‘ଡାଇରିଆ ମୁକାବିଲା’: କ୍ଷେତ୍ରସ୍ତରରେ ଏକାଭୀମୁଖୀ କାର୍ଯ୍ୟାନ୍ୱୟନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ପାଣି ଫୁଟାଇ ବ୍ୟବହାର ପାଇଁ ପରାମର୍ଶ

ଭୁବନେଶ୍ୱର, ୧୯/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଡାଇରିଆ ସ୍ଥିତିର ମୁକାବିଲା ନିମନ୍ତେ ସଂପୃକ୍ତ ବିଭାଗମାନେ କ୍ଷେତ୍ର ସ୍ତରରେ ସମନ୍ୱିତ ଓ ଏକାଭୀମୁଖୀ ଭାବେ କାର୍ଯ୍ୟ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି ।

ଲୋକସେବା ଭବନ ସଭାଗୃହଠାରେ ବିଭିନ୍ନ ଜିଲ୍ଲାରେ ଡାଇରିଆ ମୁକାବିଲା ସ୍ଥିତିର ସମୀକ୍ଷା କରି ଶ୍ରୀ ଆହୁଜା ଏହି ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ବିଭିନ୍ନ ଜିଲ୍ଲାରେ ଡାଇରିଆ ମୁକାବିଲା ସଂପର୍କରେ  ସ୍ଥିତି ସମୀକ୍ଷା କରିଥିଲେ । ଅନୁଷ୍ଠିତ ବୈଠକରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ, ସୂଚନା ଓ ଲୋକ ସଂପର୍କ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ଶାସନ ସଚିବ, ପୂର୍ତ୍ତ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ, ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବଙ୍କ ଉପସ୍ଥିତିରେ ସ୍ଥିତି ସଂପର୍କରେ ପଚାରି ବୁଝିବା ସହ ମୁଖ୍ୟ ଶାସନ ସଚିବ  ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି ।   ଗ୍ରାମ୍ୟ ପାନୀୟ ଜଳ ଉତ୍ସଗୁଡ଼ିକର  ନିୟମିତ ବିଶୋଧନ କାର୍ଯ୍ୟ ଅନୁଧ୍ୟାନ କରିବା, ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗର ସଚିବଙ୍କୁ ପରାମର୍ଶ ଦିଆଯାଇଛି । ରାଜ୍ୟ ରାପିଡ୍ ଆକ୍ସନ ଟିମଙ୍କର  କ୍ଷେତ୍ର ପରିଦର୍ଶନ  ସ୍ଥିତି ଓ ପରାମର୍ଶ କାର୍ଯ୍ୟକାରୀ  କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହାପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ୱତୀ ଏସ୍‌ କେନ୍ଦ୍ରୀୟ ଟିମ୍‌ମାନଙ୍କ ସହ ଆଲୋଚନା କରିଥିଲେ । କେନ୍ଦ୍ରରୁ ଆସିଥିବା ତିନୋଟି ବିଶେଷଜ୍ଞ ଦଳ କ୍ଷେତ୍ର ପରିଦର୍ଶନ ପରେ ସେମାନଙ୍କ ମତାମତ ଓ ପରାମର୍ଶ ଦେଇଥିଲେ । ଆଲୋଚନାରୁ ଜଣା ପଡ଼ିଛି ଯେ ବିଭିନ୍ନ ସ୍ଥାନରେ ଦେଖାଦେଇଥିବା ଡାଇରିଆ ମୁଖ୍ୟତଃ ଦୂଷିତ ଜଳ ଓ ଖାଦ୍ୟରୁ ଆରମ୍ଭ ହୋଇଛି । ତେଣୁ ପ୍ରତି ଜଳ ଉତ୍ସକୁ ନିୟମିତ ଭାବେ ସଠିକ୍‌ ଭାବେ ବିଶୋଧିତ କରିବା ଏବଂ ପାଣିକୁ ଫୁଟାଇ ଥଣ୍ଡା କରି ବ୍ୟବହାର କରିବା ନିମନ୍ତେ ଜନସାଧାରଣଙ୍କୁ ପରାମର୍ଶ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା ।

ଅଗଭୀର ନଳକୂପ, ଖୋଲାକୁପ ଆଦିର ଜଳ ଭୂପୃଷ୍ଠ ଜଳ ସଂସ୍ପର୍ଶରେ ଆସୁଥିବାରୁ ଏହା ଦୂଷିତ ହେବାର ଆଶଙ୍କା ରହିଛି । ତେଣୁ ଏସବୁ ଜଳକୁ ଫୁଟାଇ ବା ହାଲୋଜେନ୍‌ ଟ୍ୟାବ୍‌ଲେଟ୍‌ ପକାଇ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ପରେ ପରେ କେନ୍ଦ୍ରୀୟ ଟିମ୍‌ମାନେ ଭିନ୍ନ ଭିନ୍ନ ଭାବେ ପଞ୍ଚାୟତିରାଜ ଓ ପାନୀୟ ଜଳ ଓ ଗୃହନିର୍ମାଣ ଓ ନଗର ଉନ୍ନୟନର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଖାଦ୍ୟ ନିରାପତ୍ତା ବିଭାଗ ଦ୍ୱାରା ଆଜି ୨୫ଟି ଜଳ ନମୁନା ଓ ୨୦ଟି ସ୍ଥାନରୁ ଖାଦ୍ୟ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଛି ଏବଂ ୩୫ଟି ହୋଟେଲ, ଢାବା ଓ ୱାଟର ବଟଲିଂ ପ୍ଲାଣ୍ଟ ଆଦିରେ ଚଢ଼ାଉ କରାଯାଇଛି ।

ଏହା ମଧ୍ୟରେ ସମଗ୍ର ରାଜ୍ୟରେ ପାନୀୟ ଜଳ ବିଶୋଧନ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । କଟକ, ସୁବର୍ଣ୍ଣପୁର, କେଉଁଝର, ଜଗତସିଂହପୁର, ଝାରସୁଗୁଡ଼ା, ରାୟଗଡ଼ା, ପୁରୀ, କେନ୍ଦ୍ରାପଡ଼ା, ଯାଜପୁର ଓ ଭୁବନେଶ୍ୱରରେ ପାନୀୟ ଜଳ ବିଭାଜନଗୁଡ଼ିକ ପକ୍ଷରୁ ବିଶୋଧନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇ ପାନୀୟ ଜଳ ସ୍ରୋତଗୁଡ଼ିକ ବିଶୋଧନ କରାଯାଇଥିଲା । ଏହା ସହ ରାଜ୍ୟର ଅନ୍ୟ ସମସ୍ତ ପାନୀୟ ଜଳ ବିଭାଜନରେ ପାନୀୟ ଜଳ ସ୍ରୋତଗୁଡ଼ିକର ବିଶୋଧନ ପାଇଁ ପ୍ରକ୍ରିୟା ଜାରି ରହିଛି ।

ଓଡ଼ିଶାର କିଛି ଜିଲ୍ଲାରେ ହଇଜା ବ୍ୟାପିଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ସମସ୍ତ ବ୍ଲକ୍‌ ଏବଂ ପୌର ପରିଷଦରେ ସଚେତନତାର ବାର୍ତ୍ତା ନେଇ ‘ବିକାଶ ବାହନ’ ଭ୍ରମଣ କରୁଛି । ଆଜିଠାରୁ ଏହି ‘ବିକାଶ ବାହନ’ ଜରିଆରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା, ଶିକ୍ଷା ଓ ସଂଚାର ସାମଗ୍ରୀ ବଣ୍ଟନ କରାଯାଇ ଲୋକମାନଙ୍କୁ ହଇଜାର ନିରାକରଣ ନେଇ ସତର୍କ ଓ ସଚେତନ କରାଯାଉଛି । ଜିଲ୍ଲାର ସମସ୍ତ ଜଳ ସାଥୀମାନଙ୍କୁ ସଂଗଠିତ ଏବଂ ତତ୍ପର କରାଯିବ ଏବଂ ଆବଶ୍ୟକ ସ୍ଥଳେ ଜଳ ନମୁନା ପରୀକ୍ଷା ପାଇଁ କିଟ୍‌ ଯୋଗାଇ ଦିଆଯିବ । ଜଳସାଥିମାନେ ମଧ୍ୟ ଆଇଇସି ସାମଗ୍ରୀ ଜରିଆରେ ହଇଜା ନିୟନ୍ତ୍ରଣର ସଚେତନତାର ବାର୍ତ୍ତା ଦେବେ ।

ଅପରାହ୍ନରେ ରାଜ୍ୟର ସମସ୍ତ ଜିଲ୍ଲାରେ ଡାଇରିଆ ମୁକାବିଲା ସ୍ଥିତି ବିଷୟରେ ସ୍ୱାସ୍ଥ୍ୟ ସଚିବ ସମୀକ୍ଷା କରିଥିଲେ । ଏହି ବୈଠକରେ ସମସ୍ତ ଜିଲ୍ଲାର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ, ସମସ୍ତ ମେଡିକାଲ କଲେଜର ଡିନ ଓ ମେଡିକାଲ ସୁପରିଟେଣ୍ଡେଣ୍ଟମାନେ ଆଭାସି ମାଧ୍ୟମରେ ସାମିଲ ହୋଇଥିଲେ । ବୈଠକରେ ଡାଇରିଆ ସଂକ୍ରମିତ ବିଭିନ୍ନ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଗ୍ରହଣ କରାଯାଉଥିବା ସମସ୍ତ ପଦକ୍ଷେପ ବିଷୟରେ ଆଲୋଚନା ହୋଇଥିଲା ।

ଡାକ୍ତରଖାନାରେ ଔଷଧ ମହଜୁଦ ଥିବା ସତ୍ତ୍ୱେ  ଜଣେ ବୟସ୍କ ନାଗରିକଙ୍କୁ ବାହାରୁ ଔଷଧ କିଣିବା ପାଇଁ ପରାମର୍ଶ ଦେଇଥିବାରୁ ଜଣେ ଡାକ୍ତରଙ୍କୁ ଆଜି ନିଲମ୍ବନ କରାଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ସୂଚିତ କରିଥିଲେ । ଆସନ୍ତାକାଲି ବିଶେଷଜ୍ଞ ଦଳ କଟକ,  ଯାଜପୁର ଓ ଭଦ୍ରକ ଜିଲ୍ଲା ଗସ୍ତ କରିବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି ।

ପ୍ରତି ଜିଲ୍ଲାରେ କୋର କମିଟିମାନ ଗଠନ କରିବା ପାଇଁ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏହି କୋର କମିଟି ଦୈନିକ ସନ୍ଧ୍ୟରେ କ୍ଷେତ୍ରସ୍ତରୀୟ ସ୍ଥିତି ଓ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ ଓ ତଦନୁଯାୟୀ ପରଦିନ ପାଇଁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ । ଡାଇରିଆ ମୁକାବିଲା ସହ ସଂପୃକ୍ତ ସମସ୍ତ ବରିଷ୍ଠ ଅଧିକାରୀମାନେ ଏହାର ସଦସ୍ୟ ରହିବେ ଓ ସମସ୍ତ ବିଭାଗ ଏକ ୟୁନିଟ୍‌ ଭାବେ ଏକାଭିମୁଖୀ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି ।

-0-

ବିନାୟକ ମିଶ୍ର ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *