ପୂର୍ବ ଭାରତର ପ୍ରଥମ ବତିଘର ଏଠାରେ ରହିଛି- ମନ୍ତ୍ରୀ
କେନ୍ଦ୍ରାପଡ଼ା, ୧୬/୦୪/୨୦୨୫(ଓଡ଼ିଶା ସମାଚାର)- ପୂର୍ବର୍ ଭାରତର ପ୍ରଥମ ବତିଘର ଏହି ଜମ୍ବୁ ଦ୍ୱୀପରେ ରହିଛି । ଏହି ଦ୍ୱୀପରେ ଥିବା ଲାଲ କୋଠାର ଇଞ୍ଜିନିଅରିଂ ସମଗ୍ର ଭାରତରେ ବିରଳ । ପଦ୍ମଶ୍ରୀ ହଳଧର ନାଗ ମଧ୍ୟ ସମଲେଇଙ୍କ ଠାରୁ ଆରମ୍ଭ କରି ମା’ ରାମଚଣ୍ଡୀଙ୍କ ପର୍ଯ୍ୟନ୍ତ ମାହାତ୍ମ୍ୟ ତାଙ୍କ କବିତାରେ ବର୍ଣ୍ଣନା କରିଛନ୍ତି ବୋଲି ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି ।
ମହାକାଳପଡ଼ା ବ୍ଲକ ଅଧୀନ ମା’ ଦରିଆ ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ଜମ୍ବୁଦ୍ୱୀପ ମହୋତ୍ସବକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ମନ୍ତ୍ରୀ ଶ୍ରୀ ସୁରଜ ଆହୁରି କହିଥିଲେ ଯେ ପଲ୍ଲିଶ୍ରୀ ମେଳା ଦ୍ୱାରା ମହିଳାମାନେ ଅଧିକ ସ୍ୱାବଲମ୍ବୀ ହୋଇପାରିବେ । କଳା ପାହାଡ଼ ଏହିଠାରେ ପ୍ରାଣ ତ୍ୟାଗ କରିଥିଲେ । ମନ୍ଦିର ଭାଙ୍ଗିବା ପୂର୍ବରୁ ଜଣେ ମହିଳା ତାଙ୍କୁ ପାଣି ଦେବା ପାଇଁ କହି ଚାଲିଗଲେ । କିନ୍ତୁ ଫେରି ନଥିଲେ । ଅପେକ୍ଷା କରି କଳାପାହାଡର ଜୀବନ ଦ୍ୱୀପ ଲିଭି ଯାଇଥିଲା ବୋଲି ମନ୍ତ୍ରୀ କିମ୍ବଦନ୍ତୀକୁ ଆଧାର କରି କହିଥିଲେ । ଏହି ଅଂଚଳର ସ୍ୱତନ୍ତ୍ରତା ରହିଛି । ଏହି ଅଂଚଳର ଯେତିକି ବିକାଶ ହେବା କଥା ତାହା ହୋଇପାରିନାହିଁ ।
ଜିଲାବାସୀଙ୍କ ସମସ୍ତ ଅଧିକାର ପୂରଣ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ କହିଥିବା ସେ ଘୋଷଣା କରିଥିଲେ । ମେଡିକାଲ କଲେଜ ନିଶ୍ଚିତ ଭାବେ କେନ୍ଦ୍ରାପଡାରେ ହେବ । କିନ୍ତୁ ୨୪ ବର୍ଷ ଧରି ଶାସନରେ ଲୋକ ମେଡିକାଲ କଲେଜ କରିପାରିଲେ ନାହିଁ ତାହାଠୁ ଆଉ ଅଧିକ କିଛି ଦୁଃଖର ବିଷୟ ନାହିଁ ବୋଲି ମନ୍ତ୍ରୀ କହିଥିଲେ । ମହାକାଳପଡ଼ା ବିଧାୟକ ଡ଼.ଦୁର୍ଗା ପ୍ରସନ୍ନ ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଲେ ପ୍ରଥମ ଥର ପାଇଁ ଜମ୍ବୁଦ୍ୱୀପ ମହୋତ୍ସବ ଅନୁଷ୍ଠିତ ହେଉଛି । କିନ୍ତୁ ଏହା ପିଢ଼ି ପିଢ଼ି ଧରି ମନେ ରହିବ । କେନ୍ଦ୍ରାପଡ଼ାର ସାମଗ୍ରିକ ବିକାଶ ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।
ଏଥିସହ କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ । ଅଂଚଳର ଲୁକ୍କାୟିତ ପ୍ରତିଭାର ବିକାଶ ହେଉଛି ଏହି ମହୋତ୍ସବର ମୂଳ ଲକ୍ଷ୍ୟ ବୋଲି ବିଧାୟକ ଡ଼. ନାୟକ କହିଥିଲେ । ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ କହିଲେ ଜମ୍ବୁଦ୍ୱୀପ ହେଉଛି ଓଡ଼ିଆ- ବେଙ୍ଗଲୀ ଭାଇଚାରାର ମାଟି । ପାନୀୟ ଜଳ ସମସ୍ୟା ଏହି ଅଂଚଳରେ ରହିବ ନାହିଁ । ଏ ନେଇ ସରକାର ଚିନ୍ତା କରୁଛନ୍ତି । ପିଲାଙ୍କୁ ବାପା ମା ମାନେ ସଂସ୍କାର ଦେବା ଉଚିତ । ଏହା ନଦେଲେ ବୃଦ୍ଧାବସ୍ଥା ଆଶ୍ରମରେ କଟାଇବାକୁ ପଡ଼ିବ ।
ହାସ୍ୟାଭିନେତା ହରିହର ମହାପାତ୍ର ଯୋଗଦେଇ କହିଲେ ଫିଲ୍ମ ସୁଟିଂ କରିବାରେ ଜମ୍ବୁଦ୍ୱୀପ ଏକ ପ୍ରକୃଷ୍ଠ ସ୍ଥାନ । ପ୍ରକୃତିର ମନୋରମ ପରିବେଶ ଏହି ଦ୍ୱୀପରେ ରହିଛି । ତେଣୁ ଏହିଦ୍ୱୀପ ଦେଶ ବିଦେଶର ଚଳଚିତ୍ର ନିର୍ମାତାଙ୍କୁ ଆକୃଷ୍ଠ କରିଛି । ସାହିତ୍ୟିକ ଡ଼.ବିରଜା ରାଉତରାୟ, ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକ, ଅନ୍ତର୍ଜାତୀୟ ଭଲି ବଲ ଖେଳାଳି ଶିବାନୀ ପ୍ରିୟଦର୍ଶିନୀ ପରିଡ଼ା, ଆଶା କର୍ମୀ ଶିବାନୀ ମଣ୍ଡଳ ପ୍ରମୁଖଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲା ସଭାପତି ଶଶାଙ୍କ ସେଠୀ, ଉପ ଜିଲାପାଳ ଅରୁଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ପାୟଲ ମ୍ୟୁଜିକ ସ୍କୁଲ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା । ଜମ୍ବୁଦ୍ୱୀପ ମହୋତ୍ସବ ଉପରେ ଏକ ସଂଗୀତ ପରିବେଷଣ କରାଯାଇଥିଲା । ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମାହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜିଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ପଲ୍ଲିଶ୍ରୀ ମେଳାକୁ ମନ୍ତ୍ରୀ ଉଦଘାଟନ କରିଥିଲେ ।
