ପ୍ରଥମ ବିଜେପି ବିଧାୟକ ପ୍ରସନ୍ନ ପଟ୍ଟନାୟକ ଙ୍କ ପରଲୋକ

ଭୁବନ ରେ ଶୋକର ଛାୟା

ଭୁବନ, ୩୦ /୦୫/୨୦୨୫ (ଓଡ଼ିଶା ସମାଚାର)-  କାମାକ୍ଷାନଗର ର ପୂର୍ବତନ ବିଧାୟକ ତଥା ଓଡ଼ିଶାର ପ୍ରଥମ ବିଜେପି ବିଧାୟକ (୧୯୮୫) ଶ୍ରୀଯୁକ୍ତ ପ୍ରସନ୍ନ ପଟ୍ଟନାୟକ (୭୬) ଙ୍କର ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ଵରସ୍ଥିତ ଏକ ଘରୋଇ ( କିମସ) ହସ୍ପିଟାଲ ରେ ଚିକିତ୍ସାଧିନ ଥିବା ଅବସ୍ଥାରେ ଆଜି ଶୁକ୍ରବାର ଭୋର ୪.୪୫ ମିନିଟ ସମୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ଥିଲେ ।

ସ୍ବର୍ଗତ ପ୍ରସନ୍ନ ପଟ୍ଟନାୟକ ୧୯୭୭,୧୯୮୫ ଓ ୧୯୯୦ ରେ କାମାକ୍ଷା ନଗର ରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ମର ଶରୀରକୁ ପ୍ରଥମେ ବିଧାନସଭା ପ୍ରାଙ୍ଗଣ ଓ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ନିଆଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସମେତ ମନ୍ତ୍ରୀ,ବିଧାୟକ ଗଣ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ପରେ ଢେ଼ଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟ ଓ କାମାକ୍ଷା ନଗର ଦେଇ ଶେଷରେ ଭୁବନ ଅଣାଯାଇଥିଲା ।

ପଟଶିଷ୍ୟ ଭୁବନ ମହିଳା ମହା ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀମାନ ଦିଲ୍ଲୀପ କୁମାର ଦାସ ଙ୍କ ନେତୃତ୍ୱ ଓ ପୂର୍ବତନ ଜିଲ୍ଲା ବିଜେପି ସଭାପତି ବରିଷ୍ଠ ନେତା ପ୍ରେମାନନ୍ଦ ଜେନା ଙ୍କ ସହଯୋଗରେ ଭୁବନ କାଳୀ ବଜାର ସ୍ଥିତ ବିଜେପି କାର୍ଯ୍ୟାଳୟ କୁ ଅଣାଯାଇଥିଲା ।ପ୍ରତିକୂଳ ପାଗ ସତ୍ତ୍ବେ ଶତାଧିକ ଲୋକ ଶେଷ ଦର୍ଶନ ଓ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।

କାମାକ୍ଷା ନଗର ବିକାଶ ର ମହା ନାୟକ ପ୍ରସନ୍ନ ପଟ୍ଟନାୟକ ଅମର ରହେ ନାରା ବାଜିରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା। ଭୁବନ ବାସୀ ପ୍ରିୟ ନେତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଅନ୍ତିମ ସଂସ୍କାର ପାଇଁ ପୁରୀ ସ୍ଵର୍ଗଦ୍ଵାର ନିଆଯାଇଥିଲା । ସ୍ବର୍ଗତ ପ୍ରସନ୍ନ ପଟ୍ଟନାୟକ ଛାତ୍ର ନେତା ରୁ ରାଜନେତା ହୋଇପାରିଥିଲେ ।

୧୯୭୪ ମସିହାରେ ଜରୁରୀ ପରିସ୍ଥିତିରେ ମହାନ୍ କ୍ରାନ୍ତିକାରୀ ନେତା ଜୟ ପ୍ରକାଶ ନାରାୟଣ ଙ୍କ ସମ୍ପୂର୍ଣ କ୍ରାନ୍ତି ଆନ୍ଦୋଳନରେ ସାମିଲ ହୋଇଥିଲେ ଓ ମିଶା ଆଇନ ରେ ଗିରଫ ହୋଇ ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଜେଲ ରେ ବନ୍ଦୀ ଜୀବନ ବିତାଇଥିଲେ। ୧୯୭୭ ମସିହାରେ ବିଜୁ ପଟ୍ଟନାୟକ ଙ୍କ ଜନତା ପାର୍ଟି ରେ ସାମିଲ ହୋଇ ମାତ୍ର ୨୮ ବର୍ଷ ବୟସ ରେ କାମାକ୍ଷା ନଗର ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

