କେନ୍ଦ୍ରାପଡ଼ା,୦୬/୧୦/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ପୌରସଂସ୍ଥା ଟାଉନ ହଲରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଜିଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଅଭିଯୋଗ ଶୁଣାଣି ଶିବିରରେ ମୋଟ ୧୧୮ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥିମଧ୍ୟରୁ ୧୦୯ଟି ବ୍ୟକ୍ତିଗତ ହୋଇଥିବା ବେଳେ ୯ଟି ସାମୂହିକ ଅଭିଯୋଗ ରହିଥିଲା । ଏହି ଅବସରରେ ୮ ଜଣଙ୍କୁ ୨୩ ହଜାର ଟଙ୍କାର ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଇଛି ।
ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳ ରଘୁରାମ ଆର. ଆୟର ଅଭିଯୋଗ ଗୁଡିକର ଶୁଣାଣି କରିଥିବା ବେଳେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା, ଉପଜିଲାପାଳ ଅରୁଣ କୁମାର ନାୟକ, କେନ୍ଦ୍ରାପଡ଼ା ବିଡିଓ ଅଭିଷେକ ସ୍ୱାଇଁ, କେନ୍ଦ୍ରାପଡ଼ା ଭାରପ୍ରାପ୍ତ ତହସିଲଦାର ରବି ନାରାୟଣ ଆଚାର୍ଯ୍ୟ, କେନ୍ଦ୍ରାପଡ଼ା ପୌରସଂସ୍ଥାର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରି, ଜିଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ ଓ ଲାଇନ ଡିପାର୍ଟମେଂଟର ଯନ୍ତ୍ରୀମାନେ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣିରେ ସହାୟତା କରିଥିଲେ ।
ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲାପାଳ ଶ୍ରୀ ଆୟାର ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ଆସନ୍ତା ୧୩ ତାରିଖରେ ଗରଦପୁର ବ୍ଲକ କାର୍ଯାଳୟ, ୨୦ରେ ରାଜନଗର ବ୍ଲକ କାର୍ଯ୍ୟାଳୟ ଏବଂ ୨୭ରେ ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ବୋଲି ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ସୂଚନା ଦେଇଛନ୍ତି ।
