କଟକ,୧୩/୦୫/୨୦୨୫(ଓଡ଼ିଶା ସମାଚାର)- ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ସୋମବାର ଶପଥ ଗ୍ରହଣ କରିଛନ୍ତି । କର୍ଣ୍ଣାଟକ ହାଇକୋର୍ଟରୁ ବଦଳି ହୋଇ ଆସିଥିବା ଜଷ୍ଟିସ ଶ୍ରୀପଦ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ହାଇକୋର୍ଟ ପରିସର ସ୍ଥିତ ନୂଆ କନଫରେନ୍ସ ହଲରେ ସୋମବାର ପୂର୍ବାହ୍ନ ୧୦ଟାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରୀଶ ଟଣ୍ଡନ ନବନିଯୁକ୍ତ ବିଚାରପତି ଜଷ୍ଟିସ ଶ୍ରୀପଦଙ୍କୁ ଶପଥ ପାଠ କରାଇଛନ୍ତି ।

ସୂଚନାଯୋଗ୍ୟ, ଜଷ୍ଟିସ ଦୀକ୍ଷିତ କି୍ରଷ୍ଣା ଶ୍ରୀପଦ ୧୯୮୯ ମସିହାରେ ଜଣେ ଆଇନଜୀବୀ ଭାବେ ନିଜର ବୃତିିଗତ ଜୀବନ ଆରମ୍ଭ କରିଥିଲେ । କର୍ଣ୍ଣାଟକ ଏବଂ ମାଡ଼୍ରାସ ହାଇକୋର୍ଟରେ ସେ ଜଣେ କଂଷ୍ଟିଚୁ୍ୟସନାଲ ଓକିଲ ଭାବେ ବେଶ ସୁନାମ ଅର୍ଜନ କରିଥିଲେ ।
ତା’ ସହିତ ସମୟକ୍ରମେ ସେ ଭାରତୀୟ ନିର୍ବାଚନ କମିଶନ, ୟୁନିଭରସିଟି ଗ୍ରାଂଟ କମିଶନଙ୍କ ଓକିଲ ଭାବେ ବେଶ୍ ଦକ୍ଷତାର ସହିତ କାମ କରିଛନ୍ତି । ୨୦୧୪ ମସିହାରେ ସେ ଆସିଷ୍ଟାଂଟ ସଲିସିଟର ଜେନେରାଲ ଭାବେ ଭାରତ ସରକାରଙ୍କ ପାଇଁ କାର୍ଯ୍ୟ କରିଥିଲେ । ୨୦୧୮ ମସିହା ଫେବୃଆରୀ ୧୪ ତାରିଖରେ ତାଙ୍କୁ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା ।
ଶପଥ ଗ୍ରହଣ ଉତ୍ସବରେ ଓଡ଼ିଶା ହାଇକୋର୍ଟର ସମସ୍ତ ବିଚାରପତି, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପୋଲିସ କମିଶନର କଟକ ଡିସିିପିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ଆଇନଜୀବୀମାନେ ଯୋଗ ଦେଇଥିଲେ । ଜଷ୍ଟିସ ଶ୍ରୀପଦ କାର୍ଯ୍ୟରେ ଯୋଗଦେବା ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୯ରେ ପହଂଚିଛି ।
