କେନ୍ଦ୍ରାପଡ଼ା,୦୨/୦୫/୨୦୨୫(ଓଡ଼ିଶା ସମାଚାର)- ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ୯୪.୯୩ ପ୍ରତିଶତ ହୋଇଥିବା ବେଳେ କେନ୍ଦ୍ରାପଡା ଜିଲାରେ ଏହା ୯୬.୪ପ୍ରତିଶତ ହୋଇଛି । ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ସାରା ରାଜ୍ୟରେ କେନ୍ଦ୍ରାପଡା ଜିଲା ତୃତୀୟ ସ୍ଥାନରେ ରହିଥିବା ଜଣାପଡିଛି । ଜିଲାର ୩୪୬ଟି ବିଦ୍ୟାଳୟର ମୋଟ ୧୮ହଜାର ୧୯୩ଜଣ ଛାତ୍ରଛାତ୍ରୀ ଚଳିତବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୁରଣ କରିଥିବା ବେଳେ ସେଥିମଧ୍ୟରୁ ୨୭୭ଜଣ ଅନୁପସ୍ଥିତ ଥିବା ବେଳେ ୧୭ହଜାର ୯୧୬ଜଣ ମାଟ୍ରିକ ପରୀକ୍ଷା ଦେଇଥିଲେ ।
ସେମାନଙ୍କ ମଧ୍ୟରୁ ଏ-୧ ଗ୍ରେଡ୍ ରେ ୬୩ଜଣ, ଏ-୨ଗ୍ରେଡ୍ ରେ ୪୨୮ଜଣ,ବି-୧ ଗ୍ରେଡ୍ ରେ ୧୩୩୩ଜଣ, ବି-୨ ଗ୍ରେଡ୍ ରେ ୩୧୬୬ଜଣ, ସି- ଗ୍ରେଡ୍ ରେ ୪୯୮୮ଜଣ, ଡି- ଗ୍ରେଡ୍ ରେ ୫୧୮୭ଜଣ ଓ ଇ- ଗ୍ରେଡ ରେ ୨୧୦୮ଜଣ ପାସ କରିଛନ୍ତି । ଜଣଙ୍କର ପରୀକ୍ଷା ଫଳ କପି ଯୋଗୁଁ ସ୍ଥଗିତ ରହିଥିବା ବେଳେ ୬୪୨ଜଣ ଫେଲ ହୋଇଛନ୍ତି । ମୋଟ ୧୭ହଜାର ୨୭୩ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୮ହଜାର ୪୯୪ଜଣ ଛାତ୍ର ଓ ୮ହଜାର ୭୭୯ଜଣ ଛାତ୍ରୀ ଅଛନ୍ତି ।
ଜିଲାର ମୋଟ ପାସ ହାର ୯୬.୪ପ୍ରତିଶତ ହୋଇଥିବା ବେଳେ ଛାତ୍ର ପାସହାର ୪୭.୪୧ ପ୍ରତିଶତ ଓ ଛାତ୍ରୀଙ୍କ ପାସ ହାର ୪୯ପ୍ରତିଶତ ରହିଛି । କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କାଠିଆପଡାର ଦକ୍ଷିଣେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଶୁଭମଜ୍ୟୋତି ରାଉତ ମୋଟ ୫୭୫ନମ୍ବର ମାର୍କ ରଖି ଏ-୧ଗ୍ରେଡରେ ପାସ କରିବା ସହ ଜିଲା ଟପ୍ପର ହୋଇଥିବା ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜିଲା ବିଜ୍ଞାନ ପରିଦର୍ଶକ ନିଶିଥ କୁମାର ବାରିକ ସୂଚନା ଦେଇଛନ୍ତି । ଶୁଭମଜ୍ୟୋତି ହେଉଛନ୍ତି ମହାକାଳପଡା ବ୍ଲକର ଖୋଳାନଈ ଗ୍ରାମର ମନୋଜ କୁମାର ରାଉତ ଓ ମିନତୀ ସୁନ୍ଦରରାୟଙ୍କ ପୁତ୍ର ।