କଟକ,୧୦/୦୪/୨୦୨୫(ଓଡ଼ିଶା ସମାଚାର)- ଓଡ଼ିଆ ପକ୍ଷ ପାଳନ ଅବସରରେ ଏସସିବି ମେଡିକାଲ କଲେଜ ହସ୍ପିଟାଲ ରକ୍ତ କେନ୍ଦ୍ରରେ ରକ୍ତଦାନ ଅଭିଯାନ ଶିବିର ଆୟୋଜିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ୧୮୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି । ରକ୍ତଦାନ ଜୀବନ ଦାନ ସହ ସମାନ । ରକ୍ତ ବିନା ମଣିଷ ବଂଚି ପାରିବ ନାହିଁ । ସ୍ୱେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଆ ପକ୍ଷ ଅବସରରେ ଏହି ଅଭିଯାନ କରାଯାଇଛି ।
ରକ୍ତଦାନ କିପରି ଅମୁଲ୍ୟ ଜୀବନ କୁ ବଂଚାଇବାରେ ସାହାଯ୍ୟ କରିଥାଏ ଏହି ଅବସରରେ ରକ୍ତକେନ୍ଦ୍ରର କର୍ମଚାରୀମାନେ ସଚେତନତା ସୃଷ୍ଟି କରିଥିଲେ । ଗ୍ରୀଷ୍ମଋତୁରେ ସାଧାରଣତଃ ରକ୍ତ ସଂକଟ ସୃଷ୍ଟି ହୋଇଥାଏ । ବିଶେଷ କରି ଥାଲାସେମିଆ ରୋଗୀ, ଦୁର୍ଘଟଣାରେ ପୀଡ଼ିତ ବ୍ୟକ୍ତି, କର୍କଟରୋଗୀ, ଗର୍ଭବତୀ ଓ ପ୍ରସୂତିଙ୍କ ପାଇଁ ରକ୍ତର ଆବଶ୍ୟକତା ପଡ଼ିଥାଏ । ଏଣୁ ଜିଲା ରକ୍ତକେନ୍ଦ୍ରରେ ରକ୍ତ ସଂକଟ ଏଡ଼ାଇବା ପାଇଁ ରକ୍ତଦାନ ଶିବିର ଆୟୋଜିତ ହୋଇଥାଏ ।
ଚଳିତବର୍ଷ ରାଜ୍ୟ ସରକାରଙ୍କ ଆହ୍ୱାନକ୍ରମେ ଆୟୋଜିତ ରକ୍ତଦାନ ଅଭିଯାନ କାର୍ଯ୍ୟକ୍ରମ ଆବଶ୍ୟକ ରକ୍ତସଂକଟ ଦୂର କରିବାରେ ସହାୟକ ହୋଇପାରିଛି ବୋଲି ମତପ୍ରକାଶ ପାଇଛି । ଟ୍ରାନ୍ସଫୁ୍ୟଜନ୍ ମେଡ଼ିସିନ ବିଭାଗୀୟ ମୁଖ୍ୟ ପ୍ରଫେସର ସ୍ମିତା ମହାପାତ୍ର, ଆସୋସିଏଟ୍ ପ୍ରଫେସର ଡାକ୍ତର ସୁମିତ୍ରା ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଶିବିର ପରିଚାଳିତ ହୋଇଥିଲା ।