ଖରାଦିନେ ନଳକୂପ ଖୋଳା ନ ଯିବାରୁ ଅଧିକାରୀଙ୍କ ଉପରେ ବର୍ଷିଲେ ସଭାପତି
କେନ୍ଦ୍ରାପଡ଼ା, ୨୭/୦୬/୨୦୨୫(ଓଡ଼ିଶା ସମାଚାର)- ଖରାଦିନ ଶେଷ ହୋଇଗଲା । କିନ୍ତୁ ନଳକୂପ ବସିପାରିଲା ନାହିଁ । ଜଳକ୍ଲୀଷ୍ଟ ଅଂଚଳର ଲୋକମାନେ ପାଣି ପାଇଁ ହାହାକାର ହେଲେ । ଲୋକେ ଜନ ପ୍ରତିନିଧିମାନଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ । କିନ୍ତୁ ଅଧିକାରୀମାନେ ନଳକୂପ ଖନନ କଲେ ନାହିଁ । ଦାୟିତ୍ୱରେ ଥିବା ଅଧିକାରୀମାନେ ଏବେ ନଳକୂପ ଖନନ କରିବା ପାଇଁ ପ୍ରସ୍ତାବ ଦେଉଛନ୍ତି । ବର୍ତମାନ ନଳକୂପ ଖନନ କଲେ ଅଳ୍ପ ଗଭୀରତାରେ ପାଣି ବାହାରିବ । ତେଣୁ ସେତିକି ଗଭୀର ପର୍ଯ୍ୟନ୍ତ ମାଟିରେ ପାଇପ ପଡିବ । ହେଲେ ଗ୍ରୀଷ୍କଋତୁରେ ଜଳସ୍ତର ଖସିଯିବ । ଫଳରେ ସେହି ନଳକୂପ ଅଚଳ ହୋଇପଡିିବ । ତେଣୁ ସଠିକ ସମୟରେ ନଳକୂପ ଖନନ କରି ନଥିବାରୁ ଜିଲା ପରିଷଦ ସଭାପତି ଲିଲିତା ଦାସ ଅଧିକାରୀଙ୍କ ଉପରେ ବର୍ଷିଥିଲେ ।
ବୁଧବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପରିଷଦର ଷଷ୍ଠ ସାଧାରଣ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ଜିଲା ପରିଷଦ ସଭାପତି ତାଗିଦ କରିଥିଲେ । ସେହିପରି ଜିଲାରେ କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ସରକାର ଯେଉଁ ନିର୍ଦ୍ଧେଶ ଦେଇଥିଲେ ଯେ ଜିଲାରେ ଯେଉଁ କନିଷ୍ଠ ଶିକ୍ଷକମାନେ ନିଯୁକ୍ତି ପାଇବେ ସେ ନେଇ ଜିଲା ପରିଷଦକୁ ଅବଗତ କରାଯିବ । ହେଲେ ସେ ସଂକ୍ରାନ୍ତରେ କୌଣସି ସୂଚନା ପ୍ରଶାସନ ପକ୍ଷରୁ ଜିଲା ପରିଷଦକୁ ଜଣାଗଲା ନାହିଁ । ଜିଲା ପ୍ରଶାସନ ସରକାରଙ୍କ ନିର୍ଦ୍ଧେଶକୁ କାର୍ଯ୍ୟକାରୀ କରୁନାହିଁ । କେଉଁ ବ୍ଲକରେ କେତେ ଶିକ୍ଷକ ନିଯୁକ୍ତ କରଗଲା ସେ ବିଷୟରେ ପ୍ରଶାସନ ଜିଲା ପରିଷଦକୁ ଅବଗତ କଲାନାହିଁ । କେନ୍ଦ୍ରାପଡ଼ା ଜିଲା ପରିଷଦରେ ସର୍ବାଧିକ ବିଜେଡିର ସଭ୍ୟ ଥିବାରୁ ପ୍ରଶାସନ ସେମାନଙ୍କୁ ଅବଜ୍ଞା କରୁଛି ବୋଲି କେତେକ ଜିଲା ପରିଷଦ ସଭ୍ୟ ଅଭିଯୋଗ କରିଥିଲେ । ପ୍ରଶାସନ ସରକାରୀ ନିର୍ଦ୍ଧେଶକୁ ଖିଲାପ କରୁଛି ଓ ବିଜେପି ନେତାଙ୍କ ଇଙ୍ଗିତରେ କାର୍ଯ୍ୟ କରୁଛି ବୋଲି କେତେକ ସଭ୍ୟ ଅଭିଯୋଗ କରିଥିଲେ । ଯେଉଁ ବିଦ୍ୟାଳୟ ଗୋଟିଏ ଗୋଟିଏ ଶିକ୍ଷକରେ ଚାଲୁଛି ସେଠାରେ ତୁରନ୍ତ ଶିକ୍ଷକ ନିଯୁକ୍ତ କରିବା ପାଇଁ ଜିଲା ପରିଷଦ ଅଧ୍ୟକ୍ଷା ଶିକ୍ଷା ବିଭାଗକୁ ନିର୍ଦ୍ଧେଶ ଦେଇଥିଲେ ।
