ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହ ଦେଓଙ୍କ ପୂର୍ବତନ ୟୁକେ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାରଙ୍କ ସହ ସାକ୍ଷାତ

                 ରାଜ୍ୟ ଶକ୍ତି ମନ୍ତ୍ରୀ ସମ୍ମିଳନୀର ନେତୃତ୍ୱ ନେବା ପାଇଁ ଓଡ଼ିଶା ସହ ବୁଝାମଣାପତ୍ର ସ୍ୱାକ୍ଷରିତ

 ଭୁବନେଶ୍ୱର,୧୯/୦୬/୨୦୨୫(ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓ ଆଜି ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର ଗ୍ଲୋବାଲ୍ ଚେଞ୍ଜ (ଟିବିଆଇ)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଟୋନି ବ୍ଲେୟାରଙ୍କୁ ଦିଲ୍ଲୀର ତାଜ ପ୍ଯାଲେସ ହୋଟେଲରେ ଭେଟିଛନ୍ତି।

ଉଭୟ ନେତାଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, କାନପୁର ଏବଂ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର ଗ୍ଲୋବାଲ୍ ଚେଞ୍ଜ ଦ୍ୱାରା ଏକ ତ୍ରିପାକ୍ଷିକ ଇଣ୍ଟେଣ୍ଟ ଲେଟର (ଏଲଓଆଇ) ସ୍ୱାକ୍ଷରିତ ହୋଇଛି। ଏଲଓଆଇରେ ହୋଇଥିବା ସହମତି ଅନୁଯାୟୀ, ଓଡ଼ିଶା ଭାରତର ବିଭିନ୍ନ ରାଜ୍ୟର ଶକ୍ତି ମନ୍ତ୍ରୀମାନଙ୍କର କମ୍ୟୁନିଟି ପ୍ରାକ୍ଟିସ ପାଇଁ ନେତୃତ୍ୱ ନେବ। ଏହି ବର୍ଷ ଶେଷରେ ଓଡ଼ିଶାରେ ବିଭିନ୍ନ ରାଜ୍ୟର ଶକ୍ତି ମନ୍ତ୍ରୀମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହେବ।

ଟୋନି ବ୍ଲେୟାର ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା ବିଦ୍ୟୁତ ସଂସ୍କାରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ରାଜ୍ୟ ଗତ ଏକ ବର୍ଷ ମଧ୍ୟରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିବେଶକୁ ଆକର୍ଷିତ କରିଛି ।ଖଣିଜ ଆଧାରିତ ଶିଳ୍ପ ଏବଂ ତାପଜ ବିଦ୍ୟୁତ୍ କେନ୍ଦ୍ର ଯୋଗୁଁ ଓଡ଼ିଶା ସାଧାରଣତଃ ଅସୁବିଧାର ସମ୍ମୁଖୀନ ହେଉଛି। ଟୋନି ବ୍ଲେୟାର ସ୍ଥାୟୀ ଶକ୍ତି ସମାଧାନକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସହିତ ନିରନ୍ତର ସହଯୋଗ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି।

ନେଟ୍ ଜିରୋ କାର୍ବନ ହାସଲ ପାଇଁ ଓଡ଼ିଶା ପ୍ରତିବଦ୍ଧ ଏବଂ ଏହାକୁ ହାସଲ କରିବା ପାଇଁ ଓଡ଼ିଶା ସର୍ବୋତ୍ତମ ଅନ୍ତର୍ଜାତୀୟ ମାନଦଣ୍ଡ ସହ ସମନ୍ୱିତ ଏକ ରଣନୈତିକ ଆଭିମୁଖ୍ୟ ଗ୍ରହଣ କରିବ ବୋଲି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି । ଏତଦବ୍ୟତୀତ, ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରୁ ଦାଦନ ଖଟିବାକୁ ଯାଉଥିବା ପ୍ରବାସୀ ପ୍ରସଙ୍ଗ ଉପରେ ମଧ୍ୟ ବୈଠକରେ  ଶ୍ରୀ ସିଂହଦେଓ ଆଲୋଚନା କରିଥିଲେ ।

ଓଡ଼ିଶା ସରକାରଙ୍କ କ୍ୟାବିନେଟ ଅନୁମୋଦିତ କୃତ୍ରିମ ବୁଦ୍ଧିମତା ନୀତିକୁ ଟୋନି ବ୍ଲେୟାର ପ୍ରତିଷ୍ଠାନ ସମର୍ଥନ କରିବା ସହ ପ୍ରଶଂସା ମଧ୍ୟ କରିଛନ୍ତି । ଟିବିଆଇର ପ୍ରାଦେଶିକ ନିର୍ଦ୍ଦେଶକ ବିବେକ ଅଗ୍ରୱାଲ ମନ୍ତବ୍ୟ ଦେଇଛନ୍ତି ଯେ, ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟାରେ ଓଡ଼ିଶାର ନେତୃତ୍ୱ ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଏକ ନୂତନ ମାନକ ସ୍ଥାପନ କରୁଛି। ଶକ୍ତି ମନ୍ତ୍ରୀଙ୍କ କମ୍ୟୁନିଟି ପ୍ରାକ୍ଟିସର ଶୁଭାରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ ଏବଂ ଟିବିଆଇ ଏହି ଯାତ୍ରାର ଏକ ଅଂଶୀଦାର ହୋଇ ଗର୍ବିତ।

ଟିବିଆଇର ଦେଶ ନିର୍ଦ୍ଦେଶକ ଶ୍ରୀ ବିବେକ ଅଗ୍ରୱାଲ, ଆଇଆଇଟି କାନପୁରର ଡିନ୍ , ପ୍ରଫେସର ସଚ୍ଚିଦାନନ୍ଦ ତ୍ରିପାଠୀ ଓ ଓଡ଼ିଶା ଶକ୍ତି ବିଭାଗର ବିତ୍ତୀୟ ପରାମର୍ଶଦାତା-ତଥା-ଅତିରିକ୍ତ ଶାସନ ସଚିବ ଶ୍ରୀ ଦେବୀଦତ୍ତ ତ୍ରିପାଠୀ, ଇଣ୍ଟେଣ୍ଟ ଲେଟରରେ ସ୍ୱାକ୍ଷର କରିଛନ୍ତି ।

-0-

ସୁଶ୍ରୀ ସଙ୍ଗୀତା ମହାରଣା ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *