ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅବସର କର୍ମଚାରୀଙ୍କ ଏକଜିକୁ୍ୟଟିଭ୍ କମିଟି ବୈଠକ

ଭୁବନେଶ୍ୱର,୧୬/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଆଜି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅବସର କର୍ମଚାରୀ ସଂଗଠନର ଏକଜିକୁ୍ୟଟିଭ୍ କମିଟି ବୈଠକ ସ୍ଥାନୀୟ ହୋଟେଲ୍ ମିଲିଣ୍ଡ ପାଲେସ୍ ରେ ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ସଭାପତି ଶ୍ରୀଯୁକ୍ତ ମହାନ୍ତି ସଂଗଠନର ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଥିଲେ ।

ଏଥିରେ ସଂଗଠନର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବସନ୍ତ କୁମାର ଦାଶ ତାଙ୍କ କାର୍ଯ୍ୟକାଳ ସମୟର ଏକ ରିପୋର୍ଟ କାର୍ଡ ଉପସ୍ଥାପିତ କରିଥିଲେ । ସେ କହିଥିଲେ ଭାରତ ସରକାରଙ୍କ ନିର୍ଦ୍ଧେଶ ଅନୁଯାୟୀ ଆସନ୍ତା ମଇ ୧ ତାରିଖରୁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଓ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଅଛି । ସେହି ଅନୁଯାୟୀ ଉପରୋକ୍ତ ଦୁଇ ବ୍ୟାଙ୍କର ଅବସର କର୍ମଚାରୀଙ୍କ ସଂଗଠନ କିପରି ମିଶ୍ରଣ ହୋଇ ଏକ ଦୃଢ ସଂଗଠନରେ ପରିଣତ ହେବ ତାହାର ବିଧି ବିଷୟରେ ଆଲୋକପାତ କରିଥିଲେ । କର୍ମଚାରୀମାନଙ୍କର ବିଭିନ୍ନ ଦାବି କିପରି କର୍ତୃପକ୍ଷ ପୂରଣ କରିଛନ୍ତି ଓ ବାକି ଦାବିଗୁଡ଼ିକ କିପରି ଯଥାଶୀଘ୍ର ପୂରଣ ହେବ ସେ ବିଷୟରେ ଜଣାଇଥିଲେ ।

ଏହି ସଭାରେ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଯଥା- ଶ୍ରୀ ଗଣେଶ ଚନ୍ଦ୍ର ମିଶ୍ର, ଏଲ୍.ବି. ମହାପାତ୍ର, ନଚିକାନ୍ତ ଦାସ, ପି.କେ. ମିଶ୍ର, ବିଶ୍ୱେଶ୍ୱର ରାଉତ, ଉପସଭାପତି ଶ୍ରୀଯୁକ୍ତ ସ୍ୱରୂପ ବାସା, ପି.କେ. ଗରାବଡ଼ୁ, ଦେବଦାସ ମହାନ୍ତି ପ୍ରମୁଖ ତାଙ୍କର ମତାମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ନିରଞ୍ଜନ ନାୟକ, ବିଜୟ କୁମାର ନାୟକ, ବେଣୁଧର ପରିଡ଼ା, ଅମର ମହାନ୍ତି, ଅନୁପ କୁମାର ଦାସ, ପ୍ରମୁଖ ସଭା ପରିଚାଳନା କରିଥିଲେ । ସଭା ସମାପ୍ତି ପରେ ଶ୍ରୀ ଗୋପାଳ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ତାହାପରେ ସଭାପତି ଓ ସମ୍ପାଦକଙ୍କ ନେତୃତ୍ୱରେ ଏକ ପାଂଚ ଜଣିଆ ଦଳ ମୁଖ୍ୟ କାର୍ଯ୍ୟାଳୟ ଯାଇ ବ୍ୟାଙ୍କର ଅଧ୍ୟକ୍ଷ ଓ ସାଧାରଣ ପରିଚାଳକଙ୍କୁ ସାକ୍ଷାତ କରି ସଂଗଠନର ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *