ପୁରୀ/ ଭୁବନେଶ୍ୱର,୨୬/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା। ଗୁରୁତ୍ବପୂର୍ଣ୍ଣ ନୀତିକାନ୍ତି କୁ ଦୃଷ୍ଟିରୁ ରଖି ଗତ ଏପ୍ରିଲ୍ ୨୯ରୁ ବନ୍ଦ ଥିବା ରତ୍ନଭଣ୍ଡାର ମରାମତି କାମ ଶ୍ରୀଗୁଣ୍ଡିଚା ଯାତ୍ରା ପରଦିନ ଠାରୁ ଅର୍ଥାତ ଶନିବାର ଠାରୁ ଆରମ୍ଭ ହେବ । ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏଏସଆଇ ପୁରୀ ମଣ୍ଡଳ କର୍ତ୍ତୃପକ୍ଷ ଓ ସମ୍ପୃକ୍ତ ସେବକ ନିଯୋଗଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକରେ ଉପୋରକ୍ତ ନିଷ୍ପତ୍ତି ନିଆଯାଇଛି ।ଏଥି ସହିତ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଆବଶ୍ୟକୀୟ ସଂରକ୍ଷଣ ତଥା ରକ୍ଷଣାବେକ୍ଷଣ କାର୍ଯ୍ୟ ମଧ୍ୟ ଏଏସଆଇ ହାତକୁ ନେବ ବୋଲି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁଚନା ଦେଇଛନ୍ତି।
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ ଶ୍ରୀଗୁଣ୍ଡିଚା ଯାତ୍ରା ପରଦିନ ଅର୍ଥାତ୍ ଜୁନ୍ ୨୮ରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ପୁଣିଥରେ ଆରମ୍ଭ ହେବ । ବାକିଥିବା ବାହାର ଭଣ୍ଡାର କାର୍ଯ୍ୟ ଏଏସଆଇ ହାତକୁ ନେବ ।
ଅନ୍ୟପକ୍ଷରେ ସବୁ ବର୍ଷ ପରି ରଥଯାତ୍ରା ସମୟରେ ଏଏସଆଇ ପକ୍ଷରୁ ଶ୍ରୀମନ୍ଦିରର ସଂରକ୍ଷଣ କାର୍ଯ୍ୟ ହାତକୁ ନିଆଯିବ । ଏବର୍ଷ ଗର୍ଭଗୃହରେ କନକ ମୁଣ୍ଡି ଉପରେ ରହିଥିବା ପୁରୁଣା କାଠଫ୍ରେମ୍ ଜାଲି ବଦଳାଯିବ । ଏହା ବଦଳରେ ସେହି ଯାଗାରେ ଷ୍ଟେନଲେସ୍ ଷ୍ଟିଲର ଫ୍ରେମ୍ ସହିତ ଜାଲି ସ୍ଥାପନ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।
ଶ୍ରୀମନ୍ଦିରର ବାର୍ଷିକ ବୈଷୟିକ ନିରୀକ୍ଷଣ କାମ ଶ୍ରୀମନ୍ଦିର ବୈଷୟିକ କମିଟି ଅଧ୍ୟକ୍ଷ ପ୍ରଫେସର ଏସକେ ଭଟ୍ଟାଚାର୍ଯଙ୍କ ନେତୃତ୍ଵରେ ଶ୍ରୀମନ୍ଦିର ପ୍ରଶାସନ, ଏଏସଆଇ ଏବଂ ପୂର୍ତ୍ତ ବିଭାଗର ମିଳିତ ଟମ୍ ନିରୀକ୍ଷଣ କରିବେ।
ଏହି ସମସ୍ତ କାର୍ଯ୍ୟରେ ସହଯୋଗ ଲାଗି ସମସ୍ତ ସେବକ ନିଯୋଗ ସହମିତ ପ୍ରଦାନ କରିଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏଥିପାଇଁ ସେମାନଙ୍କ ଧନ୍ୟବାଦ ଜଣାଇଥିଲେ ।
