ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

ଭୁବନେଶ୍ୱର,୧୪/୦୪/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ଜିଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ରବିବାର ଆକ୍ରମଣ ହୋଇଛି । ଶ୍ରୀ ବଳବନ୍ତରାୟ ଧର୍ମଶାଳା ବ୍ଲକ୍ ଆରୁହା ଗ୍ରାମରେ ମା’ ହିଙ୍ଗୁଳାଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଏଭଳି ଘଟଣା ଘଟିଛି । ଅନ୍ୟପକ୍ଷରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ସମର୍ଥକମାନେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଶ୍ରୀ ବଳବନ୍ତରାୟ ଅଭିଯୋଗ ଆଣିଛନ୍ତି ।

ଶ୍ରୀ ବଳବନ୍ତରାୟଙ୍କ ଅଭିଯୋଗ ଅନୁସାରେ ଧର୍ମାଶାଳା ବ୍ଲକ ଆରୁହା ଗ୍ରାମରେ ମା’ ହିଙ୍ଗୁଳାଙ୍କ ଯାତ୍ରାରେ ସାମିଲ ହେବା ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଦିନ ୧ଟା ସମୟରେ ସେ ଆରୁହା ଗାଁରେ ପହଂଚିବା କ୍ଷଣି କିଛି ଲୋକ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ତାଙ୍କୁ ଗାଡ଼ିକୁ ଭଙ୍ଗାରୁଜା ରୁଜା କରିବା ସହ ମରଣାସ୍ତ୍ର ଧରି ଜୀବନରୁ ମାରି ଦେବା ପାଇଁ ଉଦ୍ୟମ କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତେଜନା ଦେଖାଦେଇଥିଲା । ଘଟଣା ସ୍ଥଳରେ ପୁଲିସ ପହଂଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ଗ୍ରାମବାସୀ ଓ ପୁଲିସ ଶ୍ରୀ ବଳବନ୍ତରାୟଙ୍କୁ ମନ୍ଦିର ଦର୍ଶନ କରାଇଥିଲେ । ଘଟଣା ସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ଶ୍ରୀ ବଳବନ୍ତରାୟ କହିଛନ୍ତି, ଆରୁହା ଗାଁରେ ପହଂଚିବା ପରେ ଧର୍ମଶାଳା ବିଧାୟକଙ୍କ ସମର୍ଥକମାନେ ମୋତେ ଜୀବନରୁ ମାରିବା ପାଇଁ ଉଦ୍ୟମ କରିଥିଲେ । ବିଧାୟକଙ୍କ ସମର୍ଥକମାନେ ମୋ ଉପରେ ଆକ୍ରମଣ କରିବେ ବୋଲି ୨ ଦିନ ପୂର୍ବରୁ ଯୋଜନା କରିଥିବା ନେଇ ମୁଁ ଶୁଣିବାକୁ ପାଇଥିଲି । ଏନେଇ ମୁଁ ଏଠାକୁ ଆସିବା ପୂର୍ବରୁ ଯାଜପୁର ଏସପିଙ୍କୁ ଜଣାଇଥିଲି । ମୁଁ ପହଂଚିବା ପରେ ଗୁଣ୍ଡା ଲଗାଇ ମାରିବା ପାଇଁ ଉଦ୍ୟମ କରାଯାଇଥିଲା । ଗାଡ଼ି ଭଙ୍ଗାରୁଜା କରିବା ସହ ଲୋକଙ୍କୁ ମାରପିଟ କରିଛନ୍ତି । ସବୁ ଘଟଣାର ଭିଡିଓ ରହିଛି । ସବୁ ଘଟଣା ପୋଲିସ ସାମ୍ନାରେ ଘଟିଛି । ଏହା ଏକ ନିନ୍ଦନୀୟ ଘଟଣା । ଏସବୁ ଘଟଣା ପାଇଁ ପୁଲିସ ପ୍ରଶାସନ ଦାୟୀ । ଯଦି ପୁଲିସ ସଠିକ ସମୟରେ ସଠିକ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ ତେବେ ଆଜି ଏଭଳି ହୋଇ ନଥାନ୍ତା । ଶାନ୍ତ ଧର୍ମଶାଳା ଏବେ ଅଶାନ୍ତ ହୋଇଯାଇଛି । ବ୍ୟକ୍ତିଗତ ଭାବରେ ମୁଁ ଏଫଆଇଆର ଦେବିନାହିଁ । କାରଣ ଯାଜପୁର ପୁଲିସ ଉପରେ ମୋ ଭରସା ନାହିଁ ବୋଲି ଶ୍ରୀ ବଳବନ୍ତରାୟ କହିଛନ୍ତି ।

Leave a Reply

Your email address will not be published. Required fields are marked *