ବୁଲା ବିକାଳୀ ବନାମ କୁଖ୍ୟାତ ଡକାୟତ
ବାଲିଗୁଡା,୦୪/୦୪/୨୬ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଅଞ୍ଚଳରେ ଏକ ତାଲା ପଡ଼ିଥିବା ଘରୁ ହୋଇଥିବା ଚୋରୀ ଜିନିଷ କୁ ଉଦ୍ଧାର କରିବା ସହ ଉକ୍ତ ଘଟଣା ରେ ସଂଶ୍ଲିଷ୍ଟ ଥିବା ତିନି ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ବାଲିଗୁଡା ଏସ ଡି ପି ଓ ଶୁଭମ ଭୋସଲେ ଏକ ଖବରଦାତା ସମ୍ମିଳନୀ ରେ ପ୍ରକାଶ କରିଛନ୍ତି ।
ଘଟଣା ରୁ ପ୍ରକାଶ ଯେ, କୋଟଗଡ ଥାନା ଅନ୍ତର୍ଗତ ରେଟାବାଲି ଗ୍ରାମର ପବିତ୍ର ନାୟକଙ୍କ ଏତଲା ପ୍ରକାରେ ମାର୍ଚ୍ଚ ମାସ ୨୨ ତାରିଖ ରେ ସେ ତାଙ୍କ ବ୍ୟକ୍ତିଗତ କାମ ପାଇଁ ନିକଟସ୍ଥ ବଣ୍ଡାପିପିଲି ବଜାରକୁ ଯାଇଥିଲେ ଏବଂ ତାଙ୍କ ପରିବାର ସଦସ୍ୟ ଘର ତାଲା ପକାଇ ମହୁଲ ଫୁଲ ସଂଗ୍ରହ କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଘରେ ପହଞ୍ଚିବା ପରେ ସେ ଦେଖିଲେ ଯେ, ତାଙ୍କ ଘରର ପଛ ଦ୍ୱାର ଖୋଲା ଥିଲା ଏବଂ ଘର ଯାଞ୍ଚ କରିବା ସମୟରେ ଏକ ବାକ୍ସରେ ରଖାଯାଇଥିବା ସୁନା ଏବଂ ରୂପା ଅଳଙ୍କାର ଏବଂ ନଗଦ ଥିବା ଏକ ଲକ୍ଷ ଟଙ୍କା ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଏ ନେଇ ଶ୍ରୀ ନାୟକ ସଙ୍ଗେ ସଙ୍ଗେ ମାର୍ଚ୍ଚ ୨୩ ତାରିଖ ରେ କୋଟଗଡ ଥାନା ରେ ଏତଲା ଦାଏର କରିଥିଲେ । କୋଟଗଡ଼ ଥାନା କେସ ନଂ.-୫୩/୨୬ ଓ ଦଫା ୟୁ ଏସ ୩୩୧ (୩) / ୩୦୫ (ଏ) ବି ଏନ ଏସ ପ୍ରକାରେ ଏତଲା କୁ ଭିର୍ତ୍ତି କରି କୋଟଗଡ ପୋଲିସ ଏସ ଆଇ ଜିତେନ୍ଦ୍ର କୁମାର ବେହେରା ତଦନ୍ତ ଅବ୍ୟାହତ ରଖି ମୋବାଇଲ୍ ଟ୍ରାକିଙ୍କ ତଥା ବୈଷୟିକ ତଥ୍ୟ ବିଶ୍ଳେଷଣ କରି ମାମଲାର ତଦନ୍ତ କରିବା ସମୟରେ ସନ୍ଦିଗ୍ଧ ବ୍ୟକ୍ତି ପ୍ରତାପ ଜାନି (୨୧), ଚଇତୁ ଜାନି (୧୮) ଓ ମିଲୁ ଜାନି (୨୩) ଚିହ୍ନଟ ହୋଇଥିଲେ।
ସେମାନଙ୍କ ଚରିତ୍ର ଯାଞ୍ଚ କରିବା ପରେ, ସେମାନେ ପୂର୍ବରୁ ବିଭିନ୍ନ ଜିଲ୍ଲାର ବିଭିନ୍ନ ଥାନାରେ ବିଭିନ୍ନ ଚୋରି ମାମଲାରେ ଜଡିତ ଥିବା ଜଣାପଡିବାରୁ କନ୍ଧମାଳ ର ସାଇବର ସେଲ୍ ସହାୟତାରେ ପୋଲିସ ସେମାନଙ୍କୁ ଗିରଫ କରିଥିଲେ । ଉକ୍ତ ଅଭିଯୁକ୍ତ ମାନଙ୍କୁ ପଚରା ଉଚରା କରିବା ପରେ ସେମାନେ ସ୍ୱୀକାର କରିଥିଲେ ଯେ, ସେମାନେ ଆଦିବାସୀ ଅଞ୍ଚଳର ବିଭିନ୍ନ ଆଭ୍ୟନ୍ତରୀଣ ଇଲାକାରେ ବିଭିନ୍ନ ପକେଟରେ ସୁନ୍ଦର ସୁନ୍ଦର ଜିନିଷ ବିକ୍ରି କରନ୍ତି। ମାର୍ଚ୍ଚ ୨୨ ରେ ଏହି ତିନି ଅଭିଯୁକ୍ତ ରେଟାବାଲି ଗ୍ରାମକୁ ଯାଇଥିଲେ ଏବଂ ସେମାନେ ଦେଖିଲେ ଯେ ଗୋଟିଏ ଘର ତାଲା ପଡ଼ିଛି ଏବଂ ନିକଟବର୍ତ୍ତୀ ଅଞ୍ଚଳରେ କେହି ନାହାଁନ୍ତି। ଏହା ଦେଖି ପ୍ରତାପ ଜାନି ଏବଂ ଚୈତୁ ଜାନି ପବିତ୍ର ନାୟକଙ୍କ ଘରେ ପ୍ରବେଶ କଲେ ଏବଂ ମିଲୁ ଜାନି ବାହାରେ ରହି କୌଣସି ବ୍ୟକ୍ତିଙ୍କ ଗତିବିଧି ଲକ୍ଷ୍ୟ କରୁଥିଲେ ।
ସେମାନେ ଏକ ବାକ୍ସରେ ରଖାଯାଇଥିବା ସୁନା ରୂପା ଅଳଙ୍କାର ଏବଂ ନଗଦ ଏକ ଲକ୍ଷ ଟଙ୍କା ଚୋରି କରି ନେଇଥିଲେ ଏବଂ ତା’ପରେ ସେମାନେ ବାକ୍ସଟିକୁ ମୁନିଗୁଡା ଯିବା ରାସ୍ତା ପାଖରେ ଥିବା ଏକ ଜଙ୍ଗଲରେ ଫିଙ୍ଗି ଦେଇଥିଲେ ବୋଲି ଅଭିଯୁକ୍ତ ମାନେ ପ୍ରକାଶ କରିଛନ୍ତି । ଗିରଫ ତିନି ଅଭିଯୁକ୍ତ ମାନେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ତୁମ୍ବରଲା ଗ୍ରାମ ଜାନି ସାହିର ପ୍ରତାପ ଜାନି (୨୧), ଚଇତୁ ଜାନି (୧୮), ମିଲୁ ଜାନି (୨୩) ବୋଲି ପୋଲିସ ପ୍ରକାଶ କରିଥିବା ବେଳେ ସେମାନଙ୍କ ନିକଟରୁ ମଙ୍ଗଳସୂତ୍ରର ସୁନା ଫୁଲ ୦୪ ଟି, ସୁନା କାନ ମୁଦି ଗୋଟିଏ ଯୋଡ଼ା, ରୂପା ହାତ ମୁଦି ୦୯ ଖଣ୍ଡ , ରୂପା କଙ୍କଣ ଗୋଟିଏ , ରୂପା ଚେନ ଦୁଇଟି , ମୋଟର ସାଇକେଲ ଦୁଇଟି, ଚୋରି ଟଙ୍କାରୁ ତିନୋଟି ମୋବାଇଲ୍ ଫୋନ୍ କିଣା ଯାଇ ଥିଲା ତାକୁ ମଧ୍ୟ ଜବତ କରାଯାଇଛି ଏବଂ ନଗଦ ପଚିଶ ହଜାର ସାତ ଶହ କୋଡ଼ିଏ ଟଙ୍କା (୨୫୭୨୦/-) ସହ ଏହି ସମସ୍ତ ଚୋରି ଜିନିଷ ଗୁଡ଼ିକ ଯେଉଁ ବାକ୍ସରେ ରଖାଯାଇଥିଲା ତାକୁ ମଧ୍ୟ ଜବତ କରାଯାଇଥିବା ବିଷୟ ଏସ ଡି ପି ଓ ପ୍ରକାଶ କରିଥିଲେ ।
