Exclusive Syory : କୁଳ ବେଉସା ହରାଇବାକୁ ବସିଲେଣି ଚମଡା ବାଦ୍ୟ ଯନ୍ତ୍ର କାରିଗର

ସରକାରୀ ପ୍ରୋତ୍ସାହନ ନାହିଁ – ଜନ୍ମ ଠାରୁ ମୃତୁ୍ୟୁ ପର୍ୟ୍ୟନ୍ତ ନାମ ସଙ୍କିର୍ତନରେ ସବୁଠାରୁ ଆଗରେ ମୃଦଙ୍ଗ
ପାଟକୁରା,୨୧/୦୨/୨୦୨୫ (ଓଡ଼ିଶା ସମାଚାର)-ସନାତନ ହିନ୍ଦୁଧର୍ମ ସହିତ ଜଡିତ ମାନବ ସଭ୍ୟତା ନାମସଙ୍କିର୍ତନ ସହ ଅଙ୍ଗାଙ୍ଗୀଭାବେ ଜଡିତ । ମନୁଷ୍ୟ ଜନ୍ମ ହେବା ପରେ ଏକୋଇଶିଆ ଦିନ ସତ୍ୟନାରାୟଣଙ୍କ ପୂଜା କରାଯାଏ । ପୂଜା ଆରମ୍ଭରୁ ନାମ ସଙ୍କିର୍ତନ ହୁଏ , ଯେଉଁଥିରେ ମୃଦଙ୍ଗ ସବୁଠାରୁ ଆଗରେ ଥାଏ । ସେହି ଶିଶୁ ୧୬ ବର୍ଷ ହେଲେ ତା ପାଇଁ ବାପ – ମାଆ ୧୬ ପୂଜା କରନ୍ତି । ୧୬ପୂଜା ରେ ମୃଦଙ୍ଗ ଆବଶ୍ୟକ ହୋଇଥାଏ ।

ସେ ଯେତେବେଳେ ବିବାହ କରେ , ବିବାହ ପରେ ବାପ-ମାଆ ବାହା ପୂଜା କରନ୍ତି । ସେ ଯେତେବେଳେ ପରିଣତ ବୟସରେ ଅସୁସ୍ଥ ହୋଇପଡେ ସେତେବେଳେ ତାଙ୍କ ନିକଟରେ ଭାଗବତ ପାଠ ହୁଏ ଏବଂ ନାମ ସଙ୍କିର୍ତନ ହୁଏ । ଯେତେବେଳେ ମହାପ୍ରୟାଣ ହୁଏ ଜ୍ଞାତି କୁଟୁମ୍ବ ଶବା ଧାରରେ ନାମ ସଙ୍କିର୍ତନ କରାନ୍ତି । ବିଶ୍ୱାସ ଥାଏ ଏହି ସମୟରେ ନାମ ସଙ୍କିର୍ତନ ହେଲେ ଆତ୍ମା ପରମ ଆତ୍ମାରେ ଲୀନହୋଇଯାଏ । ଏସବୁ ଲେଖିବାର ତାତ୍ପର୍ୟ୍ୟ ହେଲା ମନୁଷ୍ୟ ଜନ୍ମ ହେବା ଠାରୁ ମୃତୁ ପର୍ୟ୍ୟନ୍ତ ନାମ ସଙ୍କିର୍ତନ ସହିତ ଶ୍ରଦ୍ଧାର ସହିତ ଯୋଡ଼ି ହୋଇଥାଏ । ଯାହା ସହିତ ଚମଡା ତିଆରି ମୃଦଙ୍ଗ ସବୁଠାରୁ ବେଶୀ ଆଗରେ ଥାଏ । କିନ୍ତୁ ଯେଉଁ ଚମଡା କାରିଗର ଏହାକୁ ନିଜର କୌଳିକ ବୃତ୍ତି ଭାବେ ଆଦରି ନେଇ ଏକ ବିରାଟ ଧର୍ମୀୟ ସଙ୍କିର୍ତନ ପରମ୍ପରାକୁ ମୃଦଙ୍ଗ ଯୋଗାଇ ବଞ୍ଚାଇ ରଖିଛନ୍ତି ,ତାଙ୍କ ବିଷୟରେ ସମସ୍ତେ ଜାଣିବା ଉଚିତ୍ । ଆର୍ଥିକ ଦୃଷ୍ଟିରୁ ଓ ସାମାଜିକ ଦୃଷ୍ଟିକୋଣରୁ ସମ୍ପୂର୍ଣ୍ଣ ଅବହେଳିତ ସେହି ମୃଦଙ୍ଗ କାରିଗର ।

