ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଦୁଇ ପୂ୍ର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର,୦୧/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଦ୍ୟା ଭାରତୀ,ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ବିଶିଷ୍ଟ ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତା ଦ୍ଵୟ ତଥା ପ୍ରାନ୍ତ ନିରୀକ୍ଷକ ଶ୍ରୀମାନ ପ୍ରସନ୍ନ କୁମର ବିଶ୍ଵାଳ ଏବଂ ରାଉରକେଲା ବିଭାଗ ନିରୀକ୍ଷକ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ର ସେବା କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି। ସଂପୃକ୍ତ ସେବାବ୍ରତୀ ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତା ଅବସର କାଳୀନ ସମ୍ବର୍ଦ୍ଧନା ସଭା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ବଡଗଡ ବ୍ରୀଟ କଲୋନୀ, ଭୁବନେଶ୍ବର ଠାରେ ଅନୁଷ୍ଠିତ ହୋଇଥିଲା।

ସମ୍ବର୍ଦ୍ଧନା ସଭାରେ ବିଦ୍ୟା ଭାରତୀ ସଙ୍ଗଠନ ମନ୍ତ୍ରୀ ଶ୍ରୀମାନ ଗୋବିନ୍ଦ ଚନ୍ଦ୍ର ମହାନ୍ତ, ବିଦ୍ୟା ଭାରତୀ, ପୂର୍ବ କ୍ଷେତ୍ରର ସଂଗଠନ ମନ୍ତ୍ରୀ ଶ୍ରୀମାନ ଆନନ୍ଦ ରାଓ ପରର୍ଦ୍ଧୀ, ପୂର୍ବ କ୍ଷେତ୍ରର କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମାନ ଦିବାକର ଜୀ ଘୋଷ, ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଅଧ୍ୟକ୍ଷ ଡ଼ଃ କିଶୋର ଚନ୍ଦ୍ର ମହାନ୍ତି, ସମ୍ପାଦକ ଡଃ ସରୋଜ କୁମାର ହାତୀ, ସଙ୍ଗଠନ ମନ୍ତ୍ରୀ ଶ୍ରୀମାନ ତାରକଦାସ ସରକାର, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ପଟ୍ଟନାୟକ ଆଦି ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସମ୍ବର୍ଦ୍ଧନା ସଭାର ଭବ୍ୟତା ବଢ଼ାଇଥିଲେ। ପୂର୍ଣ୍ଣକାଳୀନ ଦ୍ଵୟଙ୍କ ସେବାକାଳର ବିଶେଷ ମୁହୂର୍ତ୍ତର ସ୍ମୃତି ଚାରଣ କରିଥିଲେ।

ଏଥି ସହିତ ବିଦାୟୀ କାର୍ଯ୍ୟକର୍ତ୍ତା ଶ୍ରୀମାନ ପ୍ରସନ୍ନ କୁମର ବିଶ୍ଵାଳ ଏବଂ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ର ନିଜ ନିଜର ସେବାବ୍ରତୀ ଜୀବନର ଅନୁଭବ ବ୍ୟକ୍ତ କରିଥିଲେ। ଏହି ଭବ୍ୟ ସମାରୋହରେ ସମସ୍ତ ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି  ଭାବାବେଗ ସହ ଉଭୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପରିଶେଷରେ ଶ୍ରୀମାନ ପ୍ରସନ୍ନ କୁମର ବିଶ୍ଵାଳ ଓ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ରଙ୍କ ଅବସରକାଳୀନ ଜୀବନ ମଙ୍ଗଳମୟ ହେଉ,ସମ୍ମୁଜ୍ବଳ ହେଉ ବୋଲି  ଶିକ୍ଷା ବିକାଶ ସମିତି ଓଡ଼ିଶା ପରିବାର ତରଫରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମ ରେ ପ୍ରାର୍ଥନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *