କଟକ,୧୮/୦୫/୨୦୨୫(ଓଡ଼ିଶା ସମାଚାର)- ମେ’ ୧୯ରୁ ଜୁନ୍ ୧୬ପର୍ଯ୍ୟନ୍ତ ହାଇକୋର୍ଟର ଗ୍ରୀଷ୍ମ ଅବକାଶ ଘୋଷଣା ହୋଇଛି । ଅବକାଶ ଆରମ୍ଭ ହେବା ପୂର୍ବରୁ ଶୁକ୍ରବାର ଥିଲା ଶେଷ ଅଦାଲତ । ଜୁନ୍ ୧୭ରେ ପୁନର୍ବାର ଅଦାଲତ କାର୍ଯ୍ୟ କରିବ । ଏହା ମଧ୍ୟରେ ହାଇକୋର୍ଟର ୮ ଦିନ ଅବକାଶ କାଳୀନ ଅଦାଲତ ବସିବ ବୋଲି ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ବିଜ୍ଞପ୍ତି କରାଯାଇଛି । ଏହି ସମୟରେ ଛୁଟିଦିନକୁ ଛାଡ଼ିଦେଲେ ଅନ୍ୟ ଦିନଗୁଡ଼ିକରେ ହାଇକୋର୍ଟ କାର୍ଯ୍ୟାଳୟ ସକାଳ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ । ପ୍ରଥମ ଅବକାଶକାଳୀନ ଅଦାଲତ ଆସନ୍ତା ୨୦ରେ ବସିବ । ପରେ ମେ ୨୩, ୨୭, ୩୦, ଜୁନ୍ ୩, ୪, ୧୦, ଏବଂ ଜୁନ୍ ୧୩ ଶେଷ ଅବକାଶକାଳୀନ ଅଦାଲତ ବସିବ । ଏହି ସମୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକର ଶୁଣାଣି କରାଯିବ ।
ଅବକାଶ ସମୟରେ ମେ ୨୦ ଓ ୨୩ ତାରିଖରେ ଜଷ୍ଟିସ ସଙ୍ଗମ କୁମାର ସାହୁ, ଜଷ୍ଟିସ ଏମ.ଏସ.ସାହୁ ଦୁଇଜଣିଆ ଖଣ୍ଡପୀଠରେ, ଜଷ୍ଟିସ୍ ଭି. ନରସିଂହ, ଜଷ୍ଟିସ୍ ବି.ପି.ଶତପଥୀ ଜଣିକିଆ ଖଣ୍ଡପୀଠରେ ମାମଲା ଶୁଣାଣି କରିବେ । ମେ ୨୭ରେ ଜଷ୍ଟିସ୍ କେ.ଆର.ମହାପାତ୍ର, ଜଷ୍ଟିସ୍ ଏମ୍.ଏସ୍. ସାହୁ ଦୁଇଜଣିଆ ଖଣ୍ଡପୀଠରେ, ଜଷ୍ଟିସ୍ ଭି. ନରସିଂହ, ଜଷ୍ଟିସ ବି.ପି.ଶତପଥୀ, ଜଷ୍ଟିସ ଏସ.କେ.ମିଶ୍ର ଜଣିକିଆ ଖଣ୍ଡପୀଠରେ ମାମଲା ଶୁଣାଣି କରିବେ । ସେହିପରି ମେ ୩୦ରେ ଜଷ୍ଟିସ କେ.ଆର.ମହାପାତ୍ର, ଜଷ୍ଟିସ ଏମ.ଏସ.ସାହୁ ଦୁଇ ଜଣିଆ ଖଣ୍ଡପୀଠରେ, ଜଷ୍ଟିସ ବି.ପି.ଶତପଥୀ, ଜଷ୍ଟିସ ଏସ.କେ.ମିଶ୍ର, ଜଷ୍ଟିସ ଏ.ସି.ବେହେରା ଜଣିକିଆ ଖଣ୍ଡପୀଠରେ ଶୁଣାଣି କରିବେ ।
ଜୁନ୍ ୩ ଓ ୪ ତାରିଖରେ ଜଷ୍ଟିସ ବି.ପି.ଶତପଥୀ, ଜଷ୍ଟିସ ଏମ.ଏସ.ରମଣ ପ୍ରଥମେ ଦୁଇ ଜଣିଆ ଖଣ୍ଡପୀଠରେ ଓ ପରେ ଜଣିକିଆ ଖଣ୍ଡପୀଠରେ ମାମଲା ଶୁଣାଣି କରିବେ । ଜୁନ ୧୦ ଓ ୧୩ରେ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଓ ଜଷ୍ଟିସ ଏମ.ଏସ.ରମଣ ପ୍ରଥମେ ଦୁଇ ଜଣିଆ ଖଣ୍ଡପୀଠରେ ଓ ପରେ ଜଣିକିଆ ଖଣ୍ଡପୀଠରେ ମାମଲା ଶୁଣାଣି କରିବେ । ଜୁନ୍ ୧୩ରେ ଜଷ୍ଟିସ ଗୌରୀଶଙ୍କର ଶତପଥୀ ଜଣିକିଆ ଖଣ୍ଡପୀଠରେ ବସି ମାମଲା ଶୁଣାଣି କରିବେ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । ସମସ୍ତ ଜରୁରୀ ମାମଲା ଯେଉଁ ଗୁଡିକ ଗ୍ରୀଷ୍ମ ଅବକାଶ ଶେଷ ପରେ କୋର୍ଟ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରି ନ ପାରିବ ସେଗୁଡ଼ିକ କାର୍ଯ୍ୟ ଦିବସର ଦିନ ୧୧ଟାରୁ ୧୨ଟା ମଧ୍ୟରେ କମ୍ପ୍ୟୁଟର ଫାଇଲିଂ କାଉଂଟରରେ ଦାୟର କରାଯିବ ।
