କେନ୍ଦ୍ରାପଡ଼ା,୨୧/୦୪/୨୦୨୫(ଓଡ଼ିଶା ସମାଚାର)- ଆସନ୍ତା ମଇମାସ ୧୦ତାରିଖରେ କେନ୍ଦ୍ରାପଡା ଜିଲାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କେନ୍ଦ୍ରାପଡା ଜିଲା ସଦର ମହକୁମାରେ ଥିବା ଜିଲା ଅଦାଲତ ସମେତ ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗରରେ ଥିବା ଅଦାଲତ ଗୁଡିକରେ ମଧ୍ୟ ଅନୁଷ୍ଠିତ ହେବ । ଜନସାଧାରଣଙ୍କୁ ବିନା ମୂଲ୍ୟରେ ଆଇନସେବା ଯୋଗାଇ ଦେବା ଲକ୍ଷ୍ୟରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଛି ।
ଏଥିରେ ସାଲିସ ଯୋଗ୍ୟ ଫୌଜଦାରୀ ମାମଲା, ଚେକ ବାଉନ୍ସ ସମ୍ବନ୍ଧୀୟ ମାମଲା, ଟଙ୍କା ପୁନରୁଦ୍ଧାର ମାମଲା, ମୋଟରଯାନ ଦୂର୍ଘଟଣା ଜନିତ ମାମଲା, ଶ୍ରମବିବାଦ ଜନିତ ମାମଲା, ବିଦୁ୍ୟତ, ଜଳ ଓ ଅନ୍ୟାନ୍ୟ ବିଲ ଦେୟ ଜନିତ ବିବାଦ(ସାଲିସ ବିହୀନ ବିବାଦକୁ ବାଦ ଦେଇ), ବୈବାହିକ ବିବାଦ(ବିବାହ ବିଛେଦ ବ୍ୟତିତ), ଉଚ୍ଚ ନ୍ୟାୟାଳୟ ଓ ଦେୱାନୀ ଅଦାଲତରେ ଥିବା ଜମି ଅଧିଗ୍ରହଣ ମାମଲା, ଚାକିରୀ ସମ୍ବଦ୍ଧୀୟ ଅବସରକାଳୀନ ପ୍ରାପ୍ୟ ସହିତ ମାମଲା, ଉଚ୍ଚ ନ୍ୟାୟାଳୟ ଓ ଦେୱାନୀ ଅଦାଲତରେ ଥିବା ରାଜସ୍ୱ ମାମଲା, ଅନ୍ୟାନ୍ୟ ଦେୱାନୀ ମାମଲା(ଭଡା, ସହଜ ଅଧିକାର ନିର୍ଦ୍ଧିଷ୍ଟ କାର୍ଯ୍ୟଦକ୍ଷତା ସୁଟ, ନିର୍ଦ୍ଧେଶକ ସୁଟ), ଖାଉଟି ବିବାଦ ଓ ଅନ୍ୟାନ୍ୟ ଫୌଜଦାରୀ ମାମଲା ଗୁଡିକର ଫଇସଲା ହେବ ।
ଏଥିସହିତ ଅଦାଲତରେ ଦାୟର ହୋଇନଥିବା ମାମଲା ଯଥା ଚେକ ବାଉନ୍ସ ସମ୍ବନ୍ଧୀୟ ମାମଲା, ଟଙ୍କା ପୁନରୁଦ୍ଧାର ମାମଲା, ଶ୍ରମବିବାଦ ଜନିତ ମାମଲା, ସ୍ଥାୟୀ ଲୋକ ଅଦାଲତର ଅନ୍ୟାନ୍ୟ ଦେୱାନୀ(ସାଲିସ ବିହୀନ ବିବାଦକୁ ବାଦ ଦେଇ), ରକ୍ଷଣାବେକ୍ଷଣ ମାମଲା ଓ ଅନ୍ୟାନ୍ୟ ମୋକଦ୍ଧମା ଗୁଡିକର ଫଇସଲା କରାଯିବ । ମଇଁମାସ ୧୦ତାରିଖ ପୂର୍ବାହ୍ନ ୧୦ଟାରୁ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲା ଦୌରାଜଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆରମ୍ଭ ହୋଇ ଉପରୋକ୍ତ ମାମଲା ଗୁଡିକର ଫଇସଲା କରାଯିବ ବୋଲି ଜିଲା ଆଇନ ସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁ ସୂଚନା ଦେଇଛନ୍ତି ।
