ରାଜ୍ୟସ୍ତରୀୟ ପୋଷ୍ୟ ସନ୍ତାନ ନିର୍ଦ୍ଦେଶାବଳୀ, ୨୦୨୨ ତାଲିମ କାର୍ଯ୍ୟକ୍ରମ
ଭୁବନେଶ୍ୱର, ୦୮/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଇନଗତ ପୋଷ୍ୟ ଗ୍ରହଣ ହିଁ ପ୍ରତ୍ୟେକ ଶିଶୁକୁ ପରିବାର ଯୋଗାଇ ଦେବାର ପ୍ରକୃଷ୍ଟ ଉପାୟ । ଶିଶୁ ସୁରକ୍ଷା ବ୍ୟବସ୍ଥାର ପ୍ରତ୍ୟେକ ହିତାଧିକାରୀଙ୍କ ସକ୍ରିୟ ସହଭାଗିତା ଦ୍ୱାରା ଏହାକୁ ନିଶ୍ଚିତ କରାଯାଇ ପାରିବ । ଆଜି ଭୁବନେଶ୍ୱର ହୋଟେଲ ହିନ୍ଦୁସ୍ତାନ ଇଣ୍ଟରନ୍ୟାସନାଲରେ ଆୟୋଜିତ ଏକ ଦିବସୀୟ ରାଜ୍ୟସ୍ତରୀୟ ପୋଷ୍ୟ ଗ୍ରହଣ ନିୟମାବଳୀ, ୨୦୨୨ ତାଲିମ କାର୍ଯ୍ୟକ୍ରମରେ ଏହି ମତ ପ୍ରକାଶ ପାଇଅଛି । କେନ୍ଦ୍ରୀୟ ପୋଷ୍ୟ ଗ୍ରହଣ ସମ୍ବଳ କର୍ତ୍ତୃପକ୍ଷ, ନୂଆଦିଲ୍ଲୀଙ୍କ ସହଯୋଗରେ ଏହି ତାଲିମ କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନ ରାଜ୍ୟ ପୋଷ୍ୟ ଗ୍ରହଣ ସଂଯୋଜନା ସଂସ୍ଥା ଓ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ଅତିରିକ୍ତ ଜିଲ୍ଲାପାଳ, ୩୦ଗୋଟି ଜିଲ୍ଲାର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ, ରାଜ୍ୟରେ ଥିବା ୩୩ଗୋଟି ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ପ୍ରଦାନ ସଂସ୍ଥାର ପରିଚାଳକମାନେ ଯୋଗ ଦେଇଥିଲେ । ଉଦ୍ଘାଟନ ଉତ୍ସବରେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ମହିଳା ଓ ଶିଶୁ ବିକାଶ ତଥା ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ନିର୍ଦ୍ଦେଶକ ଶ୍ରୀମତୀ ମନୀଷା ବାନାର୍ଜୀ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସମ୍ବିତ କୁମାର ନାୟକ ଯୋଗ ଦେଇଥିଲେ ।
ପ୍ରାରମ୍ଭରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସମ୍ବିତ କୁମାର ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ପୋଷ୍ୟ ଗ୍ରହଣ ଓ ପ୍ରଦାନର ପ୍ରକ୍ରିୟାକୁ ଅଧିକରୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ଦିଗକୁ ଧ୍ୟାନ ଦେବା ସହିତ ନିୟମାବଳୀର ଆଲୋଚନା କରିବା ପାଇଁ ଆହ୍ୱାନ ଦେଇଥିଲେ । ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ନିର୍ଦ୍ଦେଶକ ଶ୍ରୀମତୀ ମନୀଷା ବାନାର୍ଜୀ ପୋଷ୍ୟ ଗ୍ରହଣ ସମ୍ପର୍କରେ ଅଧିକରୁ ଅଧିକ ଆଲୋଚନାର ଆବଶ୍ୟକତା ସମ୍ପର୍କରେ ଗୁୁରୁତ୍ୱାରୋପ କରିଥିବାବେଳେ ସାମାନ୍ୟ ବୟସ୍କ ପରିତ୍ୟକ୍ତ ଓ ସମର୍ପିତ ଶିଶୁମାନଙ୍କର ପୋଷ୍ୟ ସଂଖ୍ୟା ବୃଦ୍ଧି ପାଇଁ ଧ୍ୟାନ ଆକର୍ଷଣ କରିଥିଲେ । ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରମୁଖ ସଚିବ ମହିଳା ଓ ଶିଶୁ ବିକାଶ ବିଭାଗ ଶ୍ରୀମତୀ ଶୁଭା ଶର୍ମା ନିଜର ବକ୍ତବ୍ୟରେ ପରିବାରଟିଏ ପାଇବା ପ୍ରତ୍ୟେକ ଶିଶୁର ଅଧିକାର ଓ ଏଥିପାଇଁ ସମସ୍ତେ ଉଦ୍ଦିଷ୍ଟ ସମୟକୁ ପାଳନ କରିବା ପାଇଁ ଅନୁରୋଧ କରିଥିଲେ । ଏହାପରେ କେନ୍ଦ୍ରୀୟ ପୋଷ୍ୟ ଗ୍ରହଣ ସମ୍ବଳ କର୍ତ୍ତୃପକ୍ଷ, ନୂଆଦିଲ୍ଲୀର ସମ୍ବଳ କର୍ମୀ ଅନେ୍ୱଷା ମିଶ୍ର ଏବଂ ଶିବମ ତ୍ୟାଗୀ, ଡେଭଲପର CARINGS ପୋଷ୍ୟ ଗ୍ରହଣ ପ୍ରକ୍ରିୟା ସମ୍ପର୍କରେ ସବିସ୍ତୃତ ଆଲୋଚନା କରିଥିଲେ । ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର କାର୍ଯ୍ୟକ୍ରମ ପ୍ରବନ୍ଧକ ଶ୍ରୀ ପ୍ରିତୀକାନ୍ତ ପଣ୍ଡା ସଭା ପରିଚାଳନା କରିଥିବାବେଳେ ଶେଷରେ ରାଜ୍ୟ ପୋଷ୍ୟ ଗ୍ରହଣ ସଂସ୍ଥାର କାର୍ଯ୍ୟକ୍ରମ ପ୍ରବନ୍ଧକ ଶ୍ରୀମତୀ ସୁଜାତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।
-0-
ତନୁଜା ମହାନ୍ତି,ଲୋକସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