ଭାରତରତ୍ନ ଡ଼ଃ ବି. ଆର୍‌. ଆମ୍ବେଦକରଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ପାଳିତ

ଜଗତସିଂହପୁର ୧୪/୦୪/୨୦୨୫ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ   ଭାରତରତ୍ନ ଡ଼ଃ ବି. ଆର୍‌. ଆମ୍ବେଦକରଙ୍କ ୧୩୪ତମ ଜୟନ୍ତୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ(ଭା ପ୍ର ସେ) ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସାଧାରଣ ସଭା ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ ଯୋଗଦେଇ ଦେଶ ପାଇଁ ଡ଼ଃ ଆମ୍ବେଦକରଙ୍କ ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ । ଉଦ୍‌ବୋଧନ ଛଳରେ ଶ୍ରୀ ଭୋଇ କହିଥିଲେ ଯେ ତାଙ୍କର ଆଦର୍ଶ, ତ୍ୟାଗ, ଶ୍ରେଣୀବିହୀନ ସମାଜ ଗଠନ, ସମାଜର ଦଳିତ ଅବହେଳିତ ଲୋକମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ନିରନ୍ତର ସଂଗ୍ରାମ ଚିରଦିନ ପାଇଁ ସ୍ମରଣୀୟ ହୋଇ ରହିବ ।

ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଦେଶ ଗଠନ, ସମ୍ବିଧାନ ପ୍ରଣୟନ ପରିପ୍ରେକ୍ଷୀରେ ଭାରତ ରତ୍ନ ଡ ବି ଆର ଆମ୍ବେଦକର ଙ୍କ ଅବଦାନ ଉପରେ ଆଲୋକପାତ କରିବାକୁ ଯାଇ ସମାଜରୁ ଭେଦଭାବ, ଛୁଆଁ ଅଛୁଆଁ ମନୋଭାବ ଦୂର କରିବା ଦିଗରେ ତାଙ୍କର ଚିନ୍ତା ଚେତନା ସର୍ବଦା ମହାନ୍ ହୋଇ ରହିବ ବୋଲି କହିଥିଲେ। ଡ଼ଃ ଆମ୍ବେଦକରଙ୍କ ବ୍ୟକ୍ତିତ୍ୱ, ଦକ୍ଷତା, ଜ୍ଞାନ ଗାରିମା ଏବଂ ସମାଜ ସଂସ୍କାର ସବୁବେଳେ ଉତ୍ତରପୀଢିଙ୍କୁ ପ୍ରେରଣା ଯୋଗାଇବ। ବିଶେଷ କରି ଭାରତୀୟ ସମ୍ବିଧାନରେ ପ୍ରଦତ୍ତ ମୌଳିକ ଅଧିକାର, ସମତା, ଭ୍ରାତୃତ୍ୱ ଏବଂ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ନ୍ୟାୟ ଭାରତୀୟ ସମ୍ବିଧାନର ବିଶେଷତ୍ୱ ପାଲଟିଛି ବୋଲି ଜିଲ୍ଲାପାଳ କହିଥିଲେ।ସୁସ୍ଥ ସମାଜ ଓ ସମୃଦ୍ଧ ଦେଶ ଗଠନ ପାଇଁ ଡକ୍ଟର ଆମ୍ବେଦକରଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବାକୁ ସେ ଉପସ୍ଥିତ ଛାତ୍ର ସମାଜ କୁ ଆହ୍ୱାନ ଜଣାଇଥିଲେ ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ  କହିଥିଲେ ଯେ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ପାଇଁ ସମ୍ବିଧାନ ପ୍ରଣୟନରେ ଡଃ ଆମ୍ବେଦକର ଯେଉଁ ନିଷ୍ଠା, ପରାକାଷ୍ଠା ଓ ଦୂରଦୃଷ୍ଟି ପ୍ରତିପାଦନ କରିଛନ୍ତି ତାହା ଭାରତ ଏବଂ ଭାରତର ସମ୍ବିଧାନକୁ ଅନନ୍ୟ କରିଛି । ସେହିପରି ଅନ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ  ଆଧୁନିକ ଭାରତରେ ଡ଼ଃ ଆମ୍ବେଦକରଙ୍କ ଜୀବନାଦର୍ଶର ପ୍ରାସଙ୍ଗିକତା ଉପରେ ଆଲୋଚନା କରିଥିଲେ ।

ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମ୍ବିଧାନ ପ୍ରଣେତା ଡ ଆମ୍ବେଦକର ଙ୍କ ମହାନ ଜୀବନ ଆଦର୍ଶ କୁ ପାଥେୟ କରି ଚାଲିବାକୁ ଯୁବପିଢୀ ଙ୍କୁ ଉପଦେଶ ଦେଇଥିଲେ।ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ବିଦ୍ୟାଳୟସ୍ତରୀୟ ଓଡ଼ିଆ ବକ୍ତୃତା, ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମଞ୍ଚସୀନ ଅତିଥି ମାନେ ପରୁସ୍କୃତ କରିଥିଲେ। ଏହି ସମାରୋହରେ ବିଭିନ୍ନ ବିଭାଗୀୟ ଅଧିକାରୀ/କର୍ମଚାରୀ, ପୌର ପରିଷଦ କର୍ମକର୍ତ୍ତା,ଛାତ୍ରଛାତ୍ରୀ, ଶିକ୍ଷାବିତ୍, ସହର ର ବୁଦ୍ଧିଜୀବୀ,ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ଡ଼ଃ ଆମ୍ବେଦକର ଜୟନ୍ତୀ ପାଳନ ଅବସରରେ ପ୍ରଥମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଥିବା  ବି ଆର୍ ଆମ୍ବେଦକର ଓ  ଅନ୍ୟ ମହାନ୍ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ବିଶିଷ୍ଟ ଶିକ୍ଷାବିତ ଶ୍ରୀ ସୁଭାଷ ଚନ୍ଦ୍ର ରାଉତ କାର୍ଯ୍ୟକ୍ରମର ସଂଚାଳନା କରିଥିଲେ ।

ଏଥି ସହିତ ଗତ ଏପ୍ରିଲ୍ ୧ ତାରିଖ ଠାରୁ ରାଜ୍ୟ ବ୍ୟାପୀ ପାଳନ କରା ଯାଉଥିବା ଓଡ଼ିଆ ପକ୍ଷ ଅବସର ର ଆଜି ଶେଷ ଦିବସ ଥିଲା।ଏହି ପରିପ୍ରେକ୍ଷୀରେ ପୌର ପରିଷଦ ଆନୁକୂଲ୍ୟରେ ଆୟୋଜିତ ପାରମ୍ପରିକ ହୁଳହୁଳି, ଝୋଟି ଚିତା, ପିଠା ତିଆରି ପ୍ରତିଯୋଗିତାର କୃତୀ ମା ମାନଙ୍କୁ ପୁରସ୍କୃତ କରାଯାଇଥିଲା।

Leave a Reply

Your email address will not be published. Required fields are marked *