ଗଠନ ହେଲା ରବି ରାୟ ଜନ୍ମ ଶତବାର୍ଷିକୀ ରାଜ୍ୟ ସମିତି

         ସଭାପତି କୃଷ୍ଣା ମହାନ୍ତି, ସମ୍ପାଦକ ବିଶ୍ୱଜିତ୍ ମନୋନୀତ
ଭୁବନେଶ୍ୱର,୨୨/୦୬/୨୦୨୫(ଓଡ଼ିଶା ସମାଚାର)- ବିଶିଷ୍ଟ ସମାଜବାଦୀ ନେତା, ଲୋକସଭାର ପ୍ରାକ୍ତନ ବାଚସ୍ପତି ରବି ରାୟଙ୍କ ଜନ୍ମ ଶତବାର୍ଷିକୀ (୧୯୨୬-୨୦୨୬) ଅବସରରେ ତାଙ୍କର ଜୀବନ, ଦର୍ଶନ ଓ ରାଜନୈତିକ ଦୃଷ୍ଟିକୋଣକୁ ସ୍ମରଣ କରିବା ଏବଂ ଭବିଷ୍ୟତ ପିଢିକୁ ଏହା ପରିଚୟ କରିବା ଉଦ୍ଧେଶ୍ୟରେ ଏକ ରାଜ୍ୟ ଶତବାର୍ଷିକୀ ସମିତି ଗଠିତ ହୋଇଛି । ଏହି ଅବସରରେ ଲୋହିଆ ଏକାଡେମୀର ଟ୍ରଷ୍ଟି ପ୍ରଫୁଲ୍ଲ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସମିତି ଗଠନ କରାଯାଇ ରାଜ୍ୟ ସମିତିର ସଭାନେତ୍ରୀ ଭାବେ ବିଶିଷ୍ଟ ଗାନ୍ଧୀବାଦୀ ନେତ୍ରୀ କୃଷ୍ଣା ମହାନ୍ତି ଓ ସମ୍ପାଦକ ଭାବରେ ସର୍ବୋଦୟ ନେତା ଡ଼ା ବିଶ୍ୱଜିତଙ୍କୁ ମନୋନୀତ କରାଯାଇଛି ।

ଉପଦେଷ୍ଟା ଭାବରେ ବିଶିଷ୍ଟ ଶିକ୍ଷାବିତ୍ ସ୍ୱାଧୀନ ପଟ୍ଟନାୟକ ଓ ଭାଷାବିତ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି । ଏହି ସମିତି ବର୍ଷ ବ୍ୟାପୀ ରାଜ୍ୟର ବିଭିନ୍ନ ଜିଲାରେ ଆନୁଷ୍ଠାନିକ କାର୍ଯ୍ୟକ୍ରମ, ଆଲୋଚନା, ଅଧିବେଶନ, ସ୍ମୃତି ସଭା, ସ୍ମାରକୀ ବକ୍ତୃତା, ପୁସ୍ତକ ପ୍ରକାଶନ, ସମ୍ବିଧାନ ସୁରକ୍ଷା ଓ ସାମ୍ପ୍ରଦାୟିକ ସଦଭା୍ୱ ସମ୍ମିଳନୀ, ଯୁବ ଶିବିର ସମେତ ତାଙ୍କ ଜୀବନ ଓ କାର୍ଯ୍ୟ ଆଧାରରେ ଏକ ଗବେଷଣାଲବ୍ଧ ପୁସ୍ତକ ପ୍ରକାଶିତ କରାଯିବା ସହିତ ରବି ରାୟଙ୍କ ମାନବୀୟ ତଥା ସାମାଜିକ ଆନ୍ଦୋଳନଧର୍ମୀ ବାର୍ତାକୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ପହଂଚାଯିବା ନିମନ୍ତେ ବ୍ୟବସ୍ଥା କରିବ । ରବି ରାୟଙ୍କ ଦ୍ୱାରା ପ୍ରତିଷ୍ଠିତ ମୂଲ୍ୟବୋଧ – ସତ୍ୟ, ସରଳତା, ସେବା ଓ ଲୋକତନ୍ତ୍ର ଉପରେ ଆଧାରିତ ସମାଜ ଗଠନ ପ୍ରତି ଆଧୁନିକ ପିଢ଼ିର ଧ୍ୟାନ ଆକର୍ଷିତ କରିବା ଏହି ସମିତିର ପ୍ରଧାନ ଲକ୍ଷ୍ୟ ରହିବ ।

