ଯାଜପୁର,୧୦/୦୬/୨୦୨୫ (ଓଡ଼ିଶା ସମାଚାର)- ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠତ ହୋଇଯାଇଅଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଅଧ୍ୟକ୍ଷତା କରି କହିଲେ ଧରତିଆବା ଜନ ଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଯାଜପୁର ଜିଲ୍ଲା ଅନ୍ତର୍ଗତ ସୁକିନ୍ଦା, ଦାନଗଦି, କୋରେଇ, ଧର୍ମଶାଳା ଓ ବଡ଼ଚଣା ବ୍ଲକ୍ ର ୬୭ ଟି ଆଦିବାସୀ ବହୁଳ ଗ୍ରାମରେ ଆରମ୍ଭ କରାଯାଇଅଛି।
ଏହି ଗ୍ରାମ ମାନଙ୍କ ମଧ୍ୟରୁ ସୁକିନ୍ଦା ବ୍ଲକରେ ୩୪ ଟି ଗ୍ରାମ, ଦାନଗଦି ବ୍ଲକରେ ୧୬ ଟି ଗ୍ରାମ, କୋରେଇ ବ୍ଲକରେ ୫ ଟି ଗ୍ରାମ, ଧର୍ମଶାଳା ବ୍ଲକରେ ୫ ଟି ଗ୍ରାମ ଓ ବଡ଼ଚଣା ବ୍ଲକରେ ୭ ଟି ଗ୍ରାମ ଅନ୍ତର୍ଭୁକ୍ତ ଅଟେ। ଏହି ଗ୍ରାମ ମାନଙ୍କରେ ୧୩ ଟି ବିଭାଗ ଓ ୧୭ ଗୋଟି ମନ୍ତ୍ରଣାଳୟର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯିବା ସହିତ ସମସ୍ତ ଆଦିବାସୀ ଲୋକ ମାନଙ୍କର ଅର୍ଥନୈତିକ, ସାମାଜିକ ଏବଂ ବୌଦ୍ଧିକ ବିକାଶ କରାଯିବା ପାଇଁ ଲକ୍ଷ ରଖାଯାଇଛି।
ଏହାର ସଫଳ ରୂପାୟନ ପାଇଁ ଆସନ୍ତା ତା ୧୨.୦୬.୨୦୨୫ ରିଖ ରୁ ତା ୨୭.୦୬.୨୦୨୫ ରିଖ ପଯ୍ୟନ୍ତ ଉପରୋକ୍ତ ୬୭ ଗୋଟି ଆଦିବାସୀ ବହୁଳ ଗ୍ରାମ ମାନଙ୍କରେ ଧରତିଆବା ଜନ ଭାଗିଦାରୀ ଅଭିଯାନ ଆରମ୍ଭ କରାଯାଉଅଛି। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଯୋଜନାରେ ପାଇବାରୁ ବଞ୍ଚିତ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ଵାରା ଚିହ୍ନଟ କରାଯାଇ ସଂପୃକ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ପଦକ୍ଷେପ ନିଆଯିବ।
ତେଣୁ ଉକ୍ତ ସଚେତନତା ଏବଂ ହିତାଧିକାରୀ ପରିପୂର୍ଣ୍ଣତା ଶିବିରରେ ସର୍ବସାଧାରଣ ଯୋଗଦେଇ ସରକାରଙ୍କ ସମସ୍ତ ଯୋଜନାରେ ସାମିଲ ହେବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଉଛି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ଯୁଧିଷ୍ଠିର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ଅମିୟ ପ୍ରସାଦ ତ୍ରିପାଠୀ ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।
