୬ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ର ମଞ୍ଜୁରୀ

ଭୁବନେଶ୍ୱର,୧୫/୦୫/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ବୁଧବାର ରାଜ୍ୟ କ୍ୟାବିନେଟ ବୈଠକରେ ୬ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବିସ୍ତୃତ ଆଲୋଚନା ପରେ ୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକ ପରେ ୬ଟି ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାକୁ ମିଳିତ ଭାବରେ ୧ ଏପ୍ରିଲ, ୨୦୨୫ରୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ହୋଇଛି।

ଏହି ଯୋଜନାକୁ MAMATA-PMMVY ଭାବରେ ନାମିତ କରା‌ଯିବ। ଆଗରୁ ମମତା ଯୋଜନାରେ ଝିଅ ଜନ୍ମ ହେଲେ ମା’ ମାନେ ୧୦ ହଜାର ଟଙ୍କା ପାଉଥିବା ବେଳେ ଏଣିକି ଏହି ଯୋଜନାରେ ୧୨ ହଜାର ଟଙ୍କା ପାଇବେ। ଏଥିରେ ପିଭିଜିଟି ସମ୍ପ୍ରଦାୟର ମହିଳା ମାନଙ୍କୁ ପ୍ରଥମ ୨ଟି ସନ୍ତାନ ପରେ ମଧ୍ୟ ଝିଅ ଜନ୍ମ ପାଇଁ ୧୨ ହଜାର ଟଙ୍କା ଓ ପୁଅ ଜନ୍ମ ପାଇଁ ୧୦ ହଜାର ଟଙ୍କା ଦିଆଯିବ। ସେହିଭଳି ଆଗରୁ ଅଙ୍ଗନବାଡି କର୍ମୀ ଓ ଅଙ୍ଗନବାଡି ସହାୟିକା ପ୍ରୋତ୍ସାହନ ରାଶି ବାବଦରେ ୨୦୦ ଓ ୧୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୨୫୦ ଏବଂ ୧୫୦ ଟଙ୍କା ପାଇବେ। ଆସନ୍ତା ୫ ବର୍ଷରେ MAMATA-PMMVY ଯୋଜନାରେ ୨ ହଜାର ୬୭୦ କୋଟି ଟଙ୍କା ଖର୍ଚ୍ଚ ହେବାର ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗ (SEBC) ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷାରେ ୧୧.୨୫% ସଂରକ୍ଷଣ ଲାଗୁ କରିବାକୁ ଅନୁମୋଦନ ଦେଇଛି । ୨୦୨୫- ୨୬ ଶିକ୍ଷାବର୍ଷରୁ ସରକାରୀ ବିଶ୍ୱବିଦ୍ୟାଳୟ, ମାଧ୍ୟମିକ (+୨) ଓ ବୃତ୍ତିମୂଳକ ଶିକ୍ଷା ଅନୁଷ୍ଠାନମାନଙ୍କରେ ଏହି ବ୍ୟବସ୍ଥା ଲାଗୁ ହେବ । ଜାତୀୟ ଶିକ୍ଷା ନୀତି ସହ ସମନ୍ୱୟ ରକ୍ଷାକରି ଶିକ୍ଷାରେ ସମାନତା ଆଣିବାରେ ଏହି ପଦକ୍ଷେପ ସହାୟକ ହେବ ।

ଓଡ଼ିଶା ଆଇଟିଆଇ ପ୍ରଶିକ୍ଷକ ସେବା (ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତାବଳୀ) ନିୟମାବଳୀ ସଂଶୋଧନକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହା ଦ୍ୱାରା Asst. Training Officer ମାନଙ୍କୁ ପଦୋନ୍ନତି ସୁଯୋଗ ପ୍ରଦାନ, ଅଧ୍ୟକ୍ଷ, ଉପାଧ୍ୟକ୍ଷସ୍ତରରେ ଓ.ପି.ଏସ.ସି. ଦ୍ୱାରା ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ସ୍ତର ୧୨ ରୁ ସ୍ତର ୧୩କୁ ପଦୋନ୍ନତି ପାଇଁ ଇଞ୍ଜିନିୟରିଂ ଡିଗ୍ରୀ କୁ ସର୍ବନିମ୍ନ ଯୋଗ୍ୟତା ଭାବରେ ସ୍ଥିର କରାଯାଇଛି ।

ବିଭିନ୍ନ ପଦବୀରେ ଥିବା ଶାରୀରିକ ମାପ ଏବଂ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ସମନ୍ୱିତ ନିଯୁକ୍ତି ପରୀକ୍ଷାର ନିୟମାବଳୀ ୨୦୨୨ରେ ସଂଶୋଧନ ଲାଗି ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

କେନ୍ଦୁଝର ତହସିଲ ଅନ୍ତର୍ଗତ ମୌଜା – ସୁଲେଇ ଖମାର, ସାତଶିଙ୍ଗା, ଗମ୍ଭାରିଆ ଓ ବ୍ରାହ୍ମଣ ଗାଁରେ ଧରଣୀଧର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପାଇଁ ଦେୟ ମୁକ୍ତ ଜମି ପ୍ରଦାନ ବ୍ୟବସ୍ଥା ହୋଇଛି। ଏହାର ଉତ୍ତର ଏବଂ ଦକ୍ଷିଣ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଲିଜ୍ ସୂତ୍ରରେ ଏ. ୪୦. ୧୯୭ ଡ଼ି. ସରକାରୀ ଜମି ପ୍ରଦାନ ସମ୍ପର୍କିତ ପ୍ରସ୍ତାବ ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିଛି।

ମୟୂରଭଞ୍ଜ ଜିଲ୍ଲାରେ ଜଶୀପୁର ବ୍ଲକ ଅଁଳାବେଣୀ ଗାଁ ଖଇରିବନ୍ଧନ ନଦୀ ଉପରେ ହେବ ବ୍ୟାରେଜ ପ୍ରକଳ୍ପ। ଏହାଦ୍ୱାରା ୪୭ ଟି ଗାଁର ୬୯୫୦ ହେକ୍ଟର ଚାଷ ଜମି ଜଳସେଚିତ ହେବା ସହିତ ୩୫,୦୦୦ରୁ ଊର୍ଦ୍ଧ୍ଵ ଲୋକଙ୍କ ପାଇଁ ପାନୀୟ ଜଳ ସୁବିଧା ସୁନିଶ୍ଚିତ ହେବ। ଜିଲ୍ଲାବାସୀଙ୍କ ସୁବିଧାକୁ ପ୍ରାଥମିକତା ଦେଇ ରାଜ୍ୟ କ୍ୟାବିନେଟ ପକ୍ଷରୁ ଏହି ପ୍ରକଳ୍ପ କାର୍ଯ୍ୟକୁ ଅନୁମୋଦିତ କରାଯାଇଛି।

Leave a Reply

Your email address will not be published. Required fields are marked *