ଭୁବନେଶ୍ୱର ଲୋହିଆ ଏକାଡ଼େମୀଠାରେ ରାଜ୍ୟ ସମିତିର ପ୍ରଥମ ପ୍ରସ୍ତୁତି ବୈଠକରେ ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ପ୍ରଫେସର ଅମୀୟ ମହାନ୍ତି, ପ୍ରଫେସର ବିରେନ୍ଦ୍ର ନାୟକ, ଶୈଳଜ ରବି, ପ୍ରଫେସର ଜ୍ଞାନଦେବ ମହାରଣା, ଜଷ୍ଟିସ ମନୋରଞ୍ଜନ ମହାନ୍ତି, ସୁଧୀର ପଟ୍ଟନାୟକ, ବିଶ୍ୱପ୍ରିୟ କାନୁନଗୋ, ମହେନ୍ଦ୍ର ପରିଡ଼ା, ଡ଼. ସୁମିତ୍ରା ପଟେଲ, ଏନ୍ ନାରାୟଣ ରେଡ୍ଡୀ, ଲକ୍ଷ୍ମୀପ୍ରିୟା ମହାନ୍ତି, ଉଷାରାଣୀ ବେହେରା, ମିହିର ପ୍ରତାପ ଦାସ, ସୁରେନ୍ଦ୍ର ପାତ୍ର, ମାନସ ଜେନା, ସତୀଶ ମିଶ୍ର, ସଂଗ୍ରାମ ମଲ୍ଲିକ, ବିଘ୍ନେଶ୍ୱର ସାହୁ, ଦେବୀପ୍ରସାଦ ପୃଷ୍ଟି, ଅନ୍ତର୍ଯ୍ୟାମୀ ବରାଳ, ମନୋରଞ୍ଜନ ରାୟ ପ୍ରମୁଖ ଉପସ୍ଥିତ ରହି ବର୍ଷବ୍ୟାପୀ ରବି ରାୟ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମର ବ୍ୟାପକତା ସମ୍ପର୍କରେ ନିଜ ମତ ଦେଇଥିବା ବେଳେ ସମସ୍ତ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ କମିଟିର ରାଜ୍ୟ କାର୍ଯ୍ୟକାରିଣୀରେ ସାମିଲ କରାଯାଇ ଆଗାମୀ ଜୁଲାଇ ମାସରେ ପରିବର୍ଦ୍ଧିତ କମିଟି ଗଠନ କରାଯାଇ ବିଭିନ୍ନ ସାମାଜିକ, ରାଜନୈତିକ ବ୍ୟକ୍ତି ବିଶେଷମାନଙ୍କୁ ସାମିଲ କରାଯିବ ବୋଲି ସ୍ଥିର ହୋଇଥିଲା ।

ଆଗାମୀ ଦିନରେ ସମସ୍ତ ସାମାଜିକ – ରାଜନୈତିକ କର୍ମୀ, ଚିନ୍ତକ ଓ ଯୁବପିଢିଙ୍କୁ ଏହି ଉଦ୍ୟମରେ ଯୋଗଦେବା ପାଇଁ ଆହ୍ୱାନ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶିକ୍ଷାବିତ୍ ପ୍ରଫେସର ଆନନ୍ଦ କୁମାରଙ୍କ ଅଧ୍ୟକ୍ଷତାରେ ଏକ ରାଷ୍ଟ୍ରୀୟ ସମିତି ନୂଆଦିଲ୍ଲୀଠାରେ ଗଠନ କରାଯାଇଛି ।

Leave a Reply

Your email address will not be published. Required fields are marked *