-ହତ୍ୟାର କାରଣ ଅସ୍ପଷ୍ଟ- ଅର୍ଥଲୋଭ ନା ଅନୈତିକ ସଂପର୍କର ମୋହ !
ନିରାକାରପୁର,୦୨/୦୧/୨୦୨୪ (ଓଡ଼ିଶା ସମାଚାର)- ପ୍ରାୟ ୬ ବର୍ଷ ତଳେ ନାଟକରେ ନାରୀ ଚରିତ୍ରରେ ଅଭିନୟ କରିବାକୁ ଆସିଥିବା ଯୁବକ ପ୍ରଥମେ ହେଲେ ଧର୍ମପୁଅ ଓ ପରେ ବଢିଲା ସଂପର୍କ । ଦୁଇ ପୁଅ ନିଜର ଭାଇ ଭଳି ସମୟ କାଟୁଥିଲେ । ବିଭିନ୍ନ କାର୍ଯ୍ୟରେ ସହଯୋଗ କରୁଥିଲେ । କିନ୍ତୁ ଆଜି ସବୁ କିଛି ସଂପର୍କ ତୁଟାଇ ଧର୍ମପୁଅ ହତ୍ୟା କଲା ମୋ ପୁଅକୁ । ପୋଲିସ ତାକୁ ଧରି ଉଚିତ ଶାସ୍ତି ଦେବାକୁ କୋହଭରା କଣ୍ଠରେ କାନ୍ଦି କାନ୍ଦି ପୋଲିସ ଆଗରେ ଏଭଳି କହି ନେହୁରା ହୋଇଛନ୍ତି ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଶଗଡ଼ଭଙ୍ଗା ଗ୍ରାମର ଆଶକର୍ମା ଜୟନ୍ତୀ ବଳିୟାରସିଂହ । ସୂଚନାଯୋଗ୍ୟ କି ଶଗଡ଼ଭଙ୍ଗା ଗ୍ରାମକୁ ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ କୁଳିଆପଡ଼ା ଗ୍ରାମର ସୋମନାଥ ଲାଠି ଗ୍ରାମରେ ଅନୁଷ୍ଠିତ କାଳୀଦଳନ ନାଟକରେ ନାରୀ ଚରିତ୍ର ଯଶୋଦା ଭୂମିକାରେ ଅଭିନୟ କରିବାକୁ ଆସୁଥିବାବେଳେ ନାଟକ ଲାଇନରେ ସଂପୃକ୍ତ ଉକ୍ତ ଗ୍ରାମର ଜୟନ୍ତୀ ବଳିୟାରସିଂହ(୫୧) ପିତା ସ୍ୱର୍ଗତ ରବିନ୍ଦ୍ର ବଳିୟାରସିଂହଙ୍କ ପୁତ୍ର ରଶ୍ମିରଞ୍ଜନ ବଳିୟାରସିଂହ ଓରଫ ନିଲୁ (୩୦) ସହ ବନ୍ଧୁତା ହେଲା । ପରେ ବନ୍ଧୁତା ଏତେ ନିବିଡ଼ ହେଲା ଯେ ସୋମନାଥକୁ ଜୟନ୍ତୀ ବଳିୟାରସିଂହ ଧର୍ମପୁଅ ବୋଲି ସମ୍ବୋଧନ କରି ନିଜ ପୁଅ ଭଳି ବ୍ୟବହାର ଦେଖାଇଥିଲେ । ଏହାର ସୁଯୋଗ ନେଇ ସେମାନାଥ ଆସି ବିଭିନ୍ନ ସମୟରେ ଶଗଡ଼ଭଙ୍ଗା ରେ ଜୟନ୍ତୀଙ୍କ ଘରେ ରହିବା ସହିତ ନିଲୁ ସହିତ ଭାଇ ଭଳି ବିଭିନ୍ନ କାମ କାର୍ଯ୍ୟରେ ସହଯୋଗ କରୁଥିଲା । ନିଲୁ ଓରଫ ରଶ୍ମି ରଞ୍ଜନ ବି ବର୍ତମାନ ରାମ ନାଟକରେ ବାଲ୍ମିକ ଭୂମିକାରେ ଅଭିନୟ କରୁଥିଲେ । କିନ୍ତୁ ପୂର୍ବରୁ ଅନୁଷ୍ଠିତ ହେଉଥିବା କାଳୀୟଦଳନ ନାଟକରେ ନିଲୁ କଂସ ଭୂମିକାରେ ଅଭିନୟ କରୁଥିବାବେଳେ ସୋମନାଥ ଯଶୋଦା ଭୂମିକାରେ ଅଭିନୟ କରୁଥିଲେ । ଜୟନ୍ତୀ ପରିବରରେ ପୁଅ ରଶ୍ମିରଞ୍ଜନ ଓ ଗୋଟିଏ ଝିଅ ରହୁଥିବାବେଳେ ଝିଅ ଉଚ୍ଚ ଶିକ୍ଷା ପାଇଁ ବାହାରରେ ରହି ଆସୁଥିଲେ । ନିଲୁ ରାମ ନାଟକରେ ଅଭିନୟ କରୁଥିବାବେଳେ ଅଭିନୟ କରୁଥିବା ଅନ୍ୟ ଜଣେ ଯୁବତୀ ଅଭିନେତ୍ରୀ ସହିତ ପ୍ରେମ ସଂପର୍କ ଗଢି ଉଠିଥିଲା । ଏହାକୁ ସହ୍ୟ କରିପାରି ନଥିଲା ସୋମନାଥ । ସେ ଉଭୟଙ୍କ ପ୍ରେମ ଓ ଆଗକୁ ହେବାକୁ ଥିବା ବିବାହକୁ ବିରୋଧ କରୁଥିଲା । ଏଭଳି କିଛି କଥା ଓ ଅନ୍ୟ କିଛି କଥାକୁ ନେଇ ମାସେ ତଳେ ଜୟନ୍ତୀଙ୍କ ପରିବାର ସୋମନାଥ ସହିତ ବଚସା ହେବା ସହ ଘରକୁ ଆସିବାକୁ ବାରଣ କରିଥିଲେ । ଫଳରେ ସୋମନାଥ ଗ୍ରାମକୁ ପଳାଇ ଯାଇଥିଲା ।
ଗତ ୩୧ ତାରିଖରେ ପୁନର୍ବାର ଆସି ଗ୍ରାମରେ ହେଉଥିବା ନାଟକ ଦେଖିବା ସହିତ ୧ ତାରିଖରେ ନିକଟ ଚମ୍ପତିପୁର ନାଟକରେ ଅଭିନୟ କରିବାକୁ ନିଲୁ ଯାଉଥିବାବେଳେ ସୋମନାଥକୁ ମନା କରିବା ସହିତ ସେ ତା ସହିତ ନାଟକ ଦେଖିବାକୁ ଯାଇଥିଲା । ପରେ ଆଜି ଆସି ଉଭୟ ଘରେ ଶୋଇଥିବାବେଳେ ମାଆ ଆଶାକର୍ମୀ ଜୟନ୍ତୀ ନିଜର ଡ଼ି୍ୟୁଟି କରିବାକୁ ୯ଟାରେ ଯାଇ ଦିନ ୩ଟାରେ ଘରେ ଆସିବା ପରେ ଘର ଆଗପଟୁ ଚାବି ପଡ଼ିଥିବା ଦେଖି ଭାବିଥିଲେ ଦୁଇଜଣ ଯାକ ବୋଧେ କେଉଁଠାକୁ ଯାଇଛନ୍ତି । ପରେ ଅଧିକା ସମୟ ହେବା ପରେ ନିଶୁଣୀ ପକାଇ ସ୍କାଇଲାଇଟ ପଟେ ପାଣି ମାରିଥିଲେ । ଅଧିକ ସନ୍ଦେହ ହେବା ପରେ ଚାବି ଭାଙ୍ଗି ଦେଖିବାବେଳକୁ ପୁଅକୁ ହତ୍ୟା କରି ସୋମନାଥ ଫେରାର ହୋଇ ଯାଇଥିବାବେଳେ ଘରେ ଥିବା ଝିଅ ବାହାଘର ପାଇଁ ୫ ଭରି ସୁନାରୂପା ଅଳଙ୍କାର ସହିତ ଧାନ ବିକା ଏକ ଲକ୍ଷ ଟଙ୍କା ନେଇ ଯାଇଛି । ପରେ ଘଟଣାସ୍ଥଳକୁ ଜଙ୍କିଆ ଥାନା ଆଇଆଇସି ପ୍ରଜ୍ଞାରିତମ୍ଭରା କର ,ଖୋର୍ଦ୍ଧା ଏସଡ଼ିପିଓ ଦିଲ୍ଲୀପ କୁମାର ଦାସ ଓ ସାଇଂଟିଫିକ ଟିମ ଆସି ଅନୁସନ୍ଧାନ ଜାରି ରଖିବା ସହିତ ଶବକୁ ଜବତ କରି ବ୍ୟବଛେଦ ପାଇଁ ଖୋର୍ଦ୍ଧା ପଠାଇଛନ୍ତି । ଶେଷ ଖବର ସୁଦ୍ଧା ପୋଲିସ ବିଭିନ୍ନ ଟିମ ଗଠନ କରି ହତ୍ୟାକାରୀକୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଥିବା ଜଣାପଡ଼ିଛି ।
ଧର୍ମପୁଅ କରିବା ହେଲା କାଳ – ପୁଅକୁ ହତ୍ୟାକରୀ ସୁନାରୂପା ସହିତ ଏକ ଲକ୍ଷ ଟଙ୍କା ନେଇ ଫେରାର
