ଜଗତସିଂହପୁର,୧୧/୦୩/୨୦୨୫ (ଓଡ଼ିଶା ସମାଚାର)- ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆ ରେ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗ ର ମିଳିତ ଆନୁକୂଲ୍ୟରେ ଲକ୍ଷପତି ଦିଦି ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ପରିଷଦ କାର୍ଯ୍ୟାଳୟ ର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ , ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ଏବଂ ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ବ୍ଲକ ର ମଣ୍ଡଳ ଉନ୍ନୟନ ଅଧିକାରୀ ବୃନ୍ଦ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଷ୍ଣୁପ୍ରିୟା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ ଏକ ଜନ ମଙ୍ଗଳ ରାଷ୍ଟ୍ର ରେ ମହିଳା ଙ୍କୁ ଅଗ୍ରାଧିକାର ଦେବା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। ଆଜି ମହିଳା ମାନେ ପରିବାର ରେ ପୁରୁଷ ଙ୍କ ସହ କାନ୍ଧ ରେ କାନ୍ଧ ମିଳାଇ ରୋଜଗାରକ୍ଷମ ହୋଇପାରିଛନ୍ତି ବୋଲି ସେ କହିଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ ଲକ୍ଷପତି ଦିଦି ଯୋଜନା ବିଷୟ ରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ସମସ୍ତ ବ୍ଲକ ରୁ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନେ ଉପସ୍ଥିତ ରହିବା ସହିତ ନିଜ ନିଜ ପଞ୍ଚାୟତ ପାଇଁ ଯେଉଁମାନେ ସବୁ ନିଜ ଜୀବିକା ଜରିଆରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜି ନିଜକୁ ଜଣେ ଜଣେ ଲକ୍ଷପତି ଦିଦି ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ସେମାନେ ନିଜର ଅଭିଜ୍ଞତା ସର୍ବ ସମ୍ମୁଖରେ ବାଣ୍ଟି ଥିଲେ ।
ଲକ୍ଷପତି ଦିଦି ସୃଷ୍ଟି କରିବାରେ ରାଜ୍ୟ ସ୍ତରରେ ଜଗତସିଂହପୁର ଜିଲ୍ଲା ଦ୍ୱିତୀୟ ସ୍ଥାନ ରେ ଥାଇ ଜିଲ୍ଲା ପାଇଁ ଗୌରବ ଆଣିଥିବା ବେଳେ ମାତ୍ର ୧.୦୧ ପଏଣ୍ଟ ରେ ପ୍ରଥମ ସ୍ଥାନ ରେ ଥିବା ଜିଲ୍ଲା ଠାରୁ ପଛରେ ଅଛି । ଏହି ପରିପ୍ରେକ୍ଷୀରେ ୨୦ ଜଣ ଲକ୍ଷପତି ଦିଦି ନିଜର ସଫଳ କାହାଣୀ ଉପସ୍ଥାପନା କରି ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ ହୋଇଥିଲେ ।
ପରିଶେଷରେ ବିରିଡ଼ି , ଜଗତସିଂହପୁର ଓ ବାଲିକୁଦା ବ୍ଲକର ମୋଟ ୧୧ ଟି ମହାସଂଘ କୁ ମୋଟ ୩,୮୫,୦୦,୦୦୦ ଟଙ୍କା ଗୋଷ୍ଠୀ ବିନିଯୋଗ ପାଣ୍ଠି ଜରିଆରେ ଅତିଥି ମାନଙ୍କ ଦ୍ଵାରା ସାଙ୍କକ୍ସନ ଅର୍ଡର୍ ଦିଆଯାଇଥିଲା ବେଳେ ଅନ୍ୟାନ୍ୟ ଲାଇନ୍ ବିଭାଗ ରୁ ଆସିଥିବା ଅଧିକାରୀ ମାନେ ନିଜ ନିଜର ସଂସ୍ଥା ବିଷୟରେ ବ୍ୟାଖ୍ୟା କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମ କୁ ବିରିଡ଼ି ବ୍ଲକ ର ମଣ୍ଡଳ ପ୍ରକଳ୍ପ ପରିଚାଳକ ଶ୍ରୀ ପ୍ରତାପ ରୁଦ୍ର ନନ୍ଦ ଓ ନାଉଗାଁ ବ୍ଲକ ର ଜୀବିକା ସଂଯୋଜକ ଶ୍ରୀ ଦିଲୀପ ମିଶ୍ର ପରିଚାଳନା କରିଥିଲା ବେଳେ ଜିଲ୍ଲା ଓରମାସ ଅଧିକାରୀ ଶ୍ରୀ ପ୍ରଭାତ କୁମାର ଦାଶ , ବିପିଏମ୍ ଲିପିକା ଷଡ଼ଙ୍ଗୀ , କଳ୍ପନା ଦଳାଇ ସଭା ପରିଚାଳନା ରେ ସହଯୋଗ କରିଥିଲା ବେଳେ ସମସ୍ତ ପ୍ରକାର ର ବ୍ୟବସ୍ଥା କୁ ଓଡ଼ିଶା ଜୀବିକା ମିଶନ ର ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀ ସୌମ୍ୟ ରଂଜନ ବିଶ୍ଵାଳ ସଂପୂର୍ଣ୍ଣ ତଦାରଖ କରିଥିବା ବେଳେ ଜିଲ୍ଲା ପ୍ରକଳ୍ପ ସଂଜୋଜିକା , ମିଶନ ଶକ୍ତି ଶ୍ରୀମତି ମୋନାଲିସା ଭଞ୍ଜ ଧନ୍ୟବାଦ୍ ଅର୍ପଣ କରିଥିଲେ।