ଭୁବନେଶ୍ୱର,୦୯/୧୦/୨୦୨୫ (ଓଡ଼ିଶା ସମାଚାର)- ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ମା’ ସମଲେଶ୍ୱରୀ ପୀଠର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରୁ ଜଣାଯାଇଛି ଯେ ମା’ ସମଲେଶ୍ୱରୀ ମନ୍ଦିର ବିକାଶ କାମ ୩୧୬ କୋଟି ଟଙ୍କା ବିନିଯୋଗରେ ୮୨ ଏକର ପରିମିତ ଅଂଚଳରେ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେଉଛି । ପ୍ରଥମ ପର୍ଯ୍ୟାୟରେ ମନ୍ଦିର ଚତୁପାର୍ଶ୍ୱର କରିଡର ନିର୍ମାଣ, ଗୋପାଳଜୀଉ ମଠର ବିକାଶ, ଦୀପ ଘର, ପାର୍କିଂ ସୁବିଧା, ରିଭର ଫ୍ରନ୍ଟ ଡେଭଲପମେଂଟ ସହିତ ଅନ୍ୟାନ୍ୟ ଯାତ୍ରୀ ଓ ଦର୍ଶନାର୍ଥୀ ସୁବିଧା ଉପଲବ୍ଧ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଭକ୍ତ ନିବାସ, ଲେକ୍ ଜୋନ୍, ଦୋକାନ ଗୃହ, ଫୁଡ ପାର୍କ, ପାର୍କିଂ ଏବଂ ପ୍ରବେଶ ପଥ ବିକଶିତ କରାଯିବ । ଓଡିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ସମଲେଶ୍ୱରୀଙ୍କ ପୀଠରେ ବର୍ଷ ତମାମ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କ ଭିଡ ଲାଗିରହିଥାଏ । ଏଥିସହିତ ସମ୍ବଲପୁର ଜିଲାର ମଧ୍ୟ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ପ୍ରସିଦ୍ଧି ରହିଛି ।

ସେଥିପାଇଁ ଦେଶବିଦେଶରୁ ପର୍ଯ୍ୟଟକମାନେ ବହୁ ସଂଖ୍ୟାରେ ଆସିଥାନ୍ତି । ଏସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସମସ୍ତ କାର୍ଯ୍ୟକୁ ବିଶ୍ୱସ୍ତରୀୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିସହିତ ନିର୍ମାଣ ହେବାକୁ ଥିବା ଭକ୍ତ ନିବାସରେ ଅଧିକ ସଂଖ୍ୟକ ଭକ୍ତଙ୍କ ରହଣି ସୁବିଧା ପାଇଁ, ଆବଶ୍ୟକସ୍ଥଳେ ବହୁତଳ ବିଶିଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ମନ୍ଦିର ବିକାଶ କାର୍ଯ୍ୟ ପାଇଁ ବିସ୍ଥାପିତ ହେଉଥିବା ବାସିନ୍ଦାଙ୍କ ଉପଯୁକ୍ତ ଥଇଥାନ ପ୍ରତି ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ । ବୈଠକରେ ପୂର୍ତ ଓ
ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୂର୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଏବଂ ପୂର୍ତ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।
