ରାଜ୍ୟସ୍ତରୀୟ ଜନାକୀ ବଲ୍ଲଭ ପଟ୍ଟନାୟକ ଶ୍ରାଦ୍ଧ ଉତ୍ସବ ପାଳିତ ।
ଭୁବନେଶ୍ୱର,୨୧/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଜାନକୀ ବାବୁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ଜନନେତା ଥିଲେ ବୋଲି ସୋମବାର ସନ୍ଧ୍ୟାରେ ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୧୦ମ ଶ୍ରାଦ୍ଧ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦଇ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ କହିଛନ୍ତି ।
ପ୍ରଦୀପ ପ୍ରଜ୍ଜ୍ୱଳନ କରି ମୁଖ୍ୟ ଅତିଥି ଶ୍ରୀ ଘଡ଼ାଇ ଜାନକୀ ବାବୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଜାନକୀ ବାବୁଙ୍କୁ ଜଣେ ଉତୁଙ୍ଗ ବ୍ୟକ୍ତିତ୍ୱ ବୋଲି କହିଥିଲେ । ହଜାର ଦିନରେ ହଜାର କୋଟି ଟଙ୍କାର ହଜାର ଶିଳ୍ପ ପ୍ରତିଷ୍ଠା କରି ଓଡ଼ିଶାର ଅଗଣିତ ଯୁବପିଢିଙ୍କୁ ସେ ଶିଳ୍ପାଭିମୁଖୀ କରାଇଥିଲେ । ସେ ଜାଣିଥିଲେ ଯେ, ଶିଳ୍ପ ହେଲେ ହିଁ ଓଡ଼ିଶାରୁ ବେକାରୀ ଓ ଦାରିଦ୍ର୍ୟତା ଘୁଂଚିବ ।
ସମ୍ମାନିତ ଅତିଥି ପୂର୍ବତନ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ ୧୯୮୦ ମସିିହାରେ ଓଡ଼ିଶାର ଅର୍ଥନୀତି ଅତ୍ୟନ୍ତ ଦୁର୍ବଳ ଥିଲା, କିନ୍ତୁ ସେହି ସ୍ୱଳ୍ପ ଆୟ ଭିତରେ ଓଡ଼ିଶାକୁ ଭାରତବର୍ଷର ଏକ ନମ୍ବର ରାଜ୍ୟ ଭାବେ ଗଢିବା ପାଇଁ ଜାନକୀ ବାବୁ ତାଙ୍କ ଚେଷ୍ଟାରୁ କେବେ ବିଚୁ୍ୟତ ହୋଇନଥିଲେ । ତଳେ ପଡ଼ିଥିବା ମଣିଷ ମୁହଁରେ ହସ ଫୁଟାଇବା ପାଇଁ ସେ ଦୁଇ ଟଙ୍କିଆ ଚାଉଳ ଓ ଆଇଆରପି, ଡିଆରପି ଭଳି କାର୍ଯ୍ୟକ୍ରମମାନ ପ୍ରଚଳନ କରିଥିଲେ । ବିଶିଷ୍ଟ ବକ୍ତା ପ୍ରଫେସର ହରେକୃଷ୍ଣ ଶତପଥୀ ଶ୍ରଦ୍ଧାଞ୍ଜଳି ଜଣାଇ, ଜନାକୀ ବାବୁଙ୍କୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଜଣେ ସମର୍ପିତ ମଣିଷ ବୋଲି କହିଥିଲେ । ଶ୍ରୀ ଜଗନ୍ନାଥଙ୍କୁ ବିଶ୍ୱ ଦରବାରରେ ପହଂଚାଇବା ଥିଲା ଜାନକୀ ବାବୁଙ୍କ ଆନ୍ତରିକ ଇଚ୍ଛା । ଶ୍ରୀମନ୍ଦିରରେ ହୁଣ୍ଡି ସ୍ଥାପନ କରି ଆର୍ଥିକ ଦୃଷ୍ଟିରୁ ଶ୍ରୀମନ୍ଦିରକୁ ସମୃଦ୍ଧ କରିବା ପାଇଁ ସେ ଏଭଳି ପରିକଳ୍ପନା କରିଥିଲେ । ସମ୍ମାନିତ ଅତିଥି ପୃଥ୍ୱୀବଲ୍ଲଭ ପଟ୍ଟନାୟକ ତାଙ୍କ ପିତାଙ୍କ ଉପରେ ସ୍ମୃତିଚାରଣ କରି ଜାନକୀ ବାବୁଙ୍କୁ ଧୈର୍ଯ୍ୟର ମୂର୍ତିମନ୍ତ ପ୍ରତୀକ ବୋଲି କହିଥିଲେ ।
ରାଜ୍ୟସ୍ତରୀୟ କମିଟିର ଉପସଭାପତି ଅନନ୍ତ ପ୍ରସାଦ ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସ୍ମୃତିଚାରଣ ଉତ୍ସବର ପ୍ରାରମ୍ଭରେ ସାଧାରଣ ସମ୍ପାଦକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଦେବା ପରେ, କୋଷାଧ୍ୟକ୍ଷ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର ଡିନ୍ ପ୍ରଫେସର ସତ୍ୟ ନାରାୟଣ ଆଚାର୍ଯ୍ୟ ଜାନକୀ ବାବୁଙ୍କୁ ଜଣେ ପ୍ରଜ୍ଞାଦୀପ୍ତ ମଣିଷ ଭାବେ ବର୍ଣ୍ଣନା କରିଥିଲେ ।
ଏହି ଅବସରରେ ଆଇନସେବା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ନ୍ୟାୟମୂର୍ତି ଡଃ ବାସୁଦେବ ପାଣିଗ୍ରାହୀ, ସାମ୍ବାଦିକତା ଜଗତର ଅନନ୍ୟ ବିଭୂତି ଶ୍ରୀ ରବି ଦାସ ଓ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ଗବେଷକ ଡଃ ଅସୀତ ମହାନ୍ତିଙ୍କୁ ମୁଖ୍ୟ ଅତିଥି ଶ୍ରୀ ଘଡ଼ାଇ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ-୨୦୨୫ ପ୍ରଦାନ କରିଥିଲେ । ସମାଜସେବୀ ଶ୍ରୀମତୀ ନିବେଦିତା ଭଞ୍ଜଙ୍କ ଦ୍ୱାରା ସ୍ୱର୍ଗତ ଜାନକୀ ବାବୁଙ୍କ ଉପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ବକ୍ତୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ଜଗନ୍ନାଥ ପଟ୍ଟନାୟକ, ପଦ୍ମଶ୍ରୀ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ, ଆଡ଼ଭୋକେଟ ଶୀଳଭଦ୍ର ଶାସ୍ତ୍ରୀ, ଆଲୋକ ମହାନ୍ତି ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶେଷରେ ରଜନୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଶ୍ରୀମତୀ ଲିନା ମିଶ୍ର ଓ ବରୁଣ ରାଜ ପ୍ରମୁଖ ପରିଚାଳନା କରିଥିଲେ ।
