକ ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ପଢୁଥିଲେ । ଭୁବନେଶ୍ୱର ନୟାପଲ୍ଲୀ ଅଂଚଳରେ ରହୁଥିବା କନ୍ଧମାଳ ଜିଲାର କନ୍ଧମାଳ ସଦର ଥାନା ଅନ୍ତର୍ଗତ ସଦନମେଣ୍ଡି ଗ୍ରାମର ଅଭିଯୁକ୍ତ ସ୍ୱାଧୀନ ଡିଗାଲ । ଅଭିଯୁକ୍ତ ସ୍ୱାଧୀନ ପାଟକୁରା ଆସି ୨୦୨୪ ମସିହା ଅକ୍ଟୋବର ୮ ତାରିଖରେ ନାବାଳିକାକୁ ଅପହରଣ କରିନେଇଥିଲା । ଏହାପରେ ତାଙ୍କୁ ବିଭିନ୍ନ ସ୍ଥାନରେ ରଖି ବଳାତ୍କାର କରିଥିଲା । ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ପାଟକୁରା ଥାନାରେ ଏତଲା ଦେଇଥିଲେ । ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ଚାଲିଥିବା ବେଳେ ପୋଲିସ ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଂଚଳରୁ ୨୦୨୪ ମସିହା ନଭେମ୍ବର ୧୮ ତାରିଖରେ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା ।
ଏହାପରେ ଉଭୟଙ୍କର ଡାକ୍ତରୀ ମାଇନା ହୋଇଥିଲା । ଡାକ୍ତରୀ ପରୀକ୍ଷାରୁ ଜଣାପଡିଲା ଯେ ନାବାଳିକା ଗର୍ଭବତୀ ଅଛି । ଏହାପରେ ଅଭିଯୁକ୍ତକୁ ଗିରଫ କରି ପୋଲିସ କୋର୍ଟଚାଲାଣ କରିଥିଲା । ଏହି ମାମଲାରେ ତଦନ୍ତକାରୀ ଅଧିକାରୀ ୨୦୨୫ ମସିହା ଜାନୁଆରୀ ୧୪ ତାରିଖରେ ଅଭିଯୋଗଫର୍ଦ୍ଧ କୋର୍ଟରେ ଦାଖଲ କରିଥିଲେ । ସମସ୍ତ ସାକ୍ଷ୍ୟ ପ୍ରମାଣ ଓ ୬ ଜଣ ସାକ୍ଷୀ ସାକ୍ଷ୍ୟକୁ ଆଧାର କରି ସ୍ୱତନ୍ତ୍ର ପୋକସୋ କୋର୍ଟ ଜଜ୍ ପ୍ରଜ୍ଞା ପରମିତା ରାଉଳ ଆସାମୀ ସ୍ୱାଧୀନ ଡିଗାଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିବା ସହ ୬୫ ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରିଛନ୍ତି ।