ସେହିପରି ଜିଲାରେ କେତେକ ବାତ୍ୟା ଆଶ୍ରୟସ୍ଥଳ ନଷ୍ଟ ହୋଇଗଲାଣି । ସେଗୁଡିକୁ ତୁରନ୍ତ ମରାମତି କରିବା ପାଇଁ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ । ପ୍ରବଳ ବର୍ଷା ହେଉଥିବାରୁ ନଦୀରେ ବନ୍ୟା ଆସିବାର ସମ୍ଭାବନା ରହିଛି । ତେଣୁ ଏହା ପୂର୍ବରୁ ବାତ୍ୟା ଆଶ୍ରୟସ୍ଥଳୀକୁ ମରାମତି କରିବା ଓ ଯେଉଁ ବାତ୍ୟା ଆଶ୍ରୟସ୍ଥଳୀ ନଷ୍ଟ ହୋଇଗଲାଣି ସେଗୁଡିକୁ ଭଙ୍ଗାଯାଇ ନୂତନ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ କରିବା ପାଇଁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ । ୨୦୨୩ ମସିହାରେ ଜିଆରଏସ୍ ନିଯୁକ୍ତି ନେଇ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏ ନେଇ ପ୍ରିଲିମନାରୀ ପରୀକ୍ଷା ହେଲା । କିନ୍ତୁ କାହିଁକି ତାହାର ଫଳାଫଳ ଏପର୍ଯ୍ୟନ୍ତ ପ୍ରକାଶ ପାଇଲା ନାହିଁ ବୋଲି କେତେକ ସଭ୍ୟ ପ୍ରଶ୍ନ କରିଥିଲେ । ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଏ ନେଇ ସନ୍ତୋଷଜନକ ଉତର ଦେଇପାରିଲେ ନାହିଁ । ଜିଲାରେ ହଇଜାରେ ୨ଟି ଜୀବନ ଚାଲି ଯାଇଥିବାରୁ ସ୍ୱଚ୍ଛତା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।
ବିଶେଷ କରି ବିଦ୍ୟାଳୟଗୁଡିକରେ ବ୍ଲିଚିଂ ପାଉଡର ପକାଇବା, ଛାତ୍ରଛାତ୍ରୀଙ୍କୁ ସ୍ୱଚ୍ଛତା ଉପରେ ସଚେତନ କରିବା ପାଇଁ ଆଲୋଚନା ହୋଇଥିଲା । ଜଳ ଉତ୍ସ ଗୁଡିକୁ ସୁରକ୍ଷିତ ରଖିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଧେଶ ଦେଇଥିଲେ । ଜିଲା ପରିଷଦ ଉପସଭାପତି ଭୀଷ୍ମ ମହାନ୍ତି କହିଥିଲେ ଭୂତଳ ଜଳ କିପରି ରିଚାର୍ଜ ହେବ ସେ ନେଇ ଯୋଜନା କରାଯାଉ । ୩ଶହରୁ ୪ଶହ ମିଟର ଭୂପୃଷ୍ଠକୁ କିପରି ବର୍ଷା ଜଳ ପ୍ରବେଶ କରିପାରିବ ସେ ନେଇ ସ୍ୱତନ୍ତ୍ର ଯୋଜନା କରାଯାଉ । ସେହିପରି ଜିଲାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରିବା ପାଇଁ ସେ ଦାବି କରିଥିଲେ । ଜିଲା ପରିଷଦ ସଭାପତି ଲିଲିତା ଦାସ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ପାଟକୁରା ବିଧାୟକଙ୍କ ପ୍ରତିନିଧି ଶୁକାନ୍ତ କୁମାର ଦ୍ୱିବେଦୀ, ସାଂସଦଙ୍କ ପ୍ରତିନିଧି ସଞ୍ଜୟ ରଥ, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ଜିଲା ପରିଷଦ ସଭ୍ୟ, ବିଭିନ୍ନ ବ୍ଲକର ବିଡିଓ, ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
