ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କର ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର,୧୬/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଉମା କାଞ୍ଜିଲାଲ୍ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ସୌଜନ୍ୟମୂଳକ ସାକ୍ଷତ କରିଥିଲେ। ଏହି ଅବସରରେ ପ୍ରଫେସର ଉମା କାଞ୍ଜିଲାଲ୍ ରାଜ୍ୟରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରଚଳନ କରିବା ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ।

ନିକଟ ଅତୀତରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ MBA ପାଠ୍ୟକ୍ରମକୁ ବିଦ୍ୟାର୍ଥୀମାନଙ୍କ ପାଇଁ ଓଡ଼ିଆ ଭାଷାରେ ପ୍ରଚଳିତ କରାଯାଇଛି। ଆଗକୁ ମଧ୍ୟ ବିଭିନ୍ନ ପାଠ୍ୟକ୍ରମ ଯଥା- Diploma in Early Childhood Care and Education (DECE), Bachelor of Arts (BA), Bachelor of Commerce (BCom) ଆଦିକୁ ଓଡ଼ିଆ ଭାଷାରେ ବିଦ୍ୟାର୍ଥୀମାନଙ୍କ ପାଇଁ ଉପଲବ୍ଧ କରିବାର ପ୍ରସ୍ତାବ ଉପରେ କୁଳପତି ପ୍ରଫେସର ଉମା କାଞ୍ଜିଲାଲ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।

ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଆ ମାଧ୍ୟମରେ ପାଠ୍ୟକ୍ରମର ପ୍ରଚଳନ ହେବା ଦ୍ୱାରା ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମକୁ ସହଜ ଏବଂ ସରଳ ଭାବରେ ବୁଝିପାରିବେ ଏବଂ ଏହା ଛାତ୍ରଛାତ୍ରୀମାନଙ୍କର ସୃଜନଶୀଳତା ବିକାଶରେ ସହାୟକ ହେବ। ଏଥିସହିତ ଜାତୀୟ ଶିକ୍ଷା ନୀତି-୨୦୨୦ର ପ୍ରଣୟନ ଏବଂ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଦକ୍ଷତା ବିକାଶ ସଂପର୍କିତ ପାଠ୍ୟକ୍ରମ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।

ଏହି ଅବସରରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ କାଳୀ ପ୍ରସନ୍ନ ମହାପାତ୍ର, ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ପ୍ରଫେସର ନୟନତାରା ପାଢ଼ୀ, ପ୍ରଫେସର ସୁହାସ ଶେତ୍‌ଗୋଭେକର, ପ୍ରଫେସର ଶାଚୀ ଶାହା ପ୍ରମୁଖ ଉପସ୍ଥିତ ଥିଲେ।

-0-

ଅମ୍ଳାନ ଦାସ, ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

()

Leave a Reply

Your email address will not be published. Required fields are marked *