ବାଲିଅନ୍ତା ବ୍ଲକରେ ଏକତା ପଦଯାତ୍ରା

ବାଲିଅନ୍ତା/୧୩/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ବାଲିଅନ୍ତା ବ୍ଲକରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଏହି ପଦଯାତ୍ରା ଜୟଦେବ ଗ୍ରାମ ପଞ୍ଚାୟତରୁ ବାହାରି ପ୍ରତାପରୁଦ୍ରପୁରସ୍ଥିତ ଜୟଦେବ ଉଚ୍ଚବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । କ୍ରୀଡା ଓ ଯୁବସେବା ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ଏହି ପଦଯାତ୍ରାରେ  ସ୍ଥାନୀୟ ବିଭିନ୍ନ ମହାବିଦ୍ୟାଳୟ ଓ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଯୋଗଦେଇ ଥିଲେ ।

ଏହି ପଦଯାତ୍ରାରେ ପୂର୍ବତନ ମନ୍ତ୍ରୀ ଡଃ ଅରବିନ୍ଦ ଢ଼ାଲି, ଭୁବନେଶ୍ୱର ଉପଜିଲ୍ଲାପାଳ ଡଃ ମନୋରଞ୍ଜନ ସାହୁ, ବାଲିଅନ୍ତା ବିଡ଼ିଓ ଶ୍ରୀମତୀ ରଶ୍ମିତା ନାଥ, ତହସିଲଦାର ଶ୍ରୀ ଲୀଲନ ସାହୁ, ଖୋର୍ଦ୍ଧା କ୍ରୀଡା ଅଧିକାରୀ ଗୀତାଞ୍ଜଳି ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ସମାଜସେବୀ ଶ୍ରୀ ଜଗନ୍ନାଥ ପ୍ରଧାନ, ଶିକ୍ଷାବିତ ଡଃ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସ୍ଥାନୀୟ ଜନ ପ୍ରତିନିଧି ପ୍ରମୁଖ ସାମିଲ ହୋଇଥିଲେ ।

ଏହି ଅବସରରେ ଅତିଥି ମାନେ ଭାରତରତ୍ନ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ଅବଦାନ ଓ ତ୍ୟାଗର ସ୍ମୃତିଚାରଣ କରିଥିଲେ । ଲୌହମାନବଙ୍କ ବଳିଷ୍ଠ ନେତୃତ୍ୱରେ ସଦ୍ୟ ସ୍ୱାଧୀନତା ଲାଭ କରିଥିବା ଭାରତ ସହ ଗଡଜାତ ଅଞ୍ଚଳକୁ ସାମିଲ କରାଯାଇଥିଲା । ପ୍ରତ୍ୟେକ ବର୍ଷ ତାଙ୍କର ଜନ୍ମ ତାରିଖ ଅକ୍ଟୋବର ୩୧ ତାରିଖରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ହେଉଛି । ଦେଶକୁ ଏକତାର ସୂତ୍ରରେ ବାନ୍ଧିରଖିବାକୁ ତାଙ୍କର ଆଦର୍ଶ ଅନୁସରଣ କରିବାକୁ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରଶାସନ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ, ଶାନ୍ତି ଶୃଙ୍ଖଳା ରକ୍ଷା, ଖାଦ୍ୟ ଓ ପାନୀୟ ଜଳ ଭଳି ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିଲା ।

Leave a Reply

Your email address will not be published. Required fields are marked *