ଲୋକଙ୍କୁ ଗୁଣାତ୍ମକ ସେବା ଯୋଗାଇ ଦେବା ଲାଗି ପୁଲିସକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର, ୧୫/୬/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁଲିସ ମହାନିର୍ଦ୍ଦେଶକ, ଗୁଇନ୍ଦା ନିର୍ଦ୍ଦେଶକ ଓ ଆଇଜି ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଲୋକଙ୍କୁ ଗୁଣାତ୍ମକ ସେବା କିପରି ଯୋଗାଇ ଦିଆଯିବ ଏବଂ ଲୋକଙ୍କୁ ଭଲ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଠିକ୍ ସେହିପରି ଲୋକେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ସତର୍କ ରହିବାକୁ ତାଗିଦ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପୁଲିସ ଲୋକଙ୍କୁ ଭଲ ପାଇଲେ, ପୁଲିସର ବିଶ୍ବସନୀୟତା ବଢ଼ିବ। ଏଣୁ ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ଲୋକଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବାକୁ ପୁଲିସ କର୍ମଚାରୀଙ୍କୁ କହିଛନ୍ତି। ଆଗ ଭଳି ଆଉ ପୁଲିସ ବ୍ୟବସ୍ଥା ଚାଲିବ ନାହିଁ ବୋଲି ବି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରିଷ୍ଠ ଅଧିକାରୀମ‌ାନଙ୍କୁ ରୋକଠୋକ୍ ଶୁଣାଇଛନ୍ତି। ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକରେ ଏକାଧିକ ପ୍ରସଙ୍ଗରେ ଆଲୋଚନା ହୋଇଛି ଏହା ସହ ଆସନ୍ତା ଜୁଲାଇରୁ କାର୍ୟ୍ୟକାରୀ ହେବାକୁ ଥିବା ଦେଶର ତିନୋଟି ଗୁରୁତ୍ୱପୂର୍ଣ୍ଣ ଆଇନ ବାବଦରେ ପୋଲିସ ଡିଜି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ।

Leave a Reply

Your email address will not be published. Required fields are marked *