ଅନନ୍ତ ବଳିଆ ସେବାସଂଘ ପକ୍ଷରୁ ଭାଗବତ କଥା

କେନ୍ଦ୍ରାପଡ଼ା, ୨୦/୦୫/୨୦୨୫(ଓଡ଼ିଶା ସମାଚାର)- ଅନନ୍ତ ବଳିଆ ସେବାସଂଘ କେନ୍ଦ୍ରାପଡ଼ା ଶାଖା ଓ ଶ୍ରୀଜଗନ୍ନାଥ ସଙ୍କୀର୍ତନ ମହାସଂଘର ମିଳିତ ଆନୁକୂଲ୍ୟରେ ଆସନ୍ତା ୨୨, ୨୩ ଓ ୨୪ ତାରିଖରେ ଦୀନବନ୍ଧୁ ସାହୁ ଆଇନ୍ ମହାବିଦ୍ୟାଳୟ ନିକଟରେ ଏକ ସଙ୍କୀର୍ତନ ସମାବେଶ ଓ ଭାଗବତ ଆଲୋଚନା ଅନୁଷ୍ଠିତ ହେବ ।

ସେଥିରେ ବାବା ବଳିଆ ଯୋଗଦେଇ ପ୍ରବଚନ ପ୍ରଦାନ କରିବେ । ଏ ସଂକ୍ରାନ୍ତରେ ଗୋପ ଶ୍ରୀରାମମନ୍ଦିର ପରିସରରେ ମଙ୍ଗଳବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନନ୍ତ ବଳିଆ ଟ୍ରଷ୍ଟର ବାବାଜୀ ପ୍ରଣବାନନ୍ଦ ଦାସ ସୂଚନା ପ୍ରଦାନ କରି କହିଲେ ଯେ ପଦ୍ମଶ୍ରୀ ବାବା ବଳିଆଙ୍କ ଆଭିମୁଖ୍ୟ ଶାନ୍ତି, ସଦ୍ଭାବନା, ସଂହତି, ସଦାଚାର, କରୁଣା, ପ୍ରେମ ଆଦି ମଣିଷ ମନରୁ ଅପସରି ଯାଉଛି ।

ସମ୍ପର୍କର ମୂଲ୍ୟବୋଧ ଓ ସମ୍ପର୍କର ସୁରକ୍ଷା ମୁହୂର୍ତ ମୁହୂର୍ତରେ ହତ୍ୟା ହୋଇ ଚାଲିଛି । ସ୍ୱାର୍ଥ ଓ ମୁଁ କାର ସମଗ୍ର ବିଶ୍ୱରେ ହିଂସାର ତାଣ୍ଡବ ରଚୁଛି । ପ୍ରକୃତି ଓ ପରିବେଶ ଆଜି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ପାଣିପାଗ ଓ ଜଳବାୟୁ ସମ୍ପୂର୍ଣ୍ଣ ଅନିୟମିତ ହେବାରେ ଲାଗିଛି । ମାଟି, ପାଣି, ପବନ, ଆକାଶ ଆଜି ବିଷାକ୍ତ । ବୃଦ୍ଧ, ବୃଦ୍ଧାମାନେ ଅବହେଳିତ । ପାରିବାରିକ ଜୀବନ ଅଭିଶପ୍ତ । ଜୀବ ସକଳ ମଣିଷ ପାଖରେ ଅସୁରକ୍ଷିତ ଓ ଆତଙ୍କିତ ହୋଇପଡିଛି । ବୃକ୍ଷ, ତରୁ, ତୃଣ, ଲତା ଆଜି ଶ୍ରୀହୀନ ହୋଇ ପଡିଛି ।

ଲଣ୍ଡା ପାହାଡ଼ ଓ ଭୂତଳ ଜଳ ନିଷ୍କାସନ ପାଇଁ ଧରିତ୍ରୀ ଶୁଷ୍କ । ସଂସ୍କାର ବିହୀନ ସନ୍ତାନ ପରିବାରର ଚିନ୍ତାର କାରଣ ସାଜିଛି । ନିଶା ମାଦକର ଅଭ୍ୟାସରେ ଅକାଳ ମୃତୁ୍ୟ ଓ ପାରିବାରିକ ଅଶାନ୍ତି ବଢି ଚାଲିଛି ବୋଲି ସେ କହିଥିଲେ । ଏହି ସାମ୍ବାଦିକ ସମ୍ମଳିନୀରେ ଶ୍ରୀଜଗନ୍ନାଥ ସଙ୍କୀର୍ତନ ମହାମଣ୍ଡଳର ସଭାପତି ନବଘନ ନାୟକ, ସମ୍ପାଦକ ଅଭୟ କୁମାର ଶତପଥୀ, ବାବାଜୀ ପରମାତ୍ମା ଦାସ, ବାବାଜୀ ଗୁରୁକୃଷ୍ଣ ଦାସ, ପ୍ରସନ୍ନ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ସମ୍ମିଳନୀକୁ ପ୍ରଜ୍ଞାନନ୍ଦ ଦାସ ଓ ନିରାକାର ସ୍ୱାଇଁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *