କେନ୍ଦ୍ରାପଡ଼ା,୨୯/୦୪/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲା ସିଟୁ କାର୍ଯ୍ୟାଳୟ ପରିସରରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ ଗୁଡିକର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଏକ କନଭେନସନ ଅନୁଷ୍ଠିତ ହୋଇଯାଇଛି ।
ଶ୍ରମିକନେତା ଜଗତଜୀବନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କନଭେନସନରେ ଟ୍ରେଡ ୟୁନିଅନ ଆଇନ ବଦଳରେ ୪ଟି ଶ୍ରମକୋର୍ଡ ଗଠନ ଓ ଶ୍ରମିକ କଲ୍ୟାଣ ବୋର୍ଡର ରାଜନୀତିକରଣକୁ ବିରୋଧ, ପାଚିକା ଓ ଆଶାମାନଙ୍କୁ ସରକାରୀ ଚାକିରୀ ମାନ୍ୟତା ସହ ମାସିକ ବେତନ ୨୨ହଜାର ଟଙ୍କା ପ୍ରଦାନ, କୃଷିଜାତ ପଦାର୍ଥର ସର୍ବନିମ୍ନ ମୂଲ୍ୟ ପାଇଁ ଆଇନ ପ୍ରଣୟନ, ନିର୍ମାଣ ଶ୍ରମିକମାନଙ୍କ ସମସ୍ତ ବକେୟା ସହାୟତା ତୁରନ୍ତ ପ୍ରଦାନ, କେନ୍ଦ୍ରାପଡା ଜିଲାରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରାଯିବା ଏବଂ ଜିଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା କରାଯିବା ଦାବିରେ ଆଗାମୀ ମଇଁମାସ ୨୦ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଧର୍ମଘଟକୁ ସଫଳ କରାଯିବାକୁ ନିଷ୍ପତିି ଗ୍ରହଣ କରାଯାଇଥିଲା ।
ଏହି କନଭେନସନରେ ଆଇଏନଟିୟୁସିର ମୁକ୍ତାର ଖାଁ, ବାବାଜୀ ଧଳ, ପ୍ରକାଶ ଚନ୍ଦ୍ର ମହାନ୍ତି, ଶ୍ରମିକ ନେତା ଫକୀର ଚରଣ ଖଟୁଆ, ବସନ୍ତ କୁମାର ସେଠୀ, ମାଧବ ଦାସ, ବିଧୁଭୂଷଣ ମହାପାତ୍ର, ଅଜିତ ପରିଡା, ସୁହାନା ବେଗମ ପ୍ରମୁଖ ବକ୍ତବ୍ୟ ରଖି ଆସନ୍ତା ଧର୍ମଘଟକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ତ୍ରିଲୋଚନ ଦାସ, ସରୋଜ ଦାସ, ମନୋଜ ମଲ୍ଲିକଙ୍କ ସମେତ ଶତାଧିକ ଶ୍ରମ ସଂଗଠନର ନେତୃତ୍ୱ ଓ ଶ୍ରମିକମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ବୈଠକ ପ୍ରାରମ୍ଭରେ ପହେଲଗ୍ରାମ ଠାରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ଶିବ ପ୍ରସାଦ ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।
