କେନ୍ଦ୍ରାପଡ଼ା,୨୦/୦୫/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲାର ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଦଦୁଆ ଗ୍ରାମର ଶ୍ରୀଧର ନାୟକ ବିଜେପିରେ ମିଶିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ଶ୍ରୀଧରଙ୍କ ପରିବାର ପକ୍ଷରୁ ଆଳି ଥାନାରେ ଅଭିଯୋଗ କରାଯାଇଛି ।
ଗୁରୁତର ଅବସ୍ଥାରେ ଶ୍ରୀଧରଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ତାଙ୍କୁ ସାବଳ ଓ ଭୁଜାଲିରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ସୁବ୍ରତ ଥାଟୋଇ, ସରୋଜ ଥାଟୋଇ ଦୁଇ ଅଭିଯୁକ୍ତ ତାଙ୍କୁ ଜୀବନରେ ମାରି ଦେବା ଉଦ୍ଧେଶ୍ୟରେ ଆକ୍ରମଣ କରିଥିବା ସେ ଏତଲାରେ ଦର୍ଶାଇଛନ୍ତି ।
ଶ୍ରୀଧର ବଜାରରୁ ଘରକୁ ଫେରୁଥିବା ବେଳେ ତାଙ୍କୁ ଅଭିଯୁକ୍ତମାନେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଗତ ୫ ଦିନ ତଳେ ଶ୍ରୀଧର ବିଜେପିରେ ମିଶିଥିଲେ । ବିଜେପିରେ ମିଶିଥିବାରୁ ପ୍ରଥମେ ତାଙ୍କୁ ଧମକ ଦିଆଯାଇଥିଲା । ଏହାପରେ ଆକ୍ରମଣ କରାଗଲା ବୋଲି ଶ୍ରୀଧରଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।