ଦଳିତ ମହିଳାଙ୍କ ଅଗୋଚରରେ କୋଇଲିପୁର ପ୍ୟାକ୍ସରେ ଋଣ ଉଠାଣ ଅଭିଯୋଗ

କେନ୍ଦ୍ରାପଡ଼ା, ୦୨/୦୧/୨୦୨୪ (ଓଡ଼ିଶା ସମାଚାର)-ଜନୈକ ଦଳିତ ମହିଳାଙ୍କ ଅଗୋଚରରେ ତାଙ୍କ ନାମରେ ରାଜନଗର ବ୍ଲକ ଅନ୍ତର୍ଗତ କୋଇଲିପୁର ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଋଣ ଉଠାଣ ହୋଇଥିବା ନେଇ ସଂପୃକ୍ତ ମହିଳା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡା ଜିଲାର ରାଜନଗର ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମର ରବିନ୍ଦ୍ର ସେଠୀଙ୍କ ପତ୍ନୀ ପ୍ରମିଳା ସେଠୀ ଜିଲାପାଳଙ୍କ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ ସେ କୋଇଲିପୁର ପ୍ୟାକ୍ସରେ ଗତ ୨୦୧୮ମସିହାରେ ୧୦ହଜାର ୭ଶହ ଟଙ୍କା କୃଷି ଋଣ କରି ଶୁଝି ଦେଇଥିଲେ । ଏହାପରେ ସେହି ସମିତିର ସମ୍ପାଦକଙ୍କୁ ବାରମ୍ବାର ନିବେଦନ କରିଥିଲେ ବି ତାଙ୍କୁ କୌଣସି ଋଣ ପ୍ରଦାନ କରାଯାଇନଥିଲା । ଶ୍ରୀମତୀ ସେଠୀ ପରବର୍ତୀ ସମୟରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ରାଜନଗର ଶାଖାରୁ ତାଙ୍କ ଆକାଉଂଟ ବହିର ଏକ ନକଲ ହାସଲ କରିବା ପରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ନାମରେ ଗତ ୨୫.୦୩.୨୦୧୯ରିଖରେ ୩୫ହଜାର ଟଙ୍କା, ୩୦.୧୨.୨୦୧୯ରେ ୬୧ହଜାର ଟଙ୍କା, ୩୦.୦୯.୨୦୨୦ରିଖରେ ୬୪ହଜାର ୨୫୦, ୧୫.୦୭.୨୦୨୧ରେ ୬୫ହଜାର ୬୮୦, ୩.୦୭.୨୦୨୩ରିଖରେ ୬୮ହଜାର ୫ଶହ ଓ ୭.୧୨.୨୦୨୩ରିଖରେ ୬୮ହଜାର ୫ଶହ ଟଙ୍କା କୃଷି ଋଣ ଉଠାଇ ନିଆଯାଇଛି । ଏହି ଋଣ ସମିତିର ସମ୍ପାଦକ ଉଠାଇ ନେଇଥିବା ସେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ସେ ସମିତିର ସମ୍ପାଦକଙ୍କୁ ପଚାରିବାରେ ସମ୍ପାଦକ ତାଙ୍କୁ ଜାତିଆଣ ଆଖେପ କରିବା ସହ ଗାଳିଗୁଲଜ କରିଥିବା ସେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ସେ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି । ଜଣେ ଦଳିତ ମହିଳାଙ୍କ ନାମରେ ତାଙ୍କ ଅଗୋଚରରେ ଋଣ କରି ଅର୍ଥ ଉଠାଇନେବା ଏବଂ ଗାଳିଗୁଲଜ କରିଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *