ଜଗତସିଂହପୁର ଜିଲ୍ଲାପ୍ରଶାସନ ପକ୍ଷରୁ ଉତ୍ତାପ ଜନିତ ପରିସ୍ଥିତିର ମୁକାବିଲା ପାଇଁ ସତର୍କତା ଜାରୀ

ଜଗତସିଂହପୁର, ୩୧/୦୫/୨୦୨୪ (ଓଡ଼ିଶା ସମାଚାର)-ରାଜ୍ୟରେ ଭୟଙ୍କର ଉତ୍ତାପ ଜନିତ ପରିସ୍ଥିତି ସୃଷ୍ଟି ହୋଇଛି।ଜଗତସିଂହପୁର ପରି ଉପକୂଳବର୍ତ୍ତୀ ଜିଲ୍ଲାରେ ଗୁଳୁ ଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ ୪୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତା ତିନିଦିନ ଏହି ଉତ୍ତାପ ଜନିତ ପରିସ୍ଥିତି ଜାରି ରହିବା ସହିତ ଏଥିରେ ଦୁଇରୁ ତିନି ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ଘଟିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ରାତିର ତାପମାତ୍ରା ସ୍ୱଭାବିକ ଠାରୁ ଅଧିକ ଥିବାରୁ ଉଷ୍ମ ରାତି ଜନିତ ଅକ୍ଷଲର୍ଟ ଜାରି କରାଯାଇଛି ।
ଏ ସମ୍ପର୍କରେ ଜଗତସିଂହପୁର ଜିଲ୍ଲାପାଳ ଅନୁପମ ସାହାଙ୍କ ପକ୍ଷରୁ ଜିଲ୍ଲାରେ ଉତ୍ତାପ ଜନିତ ପରିସ୍ଥିତିର ମୁକାବିଲା ପାଇଁ ଜନ ସଚେତନତା ଓ ସତର୍କ ସୂଚନା ଜାରିକରାଯାଇଛି । ସକାଳ ୧୧ଟାରୁ ଅପରାହ୍ଣ ୩ ଟା ମଧ୍ୟରେ ବାହାରକୁ ଯାଉଥିବା ଲୋକଙ୍କୁ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦିଆଯାଇଛି । ଏହି ସମୟ ମଧ୍ୟରେ କୌଣସି କାମ ନ କରିବାକୁ କୁହାଯାଇଛି । ସମସ୍ତ ଯାତ୍ରୀବାହୀ ବସରେ ଆବଶ୍ୟକ ପାନୀୟଜଳ,ଓ଼ଆରଏସ ଏବଂ ବରଫ କ୍ୟୁବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉତ୍ତାପ ଜନିତ ପରିସ୍ଥିତିରେ ପୀଡ଼ିତଙ୍କ ଚିକିତ୍ସା ପାଇଁ ମେଡିକାଲରେ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଜିଲ୍ଲାପାଳ ଶ୍ରୀ ସାହା ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସାଧାରଣ ଜନତାଙ୍କୁ ଏହି ସମୟ ମଧ୍ୟରେ ଅତ୍ୟନ୍ତ ଆବଶ୍ୟକ ନ ଥିଲେ ବାହାରକୁ ଯିବାକୁ ବାରଣ କରାଯାଇଅଛି। ବାହାରକୁ ବାହାରିବା ସମୟରେ ସୂତା ଓ ଢ଼ିଲା ପୋଷାକ ପିନ୍ଧି, ମୁଣ୍ଡରେ ଓଦା ଗାମୁଛା ବାନ୍ଧି, ସାଙ୍ଗରେ ପାଣି ବୋତଲ, ଛତା,ଜୋତା ଆଦି ନେଇ ଯିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଲମ୍ବା ସମୟ ଧରି ଖରା ରେ ଛିଡା ନ ହୋଇ ମଝିରେ ମଝିରେ ଛାଇ ରେ ବିଶ୍ରାମ ନେବାକୁ ଓ ଅସୁସ୍ଥ ଲାଗିଲେ ଓ ଆର୍ ଏସ୍ ପିଇବା ସହ ଓଦା କପଡା ରେ ପୋଛି ହେବା ,ଯଥେଷ୍ଟ ପରିମାଣରେ ପାଣି, ଘୋଳଦହି, ତୋରାଣି ଆଦି ପିଇବା ପାଇଁ ପରାମର୍ଶ ଦିଆଯାଇଛି। ଖରା ରେ ଅଧିକ ଶାରୀରିକ ପରିଶ୍ରମ ନ କରି ସକାଳ ୧୧ ଟା ପୂର୍ବରୁ ଏବଂ ଖରା କମିବା ପରେ କାମକୁ ବାହାରିବା କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ,କୌଣସି ଜରୁରୀ ପରିସ୍ଥିତି ଆସିଲେ ଜିଲ୍ଲା ରେ ଖୋଲାଯାଇଥିବା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍, ଯାହାର ଟୋଲ ଫ୍ରି ନମ୍ବର ୧୦୭୭ ରହିଛି , ସେଥିରେ ଯୋଗାଯୋଗ କରିବା ପାଇଁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *