ଜାତୀୟ ସୁନାମି ମାନ୍ୟତା ବୋର୍ଡର ବୈଠକ

ଭୁବନେଶ୍ୱର, ୨୪/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓ.ଏସ.ଡି.ଏମ.ଏ ର ପରିଚାଳନା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଜାତୀୟ ସୁନାମି ମାନ୍ୟତା ବୋର୍ଡର ସଦସ୍ୟମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ୪୮୦ କିମି ସୂଦୀର୍ଘ ସମୁଦ୍ରତଟ ଥିବାବେଳେ ଭବିଷ୍ୟତରେ ପାଶ୍ୱର୍ବର୍ତ୍ତୀ ଜନବସତି ପ୍ରତି ସୁନାମି ବିପଦ ରହିଛି । ଏଥିରେ ଲୋକମାନଙ୍କୁ ରକ୍ଷା କରିବା ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି । ଏଥି ପାଇଁ ୬ଟି ସମୁଦ୍ର କୂଳବର୍ତ୍ତୀ ଜିଲ୍ଲାର ୨୪ଟି ଗାଁକୁ ‘ସୁନାମି ରେଡ଼ି’ ଗ୍ରାମ ରୂପେ ରୂପାନ୍ତରଣ କରାଯାଇ ଏହିସବୁ ଗ୍ରାମକୁ ସୁନାମି ରେଡ଼ି ଗ୍ରାମ ରୂପେ ମାନ୍ୟତା ଦେବା ପାଇଁ ଜାତୀୟ ସୁନାମି ମାନ୍ୟତା ବୋର୍ଡ ନିକଟରେ ଆବେଦନ କରାଯାଇଛି । ବୋର୍ଡର ପ୍ରତିନିଧିମାନେ ଏହିସବୁ ଅଞ୍ଚଳ ଗସ୍ତ କରି ଆଜି ଏହି ବୈଠକରେ ଉପସ୍ଥିତ ହୋଇଥିଲେ । ସେହିପରି ଗଞ୍ଜାମ ଓ ଜଗତସିଂହପୁର ଜିଲ୍ଲାର ୨ଟି ସୁନାମି ରେଡ଼ି ଗ୍ରାମକୁ ପୁନଃତାଲିକାଭୁକ୍ତ କରିବା ପାଇଁ ବୋର୍ଡ ନିକଟରେ ଅନୁରୋଧ କରାଯାଇଛି ।

          ଏହି ବୈଠକରେ ଭାରତୀୟ ଜାତୀୟ ସାମୁଦି୍ରକ ସୂଚନା ଦେବା କେନ୍ଦ୍ର (INCOIS) ର ନିର୍ଦ୍ଦେଶକ ଏବଂ ଅନ୍ୟ ବରିଷ୍ଠ ବୈଜ୍ଞାନିକବୃନ୍ଦ ଯୋଗଦେବା ସହିତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଗୁଜୁରାଟ ଏବଂ ବିଶ୍ୱବ୍ୟାଙ୍କର ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ବୈଠକରେ ଭର୍ଚୁଆଲ୍‌ ମାଧ୍ୟମରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (NDMA), ଭୂ-ବିଜ୍ଞାନ ମନ୍ତ୍ରାଳୟ, ୟୁନେସ୍କୋର ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ ଓ ସୁଇଜରଲ୍ୟାଣ୍ଡ ଇତ୍ୟାଦି ଦେଶର ପ୍ରତିନିଧି ଯୋଗ ଦେଇଥିଲେ । ଏହି ବୈଠକକୁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପରିଚାଳନା କରିଥିଲେ । ଏହି ବୈଠକରେ ଓଡ଼ିଶାର ୬ଟି ଉପକୂଳ ଜିଲ୍ଲାର ୨୪ ଗ୍ରାମକୁ (ବାଲେଶ୍ୱର- ଜୟଦେବକସବା ପାହି, ଜଗନ୍ନାଥପୁର, କନ୍ୟାନଗରୀ, ସାହାପୁର ଭଦ୍ରକ- ମୋହନପୁର, ଓଢ଼ୁଆଁ, କୃଷ୍ଣପୁର, ବଡହାବେଳୀସାହି କେନ୍ଦ୍ରାପଡା- କଣ୍ଟିଲୋ, ତନ୍ତିଆପାଳ ଶାସନ, କଇଥା, ଚିଂଚିରି ଜଗତସିଂହପୁର-ବାଘେଇପୁର, ଧନୁହରବେଲାରୀ, ସାହାଡ଼ାବେଦି, ଭୁଇଁଆପାଳ ପୁରୀ- ନରସିଂହପୁରପଟନା, କେଉଁଟଜଙ୍ଗା, ଛୋଟିପଡା, ଖାଲକଟା ଏବଂ ଗଂଜାମ- କଣ୍ଟିଆଗଡ, ପ୍ରାୟୋଗି, ଉପଲାପୁଟି, ମାର୍କଣ୍ଡି ) ସୁନାମି ପ୍ରସ୍ତୁତି ମାନ୍ୟତା ପାଇଁ ଆବେଦନ ଏବଂ ମାନ୍ୟତା ପ୍ରାପ୍ତ ୨ ଗୋଟି ଗ୍ରାମର (ଗଂଜାମ- ଭେଙ୍କଟରାୟପୁର ଏବଂ ଜଗତସିଂହପୁର- ନୋଳିଆସାହି) ମାନ୍ୟତା ନବୀକରଣ ଉପରେ ବିଶେଷ ବିଶ୍ଳେଷଣ କରିବା ସହିତ ଏହି ଗ୍ରାମଗୁଡିକ ବିଷୟରେ କ୍ଷେତ୍ର ପରିଦର୍ଶନରେ ଯାଇଥିବା ଔକ୍ତଈକ୍ସଔଗର ବୈଜ୍ଞାନିକମାନେ ସେମାନଙ୍କର ବିଶେଷ ଅନୁଭୂତି ବିଷୟରେ ଆଲୋଚନା କରିଥିଲେ । ସୁନାମି ପ୍ରସ୍ତୁତି ମାନ୍ୟତା ପାଇଁ ଏହି ୨୬ ଗ୍ରାମରେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରଯାଇଥିଲା । ଏଥିସହିତ ଅନ୍ତର୍ଜାତୀୟ ସ୍ତରର ପ୍ରତିନିଧିମାନେ ସେମାନଙ୍କର ବିଭିନ୍ନ ବୈଷୟିକ ମନ୍ତବ୍ୟ ଦେବା ସହିତ ବିଭିନ୍ନ ଦଲିଲ୍‌କୁ ଅନ୍ତର୍ଜାତୀୟ ସୁନାମି ପ୍ରସ୍ତୁତି ବୋର୍ଡକୁ ପଠାଇବା ପାଇଁ ଅନୁରୋଧ କରିଛନ୍ତି । ଓଡ଼ିଶାର ସୁନାମି ପ୍ରସ୍ତୁତିକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ ।

 -0-

ବିଭୂତି ନାୟକ,ସୂଚନା ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *