ସୁଭଦ୍ରା ଫର୍ମ ଓ ପଞ୍ଜୀକରଣ ପାଇଁ ଅର୍ଥ ଦାବି କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

                  ମହିଳା ଶିଶୁ ବିକାଶ ବିଭାଗ ତରଫରୁ ସମସ୍ତ କେନ୍ଦ୍ରକୁ ପ୍ରତି ଫର୍ମର ଅପଲୋଡ଼ିଂ ପାଇଁ ୧୫ ଟଙ୍କା ପ୍ରଦାନ କରାଯାଉଛି ।

ଭୁବନେଶ୍ୱର, ୧୦/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମହିଳାମାନଙ୍କୁ ସଶକ୍ତ ଓ ସ୍ଵାବଲମ୍ବୀ କରିବା ନିମନ୍ତେ ରାଜ୍ୟ ସରକାର ସୁଭଦ୍ରା ଯୋଜନା ପ୍ରଣୟନ କରିଛନ୍ତି । ଏହି  ଯୋଜନା ପାଇଁ ଓଡ଼ିଶାର  ଘରେ ଘରେ  ଉତ୍ସାହ ଦେଖିବାକୁ ମିଳିଛି । ରାଜ୍ୟ ମହିଳା ଶିଶୁ ବିକାଶ ବିଭାଗର ଡାଟାବେସରୁ ମିଳୁଥିବା ତଥ୍ୟ ଅନୁଯାୟୀ ସମଗ୍ର ଓଡ଼ିଶାରେ ଆଜି(୧୦/୦୯/୨୦୨୪) ସୁଦ୍ଧା ପନ୍ଦର ଲକ୍ଷରୁ ଅଧିକ ଫର୍ମ ପଞ୍ଜିକରଣ ହୋଇଛି । ଏହି ଯୋଜନା ଅନ୍ତର୍ଗତ ଆବେଦନ ଫର୍ମ ବିତରଣ ଓ ଅନଲାଇନ ପଞ୍ଜୀକରଣ କରିବା ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ । କିନ୍ତୁ କେତେକ ସ୍ଥାନରେ ଅଙ୍ଗନବାଡି କର୍ମୀ, ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ଉଭୟ ଫର୍ମ ପାଇଁ ଓ  ଅନଲାଇନରେ  ଫର୍ମ ଅପଲୋଡ କରିବା ପାଇଁ  ୫୦ ରୁ ୨୦୦  ଟଙ୍କା ଅର୍ଥ ଦାବି କରୁଥିବା ସୂଚନା ମିଳୁଛି । ଯେକୌଣସି ସ୍ଥାନରେ ସୁଭଦ୍ରା ଫର୍ମ ପାଇଁ ଅର୍ଥ ଦାବି କରାଯାଉଥିଲେ, ସେଥି ନିମନ୍ତେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ, ଆବେଦନ ଫର୍ମ ବଣ୍ଟନରେ ଅବହେଳା ଅଭିଯୋଗରେ ବାଲେଶ୍ଵର ଜିଲ୍ଲା ପ୍ରଶାସନ ଦ୍ୱାରା ଜଣେ ଅଙ୍ଗନବାଡି କର୍ମୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ଏକ ମାସର ଦରମା ବନ୍ଦ କରା ଯାଇଛି । ସେହିଭଳି ଫର୍ମ ପଞ୍ଜିକରଣ ପାଇଁ ଅର୍ଥ ଦାବି କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶସ୍ଥିତ  ଜନସେବା କେନ୍ଦ୍ର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଉକ୍ତ  ଜନସେବା କେନ୍ଦ୍ରକୁ ସାମୟିକ ବନ୍ଦ କରି ଦିଆଯାଇଛି । ଏତଦଭିନ୍ନ ହେଲ୍ପଲାଇନ ନମ୍ବରକୁ ଆସିଥିବା ଏକ କଲ୍ କୁ ଆଧାର କରି କଟକ ଜିଲ୍ଲା ଆଠଗଡ଼ରେ ଏକ ମୋ ସେବା କେନ୍ଦ୍ରରେ  ଫର୍ମ ବିକ୍ରି ଓ ପୂରଣ ବାବଦରେ ୧୦୦ ଟଙ୍କା ଅର୍ଥ ଦାବି ଅଭିଯୋଗ ବିରୁଦ୍ଧରେ  କଟକ ମହାନଗର ନିଗମ ପକ୍ଷରୁ ଏତଲା ଦାଖଲ ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ସୁଭଦ୍ରା ଫର୍ମର ସମସ୍ତ ପ୍ରକ୍ରିୟା, ସ୍କାନିଂ  ଓ ଅପଲୋଡ କରିବା ନିମନ୍ତେ ଜିଏସଟି ସହ ପ୍ରତି ଫର୍ମ ପାଇଁ  ୧୫ ଟଙ୍କା ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଉଦ୍ଦିଷ୍ଟ କେନ୍ଦ୍ରକୁ ପ୍ରଦାନ କରାଯାଉଛି । ତେଣୁ ଜନସାଧାରଣଙ୍କ  ଅବଗତି ନିମନ୍ତେ ବିଭାଗ ପକ୍ଷରୁ ଜଣାଇ ଦିଅଯାଉଛି କି ଯେକୌଣସି କେନ୍ଦ୍ରରେ କେହି କର୍ମଚାରୀ କୌଣସି କାରଣ ଦର୍ଶାଇ ଅର୍ଥ ଦାବି କରିବା ଦୃଷ୍ଟିକୁ ଆସିଲେ ତୁରନ୍ତ ନିକଟସ୍ଥ ଥାନାରେ ଅଭିଯୋଗ କରନ୍ତୁ । ଉକ୍ତ କର୍ମଚାରୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *