ସାଧାରଣ  ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଆନୁକୂଲ୍ୟରେ ରାଷ୍ଟ୍ରୀୟ ସିଭିଲ ସେବା ଦିବସ-୨୦୨୫ ପାଳିତ

  • ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବା ସହ ସମୃଦ୍ଧ ଓଡ଼ିଶା ଗଠନରେସିଭିଲ ସେବା ଅଧିକାରୀମାନଙ୍କର ପ୍ରମୁଖ ଯୋଗଦାନ ରହିବ-ମୁଖ୍ୟମନ୍ତ୍ରୀ
  • “ଶାସନ ପ୍ରକ୍ରିୟାରେ ଉନ୍ନତି ପାଇଁ ପ୍ରଶାସନିକ ସେବାରେ ଅଭିବୃଦ୍ଧି ମାନସିକତା”ସମ୍ପର୍କିତ ଆଲୋଚନା

ଭୁବନେଶ୍ୱର,୨୨/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆମ ଦେଶ ଭାରତର ବିକାଶ ଯାତ୍ରାର ପ୍ରଚ୍ଛଦରେ ସିଭିଲ ସେବା ଅଧିକାରୀମାନଙ୍କର ମୁଖ୍ୟ ଭୂମିକା ରହିଛି। ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସିଭିଲ ସେବା ଅଧିକାରୀମାନଙ୍କୁ  ଭାରତର ଷ୍ଟିଲ୍‍ ଫ୍ରେମ ବୋଲି କହିଛନ୍ତି।  ଦେଶର ପ୍ରଶାସନିକ ଢାଞ୍ଚାକୁ ଏହି ସେବା ହିଁ ସୁଦୃଢ଼ କରିଛି। ସିଭିଲ ସେବାହିଁ ଦେଶର ସାମଗ୍ରିକ ସଫଳତା ଓ ଉତ୍କର୍ଷର ମେରୁଦଣ୍ଡ। ଏହା ହିଁ ଚିନ୍ତା,ଚେତନା ଓ ମୂଲ୍ୟବୋଧଭିତ୍ତିକ ଅଗ୍ରଗତିର ପ୍ରୟୋଗଶାଳା ବୋଲି ଆଜି “ରାଷ୍ଟ୍ରୀୟ ସିଭିଲ ସେବା ଦିବସ-୨୦୨୫”ପାଳନ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମସ୍ତ ସିଭିଲ ସେବା ଅଧିକାରୀମାନଙ୍କୁ କହିଛନ୍ତି ।

ଭୁବନେଶ୍ୱର ଲୋକସେବା ଭବନସ୍ଥିତ କନଭେନ୍ସନ ସେଣ୍ଟରରେ ସାଧାରଣ  ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅନ୍ତର୍ଗତ ସେଣ୍ଟର ଫର ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ୍ସ(ସିଏମଜିଆଇ) ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରତିଷ୍ଠାନ ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଅବସ୍ଥାପିତ ପ୍ରଶାସନିକ ଅଧିକାରୀମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଭିଡିଓ ବାର୍ତ୍ତାରେ ଉଦବୋଧନ ଦେଇ କହିଥିଲେ ଯେ, ଓଡ଼ିଆ ଜାତିର ସାମୂହିକ ଚେତନା ଭିତରେ ଏକ ମୁଖ୍ୟ ଅଭିଳାଷ ହେଉଛି ସମୃଦ୍ଧ ଓଡ଼ିଶା ଗଠନ। ଏହା ସହିତ ଜନମଙ୍ଗଳ କ୍ଷେତ୍ରରେ ଆମର ଲକ୍ଷ୍ୟଗୁଡ଼଼ିକୁ ସଂପୂର୍ଣ୍ଣ ଭାବରେ ପୂରଣ କରିବା ଜରୁରୀ। ସମସ୍ତଙ୍କ ପାଇଁ ବାସଗୃହ, ପାନୀୟ ଜଳ, ବିଜୁଳି, ଯୋଗାଯୋଗ ଆଦି ମୌଳିକ ସୁବିଧା ଗୁଡ଼ିକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପୂରଣ ହେବାର  ଆବଶ୍ୟକତା ସଂପର୍କରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି  ଯେ, ଆମ ସରକାର ହେଉଛି ଲୋକଙ୍କ ସରକାର। ଏକ ସମ୍ବେଦନଶୀଳ ସରକାର। ଗରିବ ଓ ଅସହାୟ ଲୋକଙ୍କ ସମସ୍ୟା ଦୂର କରିବା ବ୍ୟକ୍ତିଗତ ଭାବେ ତାଙ୍କର  ପ୍ରାଥମିକତା। ତେବେ ଲୋକଙ୍କ ସମସ୍ୟା ଯେତେଦୂର ସମ୍ଭବ, ତୃଣମୂଳ ସ୍ତରରେ ସମାଧାନ ହେବା ଆବଶ୍ୟକ। ଏଥିପାଇଁ କ୍ଷେତ୍ର ସ୍ତରର ସିଭିଲ ସେବା ଅଧିକାରୀମାନେ ସଚେତନ ଭାବେ ଉଦ୍ୟମ କରିବା ଆବଶ୍ୟକବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସିଭିଲ୍ ସେବା ଅଧିକାରୀମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆପଣମାନଙ୍କ ଜ୍ଞାନ, ଦକ୍ଷତା ଓ କର୍ମନିଷ୍ଠା ଉପରେ ସମସ୍ତଙ୍କର ଭରସା ଅଛି। ଆପଣମାନେ ଆମ ମୂଲ୍ୟବାନ ବୌଦ୍ଧିକ ସମ୍ପତ୍ତି। ଆପଣମାନଙ୍କ ନିଷ୍ଠା, ଶ୍ରମ ଓ ତ୍ୟାଗର ବିସ୍ତୀର୍ଣ୍ଣ ଭୂଇଁରେ ଆମ ରାଜ୍ୟ ତଥା ଦେଶର ସ୍ୱପ୍ନ ବାସ୍ତବତାର ରୂପ ନେଇଥାଏ। ଆପଣମାନଙ୍କ ସହଯୋଗ ଓ ଆନ୍ତରିକତା  ଜନସାଧାରଣଙ୍କ ସହ ସରକାରଙ୍କ ସଂଯୋଗର ସେତୁ ହେଇ ରହିଥାଏ।“  ରାଜନୈତିକ ଓ ପ୍ରଶାସନିକ ଅଙ୍ଗର ସମନ୍ୱିତ ନେତୃତ୍ୱରେ ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବା ସହ ୨୦୩୬ ମସିହା ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ କରିବାରେ ନିଶ୍ଚୟ ସଫଳ ହେବା ବୋଲି ମୁଖ୍ୟମନ୍ତ୍ରୀ ବିଶ୍ଵାସ ରଖିଛନ୍ତି । ଏହି ଅବସରରେ ସେ ସିଭିଲ ସେବା ଅଧିକାରୀମାନଙ୍କର  ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନର ସଫଳତା କାମନା କରିଛନ୍ତି ।

ଏହି ଅବସସରରେ ରାଜ୍ୟ ସରକାରଙ୍କ ତରଫରୁ ଏକ ଉନ୍ନୟନ ମୂଳକ ଭିଡ଼ିଓ ଉପସ୍ଥାପିତ କରାଯାଇଥିଲା । ଏଥିରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର ଉକ୍ତି-ବିକଶିତ ଭାରତର ଦୃଷ୍ଟିକୋଣକୁ କାର୍ଯ୍ୟରେ ପରିଣତ କରିବା ପାଇଁକେବଳ ଆଧୁନିକ ଭିତ୍ତିଭୂମି କିମ୍ବା ଆଧୁନିକ ନିର୍ମାଣ କ୍ଷେତ୍ରରେ ସୀମିତ ହେବ ନାହିଁ ବରଂ ଦେଶର ସରକାରୀ ବ୍ୟବସ୍ଥା, ସରକାରୀ କର୍ମଚାରୀ ପ୍ରତ୍ୟେକ ଦେଶବାସୀଙ୍କ ସ୍ୱପ୍ନକୁ ସାକାର କରିବାରେ ସେମାନଙ୍କୁ ସହାୟତା କରିବାର ଆବଶ୍ୟକତା ସଂପର୍କରେ ଦେଇଥିବା ଆହ୍ୱାନ ସଂପର୍କରେ ଉପସ୍ଥାପନ କରାଯାଇଥିଲା ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଯୋଗଦେଇ “ଶାସନ ପ୍ରକ୍ରିୟାରେ ଉନ୍ନତିପାଇଁପ୍ରଶାସନିକସେବାରେଅଭିବୃଦ୍ଧିମାନସିକତାର ବିକାଶର ଆବଶ୍ୟକତା ” ( ଡେଭେଲପିଂ ଏ ଗ୍ରୋଥ ମାଇଣ୍ଡସେଟ୍ ଇନ୍ ସିଭିଲ୍ ସର୍ଭିସ୍ ଫର ଇମ୍ପ୍ରୁଭିଂ ଗଭର୍ଣ୍ଣାସ୍) ପ୍ରସଙ୍ଗ ସମ୍ପର୍କରେ ବିସ୍ତୃତ ଭାବେ  ଉପସ୍ଥାପନ କରିଥିଲେ । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ,  ରାଜ୍ୟ ସରକାରଙ୍କ ଉପରେ ରାଜ୍ୟର  ୪.୫ କୋଟି ଲୋକଙ୍କର ଆଶା ଆକାଂକ୍ଷା ରହିଛି । ସେମାନଙ୍କର ପ୍ରତ୍ୟେକ ଆବଶ୍ୟକତାକୁ  ପୂରଣ କରିବା ପାଇଁ ପ୍ରଶାସନିକ ଅଧିକାରୀମାନେ ନିଜର ଦକ୍ଷତା ଓ ଜ୍ଞାନ ବୃଦ୍ଧି କରିବା,ପ୍ରଶାସନିକ ଜଟିଳତାର ପ୍ରତ୍ୟେକ ଦୃଷ୍ଟିକୋଣକୁ ବୁଝିବା, ଅନୁଶୀଳନ କରିବା ସହିତ ସହଜ ଓ ସରଳ ଭାବେ ଦୃଢତାର ସହ ଲୋକଙ୍କୁ ସେବା ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଥିଲେ ।

ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶାର ଯେଉଁ ପରିକଳ୍ପନା କରାଯାଇଛି, ଏହାକୁ ବାସ୍ତବ ରୂପାୟନ ଦେବାରେ ସେମାନଙ୍କର ବିଶ୍ୱାସ କାର୍ଯ୍ୟକାରିତାରେ ସଫଳତା ଆଣିପାରିବ ବୋଲି ସେ ପ୍ରକାଶ କରିଥିଲେ । ପ୍ରଶାସନିକ ଅଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଥିଲେ ଯେ, ବିକାଶ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାରେ ସେମାନଙ୍କର କ୍ଷମତା, ସାମର୍ଥ୍ୟ ଓ ଦକ୍ଷତା ରହିଛି । ବିକାଶ ପାଇଁ ଓଡ଼ିଶାର ସମ୍ବଳ ରହିଛି । ଆମକୁ ଏଥିପାଇଁ ଆବଶ୍ୟକ ପରିବର୍ତ୍ତନ କରିବା ଏବଂ ଏପରି ଇକୋସିଷ୍ଟମ ବିକଶିତ କରିବାକୁ ପଡ଼ିବ, ଯଦ୍ୱାରା ଆମେ ପ୍ରତ୍ୟେକ କାର୍ଯ୍ୟକୁ ସହଜରେ କରିପାରିବା ଓ ଲୋକମାନଙ୍କୁ ସେବା ଦେଇପାରିବା  ବୋଲି ସେ କହିଥିଲେ ।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ୱାଗତ ଭାଷଣ ପ୍ରଦାନ କରି ପ୍ରସଙ୍ଗ ଉପରେ ଆଲୋକପାତ କରି କହିଥିଲେ ଯେ, ବିଭିନ୍ନ କ୍ଷେତ୍ରରେ ଅବସ୍ଥାପିତ ଥିବା ସିଭିଲ ସେବା ଅଧିକାରୀମାନେ ସରକାରୀ ସେବା ଦକ୍ଷତାର ସହ ସଂପାଦନ ନିମନ୍ତେ ସଂପୃକ୍ତ କ୍ଷେତ୍ରରେ ସାମୁହିକ ସହଯୋଗରେ କାର୍ଯ୍ୟକରିବାର ଗୁରୁତ୍ୱ ରହିଛି । ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭  ଭଳି ଆକାଂକ୍ଷିତ ଲକ୍ଷ୍ୟ ସାଧନରେ ସିଭିଲସେବା ଅଧିକାରୀମାନଙ୍କର ସକରାତ୍ମକ ଭାବନା ଓ କାର୍ଯ୍ୟ ଦକ୍ଷତା ଉପରେ ସେ ଆଲୋକପାତ କରିଥିଲେ ।

ଏହି ଅବସରରେ ରାଜ୍ୟ ପୁଲିସ୍ ମହା ନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି. ଖୁରାନିଆ ଯୋଗଦେଇ ପ୍ରଶାସନିକ ସେବାରେ ଆଇନର ଗୁରୁତ୍ୱ ସଂପର୍କରେ ଉପସ୍ଥାପନ କରିଥିଲେ । ସେ କହିଥିଲେ ଯେ, ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ,  ଆଇନ୍ ଶୃଙ୍ଖଳା ରକ୍ଷା ଦିଗରେ ରାଜ୍ୟକୁ ସଫଳତା ଦେଇଛି ଓ ଏ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଅନୁକରଣୀୟ ହୋଇଅଛି । ସମଗ୍ରସରକାରୀ ଆଭିମୁଖ୍ୟ ନେଇ   ରାଜ୍ୟ ସରକାରଙ୍କ ସହଯୋଗ,  ପୁଲିସ୍ ଆଧୁନିକୀକରଣ  କ୍ଷେତ୍ରରେ ଉନ୍ନତି ଘଟିଛି  ବୋଲି ସେ ପ୍ରକାଶ କରିଥିଲେ ।

 ସିଏମଜିଆଇର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ତଥା ପ୍ରଶାସନିକ ଅଧିକାରୀ ଶ୍ରୀ ବିନୀତ ଭରଦ୍ୱାଜ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ପ୍ରାରମ୍ଭିକ ଉପସ୍ଥାପନ କରିଥିଲେ ।  କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ମହାଲେଖାକାର,ଓଡିଶା,ଭୁବନେଶ୍ୱର ଶ୍ରୀ ଡି.ବି.ସାହୁ, ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍) ଶ୍ରୀ ସୁରେଶ ପନ୍ଥ, ଓଡ଼ିଶା ମଣ୍ଡଳର ମୁଖ୍ୟ ଡାକ ଅଧିକ୍ଷକ ଶ୍ରୀ ନିର୍ମଳଜିତ୍ ସିଂ, ପ୍ରମୁଖ ଆୟକର ଆୟୁକ୍ତ ଶ୍ରୀମତୀ ପାରମିତା ଶତପଥି ତ୍ରିପାଠୀ ପ୍ରମୁଖ ଯୋଗଦେଇ ରାଷ୍ଟ୍ରୀୟ ସିଭିଲ ସେବା ଦିବସ ଉପଲକ୍ଷେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସେହିପରି  କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରତିଷ୍ଠାନ ଏବଂ ବିଭାଗରେ ଅବସ୍ଥାପିତ ପ୍ରଶାସନିକ ତଥା ସିଭିଲ ସେବା ଅଧିକାରୀମାନେ ଆଲୋଚ୍ୟ ପ୍ରସଙ୍ଗରେ ତଥା ଦିବସ ଉପଲକ୍ଷେ ନିଜ ନିଜର ମତ ରଖିଥିଲେ ।  ରାଜ୍ୟ ପ୍ରକଳ୍ୱ ନିର୍ଦ୍ଦେଶିକା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶ୍ରୀମତୀ ସ୍ମିତା ରାଉତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

ପଠାଣି ରାଉତ, ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

()

Leave a Reply

Your email address will not be published. Required fields are marked *