ସୁରୁଖୁରୁରେ ସମ୍ପନ୍ନ ହେବ ରଥଯାତ୍ରା ଓ ନୀତିକାନ୍ତି
ଭୁବନେଶ୍ୱର,୨୫/୦୨/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ବଳଦେବ ଜୀଉଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ମଞ୍ଜୁର ହୋଇଛି ।
ଏଥିନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଗତ କିଛିଦିନ ଧରି ରଥର ୧୪ଟି ଚକର ଅବସ୍ଥା ଠିକ୍ ନଥିବାରୁ ରଥ ଚାଳନାରେ ବିଭିନ୍ନ ପ୍ରକାରର ବିଘ୍ନ ସୃଷ୍ଟି ହେଉଥିଲା । ଫଳସ୍ୱରୂପ ରଥ ମାଉସୀ ମା’ଙ୍କ ମନ୍ଦିରରେ ନିର୍ଦ୍ଧାରିତ ସମୟରେ ପହଞ୍ଚି ପାରୁ ନଥିଲା ଏବଂ ପାଖାପାଖି ଦୁଇଦିନ ବଳମ୍ବ ହେଉଥିଲା । ବାହୁଡ଼ା ଯାତ୍ରା ସମୟରେ ମଧ୍ୟ ସମାନ ସ୍ଥିତି ଦେଖା ଯାଉଥିଲା ।
ଏହାକୁ ଦୃଷ୍ଟିରେ ରଖି ପ୍ରଭୁ ବଳଦେବ ଜୀଉଙ୍କ ନୂତନ ରଥ ନିର୍ମାଣରେ ଯେପରି କୌଣସି ଅସୁବିଧା ସୃଷ୍ଟି ନ ହୁଏ, ସେଥିପାଇଁ ରାଜ୍ୟ ସରକାର ଏକ କୋଟି ଟଙ୍କାର ଅନୁଦାନ ରାଶି ମଞ୍ଜୁର କରିଛନ୍ତି । ଏଥିନେଇ ବିଧି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।
ବଳଦେବ ଜୀଉ ମନ୍ଦିରର ସମସ୍ତ ରୀତିନୀତି ଓ ପରମ୍ପରାର ସୁରକ୍ଷା ନେଇ ରାଜ୍ୟ ସରକାର ପ୍ରତିବଦ୍ଧ ରହିଛନ୍ତି । ଏହି ଅନୁଦାନ ବଳଦେବ ଜୀଉଙ୍କ ପୀଠକୁ ଆସୁଥିବା ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ତଥା ରାଜ୍ୟବାସୀଙ୍କ ପାଇଁ ଏକ ଆନନ୍ଦର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।
-0-
ସୁଜିତ ରଞ୍ଜନ ସ୍ୱାଇଁ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
