କେନ୍ଦ୍ରାପଡ଼ା,୧୨/୦୪/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲାରୁ ରେଳବାଇ ଡାକସେବା କାର୍ଯ୍ୟାଳୟ (ଆର. ଏମ. ଏସ.) ଏଠାରୁ ଉଠିଯିବା ନିଷ୍ପତିିକୁ ବିରୋଧ କରି କେନ୍ଦ୍ରାପଡାର ବୁଦ୍ଧିଜୀବୀମାନେ ମହିପାଳସ୍ଥିତ ଆ.ଏମ.ଏସ. କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଗଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବୁଦ୍ଧିଜୀବୀ ମାନେ କହିଥିଲେ ଯେ ଯଦି ଓଡିଶା ସର୍କଲର ମହାଡାକପାଳ କେନ୍ଦ୍ରାପଡାରୁ ଆର.ଏମ.ଏସ. ସ୍ଥାନାନ୍ତରକୁ ସ୍ଥଗିତ ନରଖନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ । ଆର.ଏମ.ଏସ.ସ୍ଥାନାନ୍ତରକୁ ନେଇ କେନ୍ଦ୍ରାପଡାର ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି ।
ବୁଦ୍ଧିଜୀବୀମାନେ କହିଛନ୍ତି କେନ୍ଦ୍ରାପଡା ପ୍ରତି ଏଭଳି ଅନ୍ୟାୟକୁ କଦାପି ବରଦାସ୍ତ କରାଯିବନାହିଁ । କେନ୍ଦ୍ରାପଡାରୁ ଗୋଟିଏ ପରେ ଗୋଟିଏ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର ଘଟଣାକୁ କେନ୍ଦ୍ରାପଡାବାସୀ ଗୁରୁତର ସହକାରେ ନେଇଛନ୍ତି । କେନ୍ଦ୍ରାପଡା ଜିଲା ପ୍ରତି ଚରମ ଅବହେଳା କରାଯାଉଥିବା ବେଳେ ଷଡଯନ୍ତ୍ର କରି ଆର.ଏମ.ଏସ.କାର୍ଯ୍ୟାଳୟକୁ କଟକ ସ୍ଥାନାନ୍ତର କରାଯାଉଛି । ପୂର୍ବରୁ ମଧ୍ୟ ଆର.ଏମ.ଏସ. କୁ ଏଠାରୁ ଉଠାଇ ନିଆଯିବା ପାଇଁ ପ୍ରଚେଷ୍ଟା କରାଯାଇଥିଲା । କିନ୍ତୁ କେନ୍ଦ୍ରାପଡାବାସୀଙ୍କ ପ୍ରବଳ ବିରୋଧ ଯୋଗୁଁ ତାହା ସଫଳ ହୋଇପାରିନଥିଲା ।
ଏବେ ପୁନର୍ବାର ଷଡଯନ୍ତ୍ର ରଚାଯାଇ ପୁଣି ଆର.ଏମ.ଏସ.କୁ ଏଠାରୁ ଉଠାଇ ନେବା ପାଇଁ ଯେଉଁ ଯୋଜନା ଚାଲିଛି ତାହାକୁ ମଧ୍ୟ କେନ୍ଦ୍ରାପଡାବାସୀ ସଫଳ ହେବାକୁ ଦେବେ ନାହିଁ । କେନ୍ଦ୍ରାପଡାର ହକ୍ ଓ ସ୍ୱାର୍ଥରକ୍ଷା ପାଇଁ ସେମାନେ ଲଢେଇ ଜାରିରଖିବେ ବୋଲି କହିଛନ୍ତି ବିକ୍ଷୋଭ କରୁଥିବା ବରିଷ୍ଠ ସାମ୍ବାଦିକ ଚିତରଞ୍ଜନ ଦାସ । ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ଜିଲା ମୁଖ୍ୟାଳୟରୁ ଗୋଟିଏ ପରେ ଗୋଟିଏ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଉଠାଇ ନେବାକୁ ଯେଉଁ ଷଡଯନ୍ତ୍ର ଆରମ୍ଭ ହୋଇଛି ତା ବିରୁଦ୍ଧରେ ବୁଦ୍ଧିଜୀବୀ ମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଆରମ୍ଭ କରିଛନ୍ତି ।
