ନିମାପଡ଼ାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ମାରାଥନ କାର୍ଯ୍ୟକ୍ରମ

– ପାଳିତ ହେଲା ପୁଣ୍ୟଶ୍ଳୋକ ରାଣୀ ଅହିଲ୍ୟାବାଇ ହୋଲକରଙ୍କ ୩୦୦ତମ ଜୟନ୍ତୀ କର୍ମଶାଳା

– ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ମୁଖ୍ୟ କଂକ୍ରିଟ ନଳାର ନିର୍ମାଣ ନିମନ୍ତେ ପ୍ରଥମ ପର୍ଯ୍ୟାୟର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ

– ଭେଣ୍ଡିଂ ଯୋନରେ ୨୧ ଜଣ ଉଠା ଦୋକାନୀଙ୍କୁ ଦୋକାନ ଘର ଏବଂ ବସ ଷ୍ଟାଣ୍ଡ ମାର୍କେଟ କମ୍ପ୍ଲେକ୍ସରେ  ୧୨ ଗୋଟି ଦୋକାନ ବଣ୍ଟନ

ଭୁବନେଶ୍ୱର,୨୭/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ନିମାପଡ଼ା ଗସ୍ତକରି ନାରୀଶକ୍ତିର ଜୀବନ ଗାଥା ଏବଂ ରାଜମାତାରୁ ଲୋକମାତା ସାଜିଥିବା ପୁଣ୍ୟଶ୍ଳୋକ ରାଣୀ ଅହିଲ୍ୟାବାଇ ହୋଲକରଙ୍କ ୩୦୦ତମ ଜୟନ୍ତୀ ଉପଲକ୍ଷେ ନିମାପଡ଼ା ଇନଡୋର ଷ୍ଟାଡିୟମରେ ଆୟୋଜିତ କର୍ମଶାଳାରେ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରିଥିଲେ  ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ସମାଜ ପାଇଁ ଉଲ୍ଲେଖନୀୟ କାର୍ଯ୍ୟକରିଥିବା ଅନେକ ମହିଳାଙ୍କୁ ସମ୍ମାନିତ କରିଥିଲେ ।

“ପ୍ରଜା ଈଶ୍ୱରଙ୍କ ରୂପ ଏବଂ ପ୍ରଜାଙ୍କ ସେବା ହିଁ ମୋ ପାଇଁ ଈଶ୍ୱର ପୂଜା” ଭାବନା ରଖିଥିବା ରାଣୀ ଅହିଲ୍ୟାବାଇ ଆମ ପାଇଁ ପ୍ରେରଣାର ଉତ୍ସ ଏବଂ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ଜନତାଙ୍କ ସେବାରେ ବ୍ରତୀ ହେବା ହିଁ ଆମର କର୍ତ୍ତବ୍ୟ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା।

ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ସମଗ୍ରଶିକ୍ଷା ଯୋଜନାରେ ନିମାପଡା ପଞ୍ଚାୟତ ସମିତି ଅଧିନସ୍ଥ ତେରୁଣ୍ଡିଆ ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଧୀରପୁର ଠାରେ ୧୮ ଲକ୍ଷ ୩୩ ହଜାର ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଅତିରିକ୍ତ ଶ୍ରେଣୀଗୃହ ଏବଂ ନିମାପଡ଼ା ବ୍ଲକ ଅଧିନସ୍ଥ ଅରିଷଣ୍ଢ ପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟ,ଅରିଷଣ୍ଢ ଠାରେ ୧୮ ଲକ୍ଷ ୩୩ ହଜାର ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଅତିରିକ୍ତ ଶ୍ରେଣୀଗୃହ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ସଂଧ୍ୟାରେ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ଆଶ୍ରମ ଛକ ବ୍ରିଜ ନିକଟରେ ଦୀର୍ଘ ଦିନରୁ ଦାବି ରହି ଆସୁଥିବା ସହରର ମୁଖ୍ୟ କଂକ୍ରିଟ ନଳାର ନିର୍ମାଣ ନିମନ୍ତେ ପ୍ରଥମ ପର୍ଯ୍ୟାୟର ପ୍ରକଳ୍ପର ଆଜି ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନରେ ଯୋଗଦେଇଥିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା। ଏହି ପ୍ରକଳ୍ପ ଜଳ ନିକାସ ବିଭାଜନ, ପୁରୀ ଦ୍ଵାରା  ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମାଣ ହେବ। ଏହାର ଦ୍ଵିତୀୟ ପର୍ଯ୍ୟାୟ ପ୍ରକଳ୍ପ ପାଇଁ ମଧ୍ୟ ଆବଶ୍ୟକୀୟ ଆର୍ଥିକ ଅନୁଦାନର ବ୍ୟବସ୍ଥା କରାଯାଇଅଛି। ଏହା ଦ୍ବାରା ବିଜ୍ଞାପିତ ଅଞ୍ଚଳର  ଦୀର୍ଘ ଦିନରୁ ରହିଥିବା ଜଳ ନିଷ୍କାସନ ଭଳି ଏକ ପ୍ରମୁଖ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା।

ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ନିମାପଡ଼ା ବ୍ଲକ ସମ୍ମିଳନୀ କକ୍ଷରେ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ଏବଂ ଡେଲ୍ଟା ଛକ ନିକଟରେ ଭେଣ୍ଡିଂ ଯୋନରେ ୨୧ ଜଣ ଉଠା ଦୋକାନୀଙ୍କୁ ଦୋକାନ ଘର ଯୋଗାଇବା ସହ ବସ ଷ୍ଟାଣ୍ଡରେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ର ୧୨ ଗୋଟି ଦୋକାନ ଘରକୁ ଲଟେରୀ ମାଧ୍ୟମରେ ଯୋଗ୍ୟ ବିବେଚିତ ହୋଇଥିବା ବ୍ୟବସାୟୀଙ୍କୁ ଆବଣ୍ଟନ ପତ୍ର ବଣ୍ଟନ କରିଥିଲେ ।

-0-

ତନୁଜା ମହାନ୍ତି ,ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *