ଭୁବନେଶ୍ୱର,୦୬/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାରେ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା, ସେସବୁର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଆଧୁନିକ ଜ୍ଞାନକୌଶଳର ଉପଯୋଗ ହେବ । ଏହି ପରିପ୍ରେକ୍ଷୀରେ ସଂପୃକ୍ତ ବିଭିନ୍ନ ବିଭାଗର ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ଉଚ୍ଚସ୍ତରୀୟ ଆନ୍ତଃ ବିଭାଗୀୟ ସମନ୍ୱୟ କମିଟି ବୈଠକ ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗର ଅତିରିକ୍ତ ମୁଖ୍ୟସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ, ପୂର୍ବ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ, ଶକ୍ତି ଆଦି
ସଂପୃକ୍ତ ବିଭାଗର ସଚିବ, ସର୍ବୋଚ୍ଚ ଯନ୍ତ୍ରୀ, ବୈଷୟିକ ମୁଖ୍ୟଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ ଏବଂ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ବୈଠକରେ କାର୍ଯ୍ୟକାରୀ ହୋଇଥିବା ଜଳଯୋଗାଣ ପ୍ରକଳ୍ପଗୁଡିକର ସ୍ଥିତି ସମୀକ୍ଷା କରାଯାଇଥିଲା ଏବଂ ଯେଉଁ ପ୍ରକଳ୍ପଗୁଡ଼ିକ କାର୍ଯ୍ୟାନ୍ୱୟନ ନେଇ ସଂପୃକ୍ତ ବିଭିନ୍ନ ବିଭାଗୀୟ ସମସ୍ୟା ରହିଛି, ସେସବୁକୁ ଏକ ମାସ ମଧ୍ୟରେ ସମାଧାନ କରିବାକୁ ବିଭାଗଗୁଡ଼ିକୁ ଆବଶ୍ୟକ ନିର୍ଦ୍ଧେଶ ଓ ପରାମର୍ଶ ଦିଆଯାଇଥିଲା । ଏହାକୁ ସହଜ କରିବା ପାଇଁ ସାପ୍ତାହିକ କିମ୍ବା ପାକ୍ଷିକ ଯୁଗ୍ମ ସମୀକ୍ଷା ବୈଠକ କରାଯିବ ଏବଂ ଏଥିାଇଁ ସଂପୃକ୍ତ ବିଭିନ୍ନ ବିଭାଗର ନୋଡାଲ୍ ଅଧିକାରୀଙ୍କର ଏକ ନିର୍ଦ୍ଧିଷ୍ଟ ହ୍ୱାଟସଆପ୍ ଗୃପ୍ କରାଯିବ, ଯଦ୍ୱାରା ପ୍ରକଳ୍ପ କାର୍ଯ୍ୟକାରିତା ନେଇ ଉପଯୁକ୍ତ ସମନ୍ୱୟ ରଖାଯାଇପାରିବ ।
