ମାହାଙ୍ଗା, ୧୦/୦୬/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବହୁ ପୁରାତନ ହସ୍ପିଟାଲ ନଡ଼ିଆ ସାହସପୁରରେ ରୋଗୀସେବା ବିପର୍ୟ୍ୟସ୍ତ ହୋଇପଡିଛି ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା ।
ଏଠାରେ ନିଯୁକ୍ତି ପାଇଥିବା ଡାକ୍ତର, ଫର୍ମାସିଷ୍ଟ, ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ନିୟମିତ ଭାବେ ହସ୍ପିଟାଲ ନଆସିବା ଓ ବିଳମ୍ବରେ ଆସୁଥିବା ନେଇ ସ୍ଥାନୀୟ ବିଧାୟକଙ୍କ ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା ।
ମଙ୍ଗଳବାର ସକାଳ ୮ ଟା ୨୦ ମିନିଟ ରେ ଅଚାନକ ନଡିଆସାହସପୁର ସରକାର ହସ୍ପିଟାଲରେ ସ୍ଥାନୀୟ ବିଧାୟକ ଶାରଦା ପ୍ରଧାନ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ ।
ବିଧାୟକ ଶ୍ରୀ ପ୍ରଧାନ ରୋଗୀ ମାନଙ୍କୁ ଭେଟି ସେମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳୁଛି କି ନାହିଁ ସେ ବାବଦରେ ପଚାରି ବୁଝିଥିଲେ । ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ମାନେ ଠିକ ସମୟରେ ହସ୍ପିଟାଲରେ ପହଂଚୁଛନ୍ତି କି ନାହିଁ ଏହାର ବାସ୍ତବ ଚିତ୍ର ଅନୁଧ୍ୟାନ ମଧ୍ୟ କରିଥିଲେ । ରୋଗୀ ମାନଙ୍କୁ ନିରାମୟ ଯୋଜନାରେ ମାଗଣା ଔଷଧ ଦିଆଯିବା ଉପରେ ଗୁରୁତ୍ୱ ଦେବାକୁ ବିଧାୟକ ପରାମର୍ଶ ଦେଇଥିଲେ ।
ତେବେ ମେଡିକାଲ ଅଫିସର ଏବଂ ଅନ୍ୟ ସମସ୍ତ କର୍ମଚାରୀ ମାନଙ୍କୁ ସକାଳ ୮ ଟା ପୂର୍ବରୁ ହସ୍ପିଟାଲରେ ପହଂଚିବାକୁ ବିଧାୟକ ତାଗିଦ କରିଥିଲେ । ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ଏହି ହସ୍ପିଟାଲର ବିଭିନ୍ନ ଅବ୍ୟବସ୍ଥା ନେଇ ଆଲୋଚନା କରାଯାଇଥିଲା ।
ଯେଉଁ କର୍ମଚାରୀ ମାନେ ସରକାରୀ ନୀତି ନିୟମକୁ ଉଲଂଘନ କରୁଛନ୍ତି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯିବାକୁ ବିଧାୟକ ସିଡିଏମଓ ଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଥିଲା ।
ବିଧାୟକଙ୍କ ଗସ୍ତ ପରେ ହସ୍ପିଟାଲରେ କାର୍ୟ୍ୟ କରୁଥିବା ସମସ୍ତ କର୍ମଚାରୀ ତତ୍ପର ହେବା ଦେଖିବାକୁ ମିଳିଥିଲା । ଆଗାମୀ ଦିନରେ ନଡ଼ିଆ ସାହସପୁର ହସ୍ପିଟାଲରେ ରୋଗୀ ସେବାରେ ସାମାନ୍ୟ ତ୍ରୁଟି ହେବନି ବୋଲି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ପ୍ରତିଶୃତି ଦେଇଥିଲେ ।