୧୯୮୦ ମସିହାରେ ଜନତା ଦଳ ଭାରତୀୟ ଜନ ସଂଘ ରେ ବିଲୀନ ହୋଇ ଯାଇଥିଲା ଓ ପ୍ରସନ୍ନ ବାବୁ ସେଥିରେ ସାମିଲ ହୋଇଥିଲେ । ୧୯୮୪ ମସିହାରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧି ଙ୍କ ନିଧନ ପରେ ସାରା ଭାରତ ରେ ଯେତେବେଳେ କଂଗ୍ରେସ ଲହରି ସୃଷ୍ଟି ହୋଇଥିଲା, ପ୍ରସନ୍ନ ବାବୁ ସେତେବେଳେ ଓଡ଼ିଶାର ପ୍ରଥମ ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇ ବିରଳ ରେକର୍ଡ ସୃଷ୍ଟି କରିଥିଲେ । ୧୯୮୯ ମସିହାରେ ବିଜୁ ପଟ୍ଟନାୟକ ଙ୍କ ନେତୃତ୍ଵରେ ଜନତା ଦଳ ପ୍ରତିଷ୍ଠା ହେବା ପରେ ପ୍ରସନ୍ନ ବାବୁ ପୁନଶ୍ଚ ଜନତା ଦଳ ଟିକେଟ ରେ ବିଜୟୀ ହୋଇଥିଲେ ।

୧୯୯୦- ୧୯୯୫ ମଧ୍ୟରେ କାମାକ୍ଷା ନଗର ନିର୍ବାଚନ ମଣ୍ଡଳୀରେ ଶିକ୍ଷା ଓ ସ୍ଵାସ୍ଥ୍ୟ ର ବୈପ୍ଲବିକ ପରିବର୍ତ୍ତନ କରିଥିଲେ । ଭୁବନ ମହିଳା ମହାବିଦ୍ୟାଳୟ,ବାଲୁଙ୍କେଶ୍ୱର ମହାବିଦ୍ୟାଳୟ,କାମାକ୍ଷା ନଗର ମହିଳା ମହାବିଦ୍ୟାଳୟ, ବିରାଶାଳ ମହାବିଦ୍ୟାଳୟ, ପାରିମାଳ ମହାବିଦ୍ୟାଳୟ ସହିତ ୩୦ ରୁ ଉର୍ଦ୍ଧ୍ବ ଉଚ୍ଚ ବିଦ୍ୟାଳୟ ଓ ୨୦ ରୁ ଉର୍ଦ୍ଧ୍ବ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରିଥିଲେ । ସେ ଜଣେ ଦୂରଦ୍ରଷ୍ଟା,ଲୋକପ୍ରିୟ ନେତା ଓ ଦୃଢ଼ ସଂଗଠକ ଥିଲେ ।

ଦୀର୍ଘ ୩୦ ବର୍ଷ ହେଲା କ୍ଷମତାରୁ ବାହାରେ ଥିବା ସତ୍ତ୍ବେ ଏବେ ବି ସମଗ୍ର ନିର୍ବାଚନ ମଣ୍ଡଳୀରେ ତାଙ୍କର ହଜାର ହଜାର ସମର୍ଥକ ରହିଛନ୍ତି । ପ୍ରସନ୍ନ ବାବୁ ଙ୍କ ବିୟୋଗ ଅପୂରଣୀୟ କ୍ଷତି ଓ ତାଙ୍କ କାର୍ଯ୍ୟକାଳ ମଧ୍ୟରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ଅନେକ ଲୋକ କଲ୍ୟାଣ କାର୍ଯ୍ୟ କରିଯାଇଛନ୍ତି, ଯାହା ତାଙ୍କୁ ସବୁଦିନେ ମନେ ରଖିବ ବୋଲି ବୁଦ୍ଧିଜୀବୀ ଓ ରାଜନୀତିଜ୍ଞ ମହଲରେ ଆଲୋଚନା ହେଉଛି ଏବଂ ସାରା ଭୁବନ ରେ ଗଭୀର ଶୋକ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *