ସଡକ ସୁରକ୍ଷା ସପ୍ତାହ ପାଳନ- ୨୦୨୪ ଉଦଯାପିତ

କେନ୍ଦ୍ରାପଡ଼ା, ୦୭/୦୧/୨୦୨୪ (ଓଡ଼ିଶା ସମାଚାର)- ଜିଲା ସଡ଼କ ସୁରକ୍ଷା ସମିତି ଆନୁକୂଲ୍ୟରେ ଆୟୋଜିତ ସଡ଼କ ସୁରକ୍ଷା ସପ୍ତାହ (୧ରୁ ୭ ଜାନୁଆରୀ)-୨୦୨୪ ପାଳନ ଉଦ୍ୟାପିତ ହୋଇଯାଇଛି । କେନ୍ଦ୍ରାପଡ଼ା ପୌରପରିଷଦ ଟାଉନ୍ ହଲ ଠାରେ ଜିଲା ପରିବହନ ଅଧିକାରୀ ଧୀରେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ପାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଅତିରିକ୍ତ ଜିଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ସଡ଼କ ସୁରକ୍ଷାର ସମସ୍ତ ନିୟମକୁ ମାନିବା ପାଇଁ ଆହ୍ୱାନ ଜଣାଇଥିଲେ । ଏହି ସପ୍ତାହ ପାଳନର ଥିମ୍ “ସଡ଼କ ସୁରକ୍ଷା, ପରିବାର ରକ୍ଷା” ଉପରେ ଏକ ସାରଗର୍ଭକ ସମ୍ଭାଷଣ ପ୍ରଦାନ କରିଥିଲେ ଉତ୍ସବର ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରଫେସର ନନ୍ଦ କିଶୋର ପରିଡ଼ା । ଏହି ଉପଲକ୍ଷେ ଆୟୋଜିତ ଚିତ୍ରାଙ୍କନ ଓ ସ୍ଲୋଗାନ୍ ପ୍ରତିଯୋଗିତାର କୃତୀ ୧୨ଜଣ ପ୍ରତିଯୋଗୀମାନଙ୍କୁ ନିମନ୍ତ୍ରିତ ଅତିଥିମାନେ ପ୍ରମାଣପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ଦୁର୍ଘଟଣାର ଗୋଲଡେନ୍ ଆୱାର୍ ରେ (ଦୁର୍ଘଟଣାର ୧ ଘଂଟା ମଧ୍ୟରେ) ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଡାକ୍ତରଖାନାରେ ପହଂଚାଇ ସେମାନଙ୍କ ଜୀବନ ରକ୍ଷା କରିବାରେ ଗୁରୁ ଦାୟିତ୍ୱ ତୁଲାଇଥିବା ୯ଜଣ ସୁନାଗରିକଙ୍କୁ “ଗୁଡ୍ ସମରିଟାନ୍ ଆୱାର୍ଡ଼” ପ୍ରଦାନ କରାଯାଇଥିଲା । ସେମାନଙ୍କୁ ଉତରୀୟ, ପ୍ରମାଣପତ୍ର ଓ ଫାଷ୍ଟଏଡ୍ କିଟ୍ ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ସହ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ, କର୍ମଚାରୀ ଓ ଅତିଥିଙ୍କୁ ସଡ଼କ ସୁରକ୍ଷାର ଶପଥପାଠ କରାଇଥିଲେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ । ଏହି ଉତ୍ସବରେ ଡିଆଇପିଆରଓ ଆଲୋକ କୁମାର ମହାନ୍ତି, ଏସଡିଆଇପିଆରଓ ଅଶୋକ ବଳିଆରସିଂହ, ବିଭିନ୍ନ ସ୍କୁଲ୍ ଓ କଲେଜ୍ ର ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହାକୁ ସଫଳ କରାଇବାରେ ଜିଲା ପରିବହନ କାର୍ଯ୍ୟାଳୟର ସେକ୍ସନ୍ ଅଫିସର୍ ପ୍ରଭାକର ରାଉତ ଓ କର୍ମଚାରୀମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ହେମନ୍ତ କୁମାର ରାଉତ । ଏହି ଉପଲକ୍ଷେ ଆଜି ତିନିମୁହାଣୀଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି ସଚେତନା ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ନିଲୁ ମହାପାତ୍ର । ସ୍କୁଲ କଲେଜ୍ ଛାତ୍ରଛାତ୍ରୀଙ୍କ ସହ ପଟ୍ଟାମୁଣ୍ଡାଇ ସବରେଜିଷ୍ଟ୍ରାର୍ ଅଶୋକ କୁମାର ମହାନ୍ତି, ଆରଟିଓ ଧୀରେନ୍ଦ୍ର କୁମାର ନାୟକ, କେନ୍ଦ୍ରାପଡ଼ା ଟାଉନ୍ ଥାନା ଆଇଆଇସି ଦିଲ୍ଲିପ କୁମାର ସାହୁ ପ୍ରମୁଖ ସ୍ଲୋଗାନ୍ ଦେଇ ଲୋକମାନଙ୍କୁ ସଚେତନ କରାଇଥିଲେ । ତିନିମୁହାଣୀରୁ ବାହାରିଥିବା ଏହି ରାଲି ନୂଆ ବସଷ୍ଟାଣ୍ଡ, କାକଟ, ବଡ଼ହାଟ ଦେଇ ମୁନିସିପାଲିଟି ଟାଉନ୍ ହଲ୍ ଠାରେ ପହଂଚିଥିଲା । ସୂଚନାଯୋଗ୍ୟ, ଜିଲା ସଡ଼କ ସୁରକ୍ଷା ସମିତି ଆନୁକୂଲ୍ୟରେ ଏହି ସପ୍ତାହ ପାଳନ ଅବସରରେ ଗାଡ଼ି ଚାଳକମାନଙ୍କର ମାଗଣା ଚକ୍ଷୁ ପରୀକ୍ଷା କରାଯିବା ସହ ଓଳାଭର ଓ ମାର୍ଶାଘାଇରେ ଦୁଇଟି ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ୪ଟି କଲେଜ୍ ରେ ମାଷ୍ଟର୍ ଟ୍ରେନର୍ ଦିପକ ଚୌଧୁରୀ ଦୁର୍ଘଟଣାର ଗୋଲଡେନ୍ ଆୱାର୍ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ କିପରି ଡାକ୍ତରଖାନାରେ ପହଂଚାଇ ଜୀବନରକ୍ଷା କରିହେବ ତାହାର କୌଶଳ ଶିଖାଇଥିଲେ । ଜିଲା ସଡ଼କ ସୁରକ୍ଷା ସମିତି ଗାଡ଼ିଚାଳକମାନଙ୍କୁ ମାଗଣା ଚା ବଂଟନ କରି ଅଭିନବ ଢଙ୍ଗରେ ସଚେତନତାର ବାର୍ତା ବାଂଟିଥିଲେ ।

Leave a Reply

Your email address will not be published. Required fields are marked *