ବ୍ରହ୍ମପୁର ନାବାଳିକା ଦୁଷ୍କର୍ମ ଘଟଣା : ବିଜେପି ନେତାଙ୍କ କୁତ୍ସିତ ଚେହେରା ପଦାକୁ ଆସିଲା – –  ବିଜେଡି

ମହିଳା ସୁରକ୍ଷା ସ୍ଲୋଗାନ ଦେଇ ସରକାରକୁ ଆସିଥିବା ବିଜେପି, ଆଜି ମହିଳା ସମାଜ ପାଇଁ ବିପଦ

ଅଭିଯୁକ୍ତଙ୍କ ଦ୍ୱାରା ମହିଳା ଟ୍ରାଫିକିଙ୍ଗ ଓ ଅର୍ଗାନ ଟ୍ରାଫିକିଙ୍ଗ ସନ୍ଦେହ ରହିଛି

ବିଜେପି ସରକାର ଆସିଲା ପରେ ରାଜ୍ୟକୁ ଶନି ଓ ରାହୁ ଗ୍ରହ ଗ୍ରାସିଛି

ଭୁବନେଶ୍ୱର,୨୫/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟରେ ନାରୀ ନିର୍ୟ୍ୟାତନା ଓ ଦୁଷ୍କର୍ମ ଘଟଣା ଉଦବେଗଜନକ ଭାବେ ବୃଦ୍ଧି ହେଉଥିବା ବେଳେ ବ୍ରହ୍ମପୁରରେ ଜଣେ ପୂର୍ବତନ ବିଜେପି ନଗର ସଭାପତିଙ୍କ ଦ୍ୱାରା ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ନାବାଳିକାକୁ ନିଶା ଦେଇ ଦୁଷ୍କର୍ମ କରିବା ଘଟଣାରେ, ବିଜୁ ଜନତା ଦଳ ଆଜି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି।

ଶଙ୍ଖ ଭଵନ ଠାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠି, ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର କହିଥିଲେ, ବିଜେପି ନାରୀ ସୁରକ୍ଷା ସ୍ଲୋଗାନ ଦେଇ ସରକାରକୁ ଆସିଲା ପରେ ରାଜ୍ୟର ମହିଳା ସମାଜ ଆଜି ସବୁଠୁ ଅଧିକ ଅସୁରକ୍ଷିତ ହୋଇପଡିଛନ୍ତି।  ବିଜେପିର ଜଣେ ଆଗ ଧାଡ଼ିର ନେତାଙ୍କ ଦ୍ୱାରା ଏଭଳି ଏକ ଘୃଣ୍ୟ କାମ ପଦାକୁ ଆସିବା ପରେ ବିଜେପିର ଅସଲ ମୁଖା ଖୋଲି ଯାଇଛି।

ଶ୍ରୀମତୀ ଛୁରିଆ କହିଥିଲେ, ଭବାନୀ ପ୍ରସାଦ ଦାସ ନାମକ ଏହି ବ୍ୟକ୍ତି ଜଣକ, ନିଜକୁ ଏକ ଡାକ୍ତର ପରିଚୟ ଦେଇ ବ୍ରହ୍ମପୁର ସହରରେ ବାଜପେୟୀ କ୍ଲିନିକ ନାମରେ ଏକ ନର୍ସିଙ୍ଗ ହୋମ ଚଳାଇ ଆସୁଥିଲେ। କିନ୍ତୁ, ସେ ଏକ ନକଲି ଡାକ୍ତର ବୋଲି ଜଣାପଡିଛି। ସେ ପୂର୍ବରୁ ବିଜେପିର ବ୍ରହ୍ମପୁର ନଗର ସଭାପତି ଓ ବିଶ୍ୱ ହିନ୍ଦୁ ପରିଷଦ ଗଂଜାମ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ବର୍ତ୍ତମାନ ସେ ବିଜେପିର ଶ୍ରମିକ ସାମ୍ମୁଖ୍ୟର ଜିଲ୍ଲା ସଭାପତି ଅଛନ୍ତି।  ଏହି ବିଜେପି ନେତା ଜଣଙ୍କ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ନାବାଳିକାକୁ ନର୍ସିଙ୍ଗ ଟ୍ରେନିଂ କରାଇ ତାକୁ ନର୍ସ ଭାବେ ନିଯୁକ୍ତି ଦେବେ ବୋଲି ପ୍ରତିଶ୍ରୁତି ଦେଇ  ତାକୁ ଆଣି ନିଜ ନର୍ସିଙ୍ଗ ହୋମରେ ରଖିଥିଲେ। ରାତିରେ, ସେହି ନାବାଳିକାକୁ ନିଶା ଦେଇ ଦୁଷ୍କର୍ମ କରିଥିଲେ। ନାବାଳିକାଙ୍କ ପରିବାର ସଦସ୍ୟ ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ତାକୁ ଚପାଇ ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ, ପୀଡ଼ିତାଙ୍କ ପରିବାର କେସ ଦାୟର କରିବା ଜିଦିରେ ଅଟଳ ରହିଥିଲେ ଓ କେସ ଦାୟର ନକଲେ, ସେମାନେ ଏହି ଘଟଣାକୁ ସାମାଜିକ ଗଣ ମାଧ୍ୟମରେ ପ୍ରଘଟ କରିବେ ବୋଲି ଧମକ ଦେଇଥିଲେ ।  ଏହାପରେ ପୋଲିସ କେସ ଦାୟର କରି ଅଭିଯୁକ୍ତକୁ ଗିରଫ କରିବାକୁ ବାଧ୍ୟ ହୋଇଥିଲା।

ଶ୍ରୀମତୀ ଛୁରିଆ ଆହୁରି ମଧ୍ୟ କହିଥିଲେ, ସମ୍ପୃକ୍ତ ଅଭିଯୁକ୍ତ ଭବାନୀ ପ୍ରସାଦ ଦାସ ବିଜେପିର ଜଣେ ଆଗଧାଡ଼ିର କର୍ମକର୍ତ୍ତା ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଅଭିଯୁକ୍ତଙ୍କ ଫଟୋ ଗଣମାଧ୍ୟମ ସମ୍ମୁଖରେ ପ୍ରଦର୍ଶନ କରିଥିଲେ। ଜିଲ୍ଲାର ଦୁଇ ଜଣ ମନ୍ତ୍ରୀ ଯଥା, ଖଣି ପରିବହନ ମନ୍ତ୍ରୀ ବିଭୁତି ଜେନା ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସହିତ ଅଭିଯୁକ୍ତଙ୍କ ଘନିଷ୍ଠତା ରହିଛି। ଅଭିଯୁକ୍ତ ଜଣକ, ବହୁଦିନ ଧରି କ୍ଲିନିକ ଚଳାଇ ଆସୁଥିବାରୁ, ପୂର୍ବରୁ ଅନେକ ଝିଅ ମାନଙ୍କ ସହିତ ମଧ୍ୟ ଏପରି କରିଥାଇ ପାରନ୍ତି ବୋଲି ସନ୍ଦେହ ଉପୁଜିଛି। ତାଛଡା, ଏହି କ୍ଲିନିକ ମାଧ୍ୟମରେ, ମହିଳା ଟ୍ରାଫିକିଙ୍ଗ ଓ ଅର୍ଗାନ ଟ୍ରାଫିକିଙ୍ଗ ହେଉଥିବାର ସନ୍ଦେହ ସୃଷ୍ଟି ହୋଇଛି। ପୀଡ଼ିତାଙ୍କୁ ଉପଯୁକ୍ତ ନ୍ୟାୟ ଦେବା ସହିତ, ଏ ଦିଗରେ ଅନୁସନ୍ଧାନ ପାଇଁ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ବିଜେଡି ଦାବି କରୁଛି। କ୍ଷମତାର ଅଳିନ୍ଦରେ ରହି ଶାସକ ଦଳ ଯଦି ଏଭଳି ଘୃଣ୍ୟ କାମ କରିବେ ତେବେ ଲୋକେ ଭରସା କରିବେ କାହାକୁ।

ଶ୍ରୀମତୀ ଛୁରିଆ କହିଥିଲେ, ରାଜ୍ୟରେ ଦୁଷ୍କର୍ମ ଘଟଣା ଉଦବେଗଜନକ ଭାବେ ବୃଦ୍ଧି ପାଉଥିବା ଯୋଗୁ ମହିଳା ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି ବୋଲି ବିଜୁ ଜନତା ଦଳ ତରଫରୁ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ସରକାର ନିଦାବିଷ୍ଣୁ ସାଜି ବସି ରହିଛନ୍ତି ଓ ଉତ୍ସବରେ ମାତିଛନ୍ତି।  ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ, ଗଣଦୁଷ୍କର୍ମ ଘଟଣା ଲୋକଲୋଚନଙ୍କୁ ଆସିବାରେ ଲାଗିଛି। ବିଜେପି କ୍ଷମତାକୁ ଆସିବା ପରେ ରାଜ୍ୟକୁ ଶନି ଓ ରାହୁ ଗ୍ରାସିଛନ୍ତି।  ଗୋଟିଏ ଦାୟିତ୍ୱ ସଂପର୍ଣ୍ଣ ବିରୋଧୀ ଦଳ ଭାବେ ଆମେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଉଛୁ, ମହିଳା ମାନଙ୍କୁ ସୁରକ୍ଷା ଦେବା ପାଇଁ ତୁରନ୍ତ ଉପଯୁକ୍ତ ପଦକ୍ଷେପ ନିଅ, ନଚେତ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *