କେନ୍ଦ୍ରାପଡାରେ ତ୍ରିରଙ୍ଗା ଶୋଭାଯାତ୍ରା

କେନ୍ଦ୍ରାପଡ଼ା,୧୬/୦୫/୨୦୨୫(ଓଡ଼ିଶା ସମାଚାର)- ଆତଙ୍କବାଦୀ ବିରୋଧୀ ଅଭିଯାନ ଅପରେସନ୍ ସିନ୍ଦୂରର ସଫଳତା ପରେ ଶୁକ୍ରବାର କେନ୍ଦ୍ରାପଡାରେ ଭାରତୀୟ ବୀର ଯବାନମାନଙ୍କ ସାହସିକ ପଦକ୍ଷେପକୁ ସମ୍ମାନ ଜଣାଇ ଏକ ବିଶାଳ ତି୍ରରଙ୍ଗା ଶୋଭାଯାତ୍ରା ଆନୁଷ୍ଠିିତ ହୋଇଯାଇଛି । ଏହି ଶୋଭାଯାତ୍ରାକୁ ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ଏବଂ କେନ୍ଦ୍ରାପଡା ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲିକ, ଉପଜିଲାପାଳ ଅରୁଣ କୁମାର ନାୟକ ପତାକା ଦେଖାଇ ଉଦ୍ଘାଟନ କରିଥିଲେ ।

ସକାଳ ୯ଟାରେ ନୂଆ ବସଷ୍ଟାଣ୍ଡ ପାଖରୁ ଏହି ଶୋଭାଯାତ୍ରା ବାହାରି ବାଲାବାବା ମଠ ଦେଇ ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା । ପ୍ରଶାସନିକ ଅଧିକାରୀ, ଅବସରପ୍ରାପ୍ତ ସୈନିକ ସଂଘ, ପୋଲିସ କର୍ମଚାରୀ, ଲୋକ ପ୍ରତିନିଧି, ବୁଦ୍ଧିଜୀବୀ, ସାଧାରଣ ଜନତା ଓ ଛାତ୍ରଛାତ୍ରୀମାନେ ତ୍ରିରଙ୍ଗା ପତାକା ଧରି ବନ୍ଦେ ମାତରଂ ଧ୍ୱନି ସହିତ ଦେଶ ଭକ୍ତି ଗୀତର ତାଳେ ତାଳେ ସହର ପରିକ୍ରମା କରିଥିଲେ । ଅପରେସନ୍ ସିନ୍ଦୂରର ସଫଳତା ପରେ ଏହି ଶୋଭାଯାତ୍ରା ଆତଙ୍କବାଦ ବିରୁଦ୍ଧରେ ଦେଶର ଅଭିଯାନକୁ ଆହୁରି ସଶକ୍ତ କରିବ । ତ୍ରିରଙ୍ଗାର ତିନିରଙ୍ଗ ଆମକୁ ଶ୍ରଦ୍ଧା ଓ ସୌହାର୍ଦ୍ଧ୍ୟର ଆଦର୍ଶରେ ଅନୁପ୍ରାଣିତ କରିଥାଏ ।

ଆମ ଜାତୀୟ ପତାକା ଆମ ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ । ଗତ ଏପ୍ରିଲ ୨୨ ତାରିଖରେ ଜାମ୍ମୁକାଶ୍ମୀରର ପହଲଗାମ୍୍ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶରେ ସର୍ବ ଧର୍ମ ଓ ନୀରପେକ୍ଷତା ଭାବେ ଅଦ୍ଭୁତପୂର୍ବ ଭାବେ ଜାତୀୟତାର ଏକତା ସୃଷ୍ଟି ହୋଇଥିଲା । ଆତଙ୍କବାଦକୁ ନେଇ ଭାରତ ସରକାରଙ୍କର ରହିଥିବା ଶୂନ୍ୟ ସହନଶୀଳତା ନୀତିର ଫଳସ୍ୱରୂପ ମେ’ ମାସ ୬ ଓ ୭ ତାରିଖ ମଧ୍ୟ ରାତ୍ରିରେ ଭାରତୀୟ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ୍୍ ସିନ୍ଦୂର । ମାତ୍ର ଚାରିଦିନ ମଧ୍ୟରେ ସାମାନ୍ୟ ଆକ୍ରମଣରେ ପାକିସ୍ତାନର ଅବସ୍ଥା ସାଂଘାତିକ ହୋଇଥିଲା ।

ଶେଷରେ ପାକିସ୍ତାନ ହାର ମାନି ଅସ୍ତ୍ର ବିରତି ପାଇଁ ଗୁହାରି କରିଥିଲା । ଭାରତର ଏହି ଐତିହାସିକ ବିଜୟ ପରେ ସମଗ୍ର ଦେଶରେ ଖୁସି ଓ ଉତ୍ସାହ ଦେଖିବାକୁ ମିଳିଥିଲା । ଭାରତ ସରକାରଙ୍କ ଦୃଢ ଓ ବଳିଷ୍ଠ ନେତୃତ୍ୱ ଏବଂ ଭାରତୀୟ ସେନାର ସାହସ ଓ ପରାକ୍ରମକୁ ନେଇ ଦେଶରେ ଏକ ଅଦ୍ଭୁତପୂର୍ବ ଦେଶାତ୍ମବୋଧର ପରାକାଷ୍ଠା ପ୍ରତିପାଦିତ ହୋଇଛି । ଭାରତୀୟ ସେନାର ଉତମ ରଣ କୌଶଳ ଭାରତ ସମେତ ସମଗ୍ର ବିଶ୍ୱରେ ଭାରତୀୟ ସେନାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହି କାର୍ଯ୍ୟକ୍ରମରେ ବିଜେପି ନେତ୍ରୀ ଗୀତାଞ୍ଜଳି ସେଠୀ, ଭୁବନମୋହନ ଜେନା, ଲଳିତ ବେହେରା, ସୁରେଶ ଚନ୍ଦ୍ର ସାହୁ, ସୁନାକର ବେହେରା, ସଂଖ୍ୟାଲଘୁ ନେତା ମହମ୍ମଦ ସଲିମ୍ ଖାନ୍, ଦୁର୍ଯେ୍ୟାଧନ ସାହୁ, ବିଜେପି ନେତା ସୟଦ୍ ଫର୍ମାନ୍ ଅଲ୍ଲୀ(ବାସା), ଶଶାଙ୍କ ସେଠୀ, ଅଭିମନୁ୍ୟ ଗୋଚ୍ଛାୟତ, କାଶୀନାଥ ରାଉତରାୟ, ଉପିନ ରାଉତ, ଗଗନବିହାରୀ ସାହୁ, ସଞ୍ଜୟ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *