ଭୁବନେଶ୍ଵରରେ ଜଳବାୟୁ ଓ ପରିବେଶ ନ୍ୟାୟ କନଭେନସନ

ବିକାଶ ନାଁରେ ଜଙ୍ଗଲ ଜମି ଜଙ୍ଗଲ ନଦୀ ସମୁଦ୍ରକୁ ନଷ୍ଟ କରାଯାଇ ପାରିବ ନାହିଁ  – ସୌମ୍ୟ  ଦତ୍ତ

ଭୁବନେଶ୍ୱର, ୧୭/୧୨/୨୦୨୪ (ଓଡ଼ିଶା ସମାଚାର)-ପୃଥିବୀରେ  ଜଳବାୟୁ ପରିବର୍ତ୍ତନ ପ୍ରାକୃତିକ  ଭାବରେ  ପ୍ରତି  ଏକଲକ୍ଷ ବର୍ଷରେ ହୋଇଥାଏ । ହେଲେ ଗତ ଏକଶହ କୋଡିଏ ବର୍ଷ ଭିତରେ ଏହା ସଂପୂର୍ଣ୍ଣ ଭାବରେ ବଦଳିବାରେ ଲାଗିଛି । ଆଇପିସିସି ରିପୋର୍ଟ ଅନୁସାରେ ବର୍ତ୍ତମାନ ପ୍ରତିବର୍ଷ ସତେଇଶ ହାଜର  ଜୀବଜନ୍ତୁ ଲୋପ ପାଇବାରେ ଲାଗିଛନ୍ତି । ଏହି ରିପୋର୍ଟ କହୁଛି ଯେ , ଆଗାମୀ ଚାଳିଶରୁ ଷାଠିଏ ବର୍ଷ  ମଧ୍ୟରେ  ଦଶଲକ୍ଷ  ଜୀବଜନ୍ତୁ ପୃଥିବୀ ପୃଷ୍ଠରୁ ଲୋପ ପାଇଯିବେ । ପୂର୍ବରୁ  ବ୍ୟାପକ  ଜଳବାୟୁ  ପରିବର୍ତ୍ତନ କାରଣରୁ ହରପ୍ପା ସଭ୍ୟତା ଲୋପ ପାଇ ଯାଇଥିବା ଗବେଷଣାରୁ ଜଣାପଡେ । ଜାତିସଂଘର ଜଳବାୟୁ ପରିବର୍ତ୍ତନ ଡେସ୍କ ଅନୁସାରେ ଆଗାମୀ ୨୦୩୦ ସୁଦ୍ଧା ଯଦି ଆମେ କାର୍ବନ ଉତ୍ସର୍ଜନ ୪୫ ପ୍ରତିଶତ ନ କମାଇବା, ତେବେ ଏକ ବଡ ବିଧ୍ଵଂସକୁ ରୋକିପାରିବା ନାହିଁ ।  ଭୁବନେଶ୍ଵରସ୍ଥିତ  ଲୋହିଆ ଏକାଡେମୀ ପରିସରରେ ଏନଏପିଏମର ଇକୋଲୋଜିକାଲ ଫୋରମ, ସେଣ୍ଟର ଫର କ୍ଲାଇମେଟ ଜଷ୍ଟିସ ଓ ଲୋହିଆ ଏକାଡେମୀ ପକ୍ଷରୁ  ଆୟୋଜିତ ରାଜ୍ୟ ସ୍ତରୀୟ ଜଳବାୟୁ ଓ ପରିବେଶ ନ୍ୟାୟ କନଭେସନରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗ୍ରୀନପିସ ଏନଭାଓର୍ଣ୍ନମେଣ୍ଟ ଟ୍ରଷ୍ଟର ଅଧ୍ୟକ୍ଷ  ତଥା ବିଶିଷ୍ଟ ପରିବେଶବିତ ସୌମ୍ୟ ଦତ୍ତ କହିଲେ ଯେ, ଦୁନିଆର ଜଳଚକ୍ର ସଂପୂର୍ଣ୍ଣ  ବିଗିଡି ଗଲାଣି ।  ମେରୁ ଅଞ୍ଚଳରେ  ବରଫ ତରଳିବା ଫଳରେ ୟୁରୋପରେ ଥଣ୍ଡା ଓ ଭାରତ ଭଳି ଦେଶରେ ଉତ୍ତାପ ତୀବ୍ର ଭାବରେ ବୃଦ୍ଧି ପାଇବାରେ ଲାଗିଛି । ସରକାର ତଥା କର୍ପୋରେଟମାନେ ବିକାଶ ନାଁରେ ଜଙ୍ଗଲ, ଜମି, ନଦୀ, ସମୁଦ୍ରର ଯେପରି ଲୁଣ୍ଠନ ଚଳାଇଛନ୍ତି, ସେଥିରେ ମଣିଷ ମଧ୍ୟ ବଞ୍ଚିବା ସମ୍ଭବପର ହେବନାହିଁ । ସମଦୃଷ୍ଟିର ସମ୍ପାଦକ ସୁଧୀର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ବିନାୟକ ରଥ, ବ୍ରହ୍ମପୁରର ପ୍ରଫେସର ସୁଧୀର ରାଉତ,ପ୍ରଫେସର ସୁନ୍ଦର ନାରାୟଣ  ପାତ୍ର, ପ୍ରଫେସର ଜୟକୃଷ୍ଣ ପାଣିଗ୍ରାହୀ  ପ୍ରମୁଖ ଦେଶରେ ଚାଲିଥିବା ଅବାରିତ ଖଣି ଖନନ ଓ ପରିବେଶ ପ୍ରଦୂଷଣ ବାବଦରେ ଦର୍ଶାଇ ଏହାକୁ ନରୋକିଲେ ସଭ୍ୟତା ରହିବ ନାହିଁ  ବୋଲି  ଦର୍ଶାଇଥିଲେ । ବିଶିଷ୍ଟ ପରିବେଶବିତ ତଥା ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିଥିଲେ ଓ ଲୋହିଆ ଏକାଡ଼େମୀର ସମ୍ପାଦକ ଦେବ ପ୍ରସାଦ ରାୟ ସ୍ଵାଗତ ଭାଷଣ ଦେଇଥିବା ବେଳେ ମାନସ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।   

ଦ୍ଵିତୀୟ ଅଧିବେଶନରେ ଓଡିଶାର ପ୍ରାକୃତିକ ସଂଶାଧନର ସଂରକ୍ଷଣ ଓ ସମ୍ବର୍ଦ୍ଧନ ଶୀର୍ଷକ ଆଲୋଚନାରେ ଐତିହାସିକ ଅନିଲ ଧୀର, ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ, ପ୍ରଫେସର ନନ୍ଦକିଶୋର ମହାକୁଡ, ବରିଷ୍ଠ ସାମ୍ବାଦିକ ବିଭୁତି ପତି, ଇଂ ମନୋରଞ୍ଜନ ମିଶ୍ର  ପ୍ରମୁଖ ଅଂଶଗ୍ରହଣ କରି ଓଡିଶାରେ ଚାଲିଥିବା ପ୍ରାକୃତିକ ସମ୍ପଦର ଦୋହନକୁ ରୋକିବା ଦିଗରେ ସରକାର ଓ  ଜନ ସାଧାରଣଙ୍କୁ  ଅପିଲକରି ଏକ ସୁଦୃଢ ପରିବେଶ ନୀତି ଓ ତାହାର କାର୍ଯ୍ୟାନ୍ୱୟନ ନିମନ୍ତେ ଦାବି କରିଥିଲେ । ଏହି ଅଧିବେଶନରେ ତୁଷାର ଦାସ  ଅଧ୍ୟକ୍ଷତା କରିଥିବାବେଳେ ସଚିକାନ୍ତ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

ଶେଷ ଅଧିବେଶନରେ ଜଳ ପରିବେଶ ଓ ସଂରକ୍ଷଣ ଶୀର୍ଷକ ଆଲୋଚନାରେ  ତପନ ପାଢୀ  ଅଧ୍ୟକ୍ଷତା କରିଥିବା ବେଳେ  ଚିଲିକା,ଦୟା ଓ ଗଙ୍ଗୁଆ ନଦୀ ବାବଦରେ ପ୍ରଫେସର ଶିବପ୍ରସାଦ ଅଧିକାରୀ, ସୁଦର୍ଶନ  ଦାସ,ଡ କପିଳ ମିଶ୍ର ପ୍ରମୁଖ ଚର୍ଚ୍ଚା କରିଥିଲେ ଓ ଅନୁଭବ ବଳିୟାରସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମ୍ପାନରେ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ପରିବେଶ କର୍ମୀମାନେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *