୨୦୦୬ ଜଙ୍ଗଲ ଅଧିକାର ଆଇନକୁ କଡ଼ାକଡ଼ି ଲାଗୁ କରିବା ଦାବିରେ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ ।

ଭବାନୀପାଟଣା,୨୯/୦୪/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ) ଭାରତୀୟ କମ୍ୟୁନିଷ୍ଟ ପାର୍ଟି କଳାହାଣ୍ଡି ଜିଲ୍ଲା ପରିଷଦ ପକ୍ଷରୁ ରାଜ୍ୟ ସମ୍ପାଦକ ଦାମୋଦର ବେହେରାଙ୍କ ନେତୃତ୍ୱରେ ଯେଉଁ ପରିବାର ଭୂମିହୀନ ଓ ଜମିହୀନ ସେହି ପରିବାରଙ୍କୁ ଦଖଲ ଚାଷଜମି ସମେତ ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ କୁ କଡ଼ାକଡ଼ି ଭାବେ ପାଳନ କରି ସମସ୍ତ କୃଷକ ପରିବାର ସମେତ ଆଦିବାସୀ ଦଳିତ ବନବାସୀଙ୍କ ପାରମ୍ପାରିକ ଅଧିକାର ଓ ଚାଷ ଉପଯୋଗୀ ଜମିର ସ୍ଥାୟୀ ପଟ୍ଟା ଓ ଘରଡ଼ିହ ନଥିବା ପରିବାରଙ୍କୁ ବସବାସ କରୁଥିବା ଜାଗର ସ୍ଥାୟୀପଟ୍ଟା ପ୍ରଦାନ ଦାବିରେ ଜିଲ୍ଲାପାଳ ଅଫିସ ଆଗରେ ୩ଦଫା ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

         ସମଗ୍ର ଓଡ଼ିଶାରେ ଭୂମିହୀନ ଓ ଜମିହୀନ ଅନେକ ପରିବାର ରହିଛନ୍ତି । ସେହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାରେ ୩୭ ଭାଗ ପରିବାର ଭୂମିହୀନ ଓ ଜମିହୀନ ରହିଛନ୍ତି । ଏ ପର୍ଯ୍ୟନ୍ତ ତାହାର କୌଣସି ସମାଧାନ ହୋଇପାରି ନାହିଁ , ଯାହା ଫଳରେ ଦାଦନ ସମସ୍ୟା ବଢ଼ିବାରେ ଲାଗିଛି । ହାତକୁ କାମ ନାହିଁ, ଜୀବନ ଜୀବିକା ପାଇଁ ଲୋକେ ବାହାର ରାଜ୍ୟକୁ କାମ ଅନ୍ୱେଷଣରେ ଚାଲି ଯାଉଛନ୍ତି ଲୋକେ ଏବଂ ଦାଦନ ଶବ ହୋଇ ଫେରୁଥିବା ନଜରକୁ ଆସୁଛି ।

            ପୁରୁଷ ପୁରୁଷ ଧରି ବସବାସ କରି ଆସୁଥିବା କଲମପୁର ବ୍ଲକ, ବେଲପଡ଼ା ଗାଁର ୮୫ ପରିବାରଙ୍କୁ ଘରଡ଼ିହ ପ୍ରଦାନ, ଯାକମ୍ ଗାଁକୁ ବିଦ୍ୟୁତ୍ ସଂଯୋଗିକରଣ, ଭୂମିହୀନକୁ ଘରଡ଼ିହ, ଜମିହୀନକୁ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ ଓ ୨୦୦୬ ଜଙ୍ଗଲ ଅଧିକାର ଆଇନକୁ କଡ଼ାକଡ଼ି ଲାଗୁ କରିବା ଦାବିରେ ସିପିଆଇ ଜିଲ୍ଲା ସହ ସମ୍ପାଦକ ସଞ୍ଜୟ ସୁନାନୀ ଙ୍କ ସମେତ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଜଗଦୀଶ ଦୁର୍ଗା, ମାଧବ ଚନ୍ଦ୍ର ସାହୁ, ହିମାଂଶୁ ନାଏକ, ଯଶୋବନ୍ତ ବେମାଲ ପ୍ରମୁଖ ଉପସ୍ଥିତ ଥାଇ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏହାର ସଠିକ୍ ସର୍ଭେ କରି ହିତାଧିକାରୀଙ୍କୁ ଥଇଥାନ କରିବାର ଉପଯୁକ୍ତ ବ୍ୟବସ୍ଥା କରିବାକୁ ଅନୁରୋଧ କରିବା ସହିତ ଦାବି ପୂରଣ ନହେଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିବା ବେଳେ, ଓଡ଼ିଶା ସରକାର ଆଗାମୀ ଦିନରେ ଏମାନଙ୍କ ପ୍ରତି କି ପଦକ୍ଷେପ ଗ୍ରହଣ କରିବେ ତାହା ଆଗାମୀ ଦିନରେ ଜଣା ପଡ଼ିବ ।

Leave a Reply

Your email address will not be published. Required fields are marked *