ଏମିତି ଜଣେ ମୃଦଙ୍ଗ କାରିଗର ଅଛନ୍ତି ପାଟକୁରା ଗ୍ରାମରେ । ନାମ ତାଙ୍କର ବନ୍ଧୁ ଘଡେଇ । ବୟସ ତାଙ୍କର ୭୫ବର୍ଷ । ତାଙ୍କର ପେଶା ହେଲା ମୃଦଙ୍ଗ, ଲାଲ, ଢୋଲକ, ତବଲା ଆଦି ବାଦ୍ୟ ଯନ୍ତ୍ର ତିଆରି କରିବା । ଦୀର୍ଘ ୫୫ବର୍ଷ ହେବ ସେ ଏହି କାର୍ୟ୍ୟରେ ମନ ନିବେଶ କରିଛନ୍ତି । ତାଙ୍କୁ ଯେତେବେଳେ ୨୦ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ଏହି କାର୍ୟ୍ୟ ଆରମ୍ଭ କରିଥିଲେ । ମୃଦଙ୍ଗ ପାଇଁ ମାଟି ହାଣ୍ଡି ନୃତାଙ୍ଗ-କୁଆଁପାଳରୁ ଆସେ ବୋଲି ବନ୍ଧୁ ଘଡ଼ାଇ କହିଛନ୍ତି । ଲାଲ, ଢୋଲକ, ତବଲା ପାଇଁ କାଠ ହାଣ୍ଡି କଟକରୁ ଆଣିବାକୁ ପଡିଥାଏ ।

ମୃଦଙ୍ଗ,ତବଲା, ଢୋଲକ, ଲାଲ ର ତଳା ଗଛ ପାଇଁ ବ୍ୟବହାର ହେଉଥିବା ଚମଡା ବିଭିନ୍ନ ଅଂଚଳରୁ ଯୋଗାଡ଼ କରିବାକୁ ପଡିଥାଏ । ଉପରୋକ୍ତ ବାଦ୍ୟଯନ୍ତ୍ର କିରଣ ପାଇଁ କୋଇଲା ମିଶା ଲୁହା ଗୁଣ୍ଡ କଲିକତାରେ ହିଁ ମିଳିଥାଏ । ବିଭିନ୍ନ ଅଂଚଳରୁ ଏସବୁ ସାମଗ୍ରୀ ସଂଗ୍ରହ କରି ବାଦ୍ୟଯନ୍ତ୍ର ତିଆରି କରିବା କଷ୍ଟକର ହେଉଛି ବୋଲି ବନ୍ଧୁ କୁହନ୍ତି । ତାଙ୍କ ପାଖକୁ ଜଗସିଂହପୁର, କଟରା, ଇଟାଙ୍ଗୀ, ବେଗୁନିଆ, ବନ୍ଧବାଟି, ଖଣ୍ଡାସାହି, କୋଷ୍ଟି, ପାରାଦ୍ୱୀପ,କୁଜଙ୍ଗ, ମାର୍ଶାଘାଇ,ପଟାମୁଣ୍ଡାଇ, ଏରସମା,ସାଲେପୁର, ଚାନ୍ଦୋଳ,ଭୁବନ ସମେତ ରାଜ୍ୟର ବିଭିନ୍ନ ଅଂଚଳରୁ ବାଦ୍ୟ ଯନ୍ତ୍ର କାମ ପାଇଁ ଲୋକମାନେ ଆସନ୍ତି ।

ଯଦିଓ ବୟସାଧିକ କାରଣରୁ ବାଦ୍ୟଯନ୍ତ୍ର ତିଆରି କରିବାକୁ କଷ୍ଟ ଲାଗେ କିନ୍ତୁ ଲୋକଙ୍କ ପଦିଏ କଥା ବନ୍ଧୁଭାଇ କେମିତି ଅଛ କହିଲାପରେ ମୁଁ ସବୁ କଷ୍ଟ ଭୁଲି ଯାଏ ବୋଲି ବନ୍ଧୁ କହନ୍ତି । ଯେତେ ଶୁଭ କାମ ହୁଏ ଅଷ୍ଟମ ପ୍ରହରୀ, ଘର ପ୍ରତିଷ୍ଠା,ବିବାହ, ବ୍ରତ,ପୂଜା, ମେଳା, ଭଜନ ସବୁଥିରେ ବାଦ୍ୟଯନ୍ତ୍ର ବ୍ୟବହାର ହେଉଥିବାରୁ ବନ୍ଧୁ ବହୁତ ଖୁସି ଓ ଏଥିପାଇଁ ସେ ଆତ୍ମ ସନ୍ତୋଷ ଲାଭ କରନ୍ତି ବୋଲି କୁହନ୍ତି । ବନ୍ଧୁଙ୍କୁ ସାହାଯ୍ୟ କରିବାକୁ ପୁଅ ସୁରେଶ ଟିକେ ଅଣ୍ଟା ଭିଡ଼ିଛି । ବନ୍ଧୁ ତାଙ୍କ ବାପାଙ୍କଠାରୁ ବାଦ୍ୟ ଯନ୍ତ୍ର ତିଆରି କରିବା କଳା କୌଶଳ ଯେତିକି ଶିଖିଥିଲେ ଏବେ ତାଙ୍କ ପୁଅ ସୁରେଶ କୁ ଶିଖାଉଛନ୍ତି । ମୃଦଙ୍ଗ ରେ କିରଣ ଦେବା ପୂର୍ବରୁ ଘଷି ନିଆଁରେ ମୃଦଙ୍ଗ ତଳି କୁ ସେକିବାକୁ ପଡୁଛି । ଘଷି ନିଆଁ ଉତ୍ତାପ ଏଥିପାଇଁ ଠିକ ବୋଲି ପୁଅ ସୁରେଶ କୁହନ୍ତି । ମୃଦଙ୍ଗ ରେ କିରଣ ଦେବାପାଇଁ ପାଞ୍ଚଶହ ଟଙ୍କା ମୂଲ୍ୟ ଦେବାକୁ ପଡିଥାଏ । ଦୁଇପଟ ତଳା ଛପର ପାଇଁ ତିନି ହଜାର ଟଙ୍କା ଦେବାକୁ ପଡିଥାଏ ।

ନୂଆ ମୃଦଙ୍ଗ ର ମୂଲ୍ୟ ଛଅହଜାର, ତବଲା ଚାରି ହଜାର, ଲାଲ ଚାରି ହଜାର, ଢୋଲକ ପାଞ୍ଚ ହଜାରରେ ବିକ୍ରୟ ହେଉଛି ବୋଲି ବନ୍ଧୁ କୁହନ୍ତି । ସାମଗ୍ରୀର ଅଭାବ ଓ ମୂଲ୍ୟ ବୃଦ୍ଧି ଯୋଗୁ ବାଦ୍ୟ ଯନ୍ତ୍ରର ମୂଲ୍ୟ ବଢ଼ି ଯାଉଛି । ଏତେ ପରିଶ୍ରମ କଲେବି ଆଶାନୁରୂପ ରୋଜଗାର ହୋଇପାରୁନି । ବିଭିନ୍ନ କୌଳିକ ବୃତ୍ତି ପାଇଁ ରାଜ୍ୟ ସରକାର ଉନ୍ନତ କାରିଗରୀ ତାଲିମ ଓ ପ୍ରୋତ୍ସାହନ ଦେଉଛନ୍ତି । ବଢ଼େଇଙ୍କୁ ଉନ୍ନତ ମାନର କାଠ କାମ କରିବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଅତ୍ୟାଧୁନିକ ମାଟି କାମପାଇଁ କୁମ୍ଭାରମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି । ତନ୍ତ କାର୍ୟ୍ୟ କରୁଥିବା ମିସ୍ତ୍ରୀ ମାନଙ୍କୁ ମଧ୍ୟ ଉନ୍ନତ ଜ୍ଞାନ କୌଶଳ ପ୍ରଶିକ୍ଷଣ ଦିଆଯାଉଛି । ଫଳରେ ସେମାନେ କୌଳିକ ବୃତ୍ତିରେ ଉନ୍ନତ ମାନର ସାମଗ୍ରୀ ଉତ୍ପାଦନ କରିବାକୁ ସକ୍ଷମ ହେଉଛନ୍ତି । ହେଲେ ଆଜି ପର୍ୟ୍ୟନ୍ତ ସରକାର ଚମଡା ବାଦ୍ୟ ଯନ୍ତ୍ର ତିଆରି କରୁଥିବା କାରିଗରଙ୍କୁ ପ୍ରଶିକ୍ଷଣ ଦେଉନାହାନ୍ତି ।

ସେଥିପାଇଁ ମୃଦଙ୍ଗ ତଳି ସଫା କରିବା ପାଇଁ ପଥରରେ ଘସିବାକୁ ପଡୁଛି ଏବଂ ମୃଦଙ୍ଗ ତଳିକୁ ଘଷି ନିଆଁରେ ଶୁଖାଇବାକୁ ପଡୁଛି ବୋଲି ବନ୍ଧୁ ମନ ଦୁଃଖରେ କହିଛନ୍ତି । ନୂତନ ଜ୍ଞାନ କୌଶଳରେ କାମ ଶିଖିଲେ ବାଦ୍ୟଯନ୍ତ୍ର ଗୁଡିକ ଉନ୍ନତ ମାନର ହେବ, ପରିଶ୍ରମ କମିବ, ମୂଲ୍ୟ କମିବ ଓ ଲୋକଙ୍କ ଚାହିଦା ବଢିବ । ନ ହେଲେ ଆଗାମୀ ଦିନରେ ନାମ ସଙ୍କିର୍ତନ, ପାଲା ପରିବେଷଣ କେବଳ କ୍ୟାସେଟ ଯୋଗେ ଲୋକେ ଶୁଣିବେ । ଏଥିପାଇଁ ମୃଦଙ୍ଗ ନଥିବ କିମ୍ବା ପାଞ୍ଚଜଣ ବସି ନାମ ସଙ୍କିର୍ତନ କରିବା ଦେଖିବାକୁ ମିଳିବ ନାହିଁ । କି ପୂଜା ପାର୍ବଣରେ ମୃଦଙ୍ଗ ବଜାଇ ସଙ୍କିର୍ତନ କରିବା ସମ୍ଭବ ହେବ ନାହିଁ କି ପାଲା , ଦଶକାଠିଆ ରେ ମୃଦଙ୍ଗ ବାଜି ପାରିବ ନାହିଁ ।

Leave a Reply

Your email address will not be published. Required fields are marked *