କେନ୍ଦ୍ରାପଡାର ସ୍ୱାର୍ଥ ରକ୍ଷା ପାଇଁ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ । କେନ୍ଦ୍ରାପଡା ସହରର ମହିପାଳ ଠାରେ ୧୯୭୭ମସିହାରୁ ଅଦ୍ୟାବଧି ଏହି ରେଳବାଇ ଡାକସେବା କାର୍ଯ୍ୟାଳୟ(ଆର.ଏମ.ଏସ.) ଚାଲୁଅଛି । ଏହି କାର୍ଯ୍ୟାଳୟ ଅଧିନରେ ଜିଲାର ୯ଗୋଟି ବ୍ଲକ ଓ ଦୁଇ ଗୋଟି ପୌରାଂଚଳରେ ଥିବା ୩୧ଟି ଡାକଘରର ଡାକସେବା କାର୍ଯ୍ୟ ଚାଲିଛି । ସମଗ୍ର ଜିଲାର ଡାକଘର ଗୁଡିକରୁ ଯେଉଁ ସବୁ ଚିଠିପତ୍ର ଆସେ ସେଗୁଡିକ ଏହି କାର୍ଯ୍ୟାଳୟ ମାଧ୍ୟମରେ ଦୂର ଦୂରାନ୍ତର ଲୋକଙ୍କ ନିକଟରେ ପହଂଚି ଥାଏ । ଏଥିସହିତ ଜିଲା ବାହାରୁ ଆସୁଥିବା ଚିଠିପତ୍ର ଗୁଡିକ ମଧ୍ୟ ଏହି କାର୍ଯ୍ୟାଳୟରେ ପ୍ରଥମେ ସର୍ଟିଂ କରାଯାଇ ଜିଲାର ବିଭିନ୍ନ ଡାକଘର ଗୁଡିକୁ ପଠାଯାଇଥାଏ । କିନ୍ତୁ ଓଡିଶା ସର୍କଲର ମୁଖ୍ୟ ଡାକପାଳଙ୍କ ନିଷ୍ପତି ଅନୁଯାୟୀ ଏହି କାର୍ଯ୍ୟାଳୟକୁ ଏଠାରୁ ଉଛେଦ କରି କଟକ ସର୍କଲ ସହିତ ଯୋଡି ଦିଆଗଲେ କେନ୍ଦ୍ରାପଡାର ଚାକିରୀ ଆଶାୟୀ ଯୁବକଯୁବତୀ ଓ ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଲୋକମାନେ ମଧ୍ୟ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେବେ ।
ଏହାବ୍ୟତିତ କଟକକୁ ରେଜେଷ୍ଟ୍ରୀ ଚିଠି ଓ ସ୍ପିଡପୋଷ୍ଟ ଚିଠି ଗୁଡିକର ସର୍ଟିଂ କାର୍ଯ୍ୟ ସ୍ଥାନାନ୍ତରଣ କରାଯାଇଥିବାରୁ ଯଦି କୈାଣସି କାରଣ ବସତଃ ଭୁଲରେ କେନ୍ଦ୍ରାପଡାର ଚିଠିଟି ଆଳିକୁ ଚାଲି ଯାଏ ତେବେ ସେହି ଚିଠିଟି ପୁନର୍ବାର ସେଠାରୁ କଟକ ଯିବା ପରେ ସେଠାରେ ପୁନର୍ବାର ସର୍ଟିଂ ହୋଇ କେନ୍ଦ୍ରାପଡାର ସଠିକ ଠିକଣାରେ ପହଂଚିବା ପାଇଁ ୩ଦିନ ଲାଗିିବ । ଫଳରେ ଚାକିରୀ ଆଶାୟୀ, ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର ଆଶାୟୀ ପ୍ରାର୍ଥୀ ଓ ବିଭିନ୍ନ କଲେଜ କିମ୍ବା ବିଶ୍ୱବିଦ୍ୟାଳୟରେ ଆଡମିସନ କରିବା ପାଇଁ ଅପେକ୍ଷାରତ ଛାତ୍ରଛାତ୍ରୀମାନେ ବିଳମ୍ବରେ ଚିଠି ପାଇବେ । ଫଳରେ ସେମାନଙ୍କ ଭବିଷ୍ୟତ ଅନ୍ଧକାର ହୋଇପଡିବ ।
ଏହିସବୁ ଦୃଷ୍ଟିକୋଣରୁ କେନ୍ଦ୍ରାପଡା ଜିଲାରେ କାର୍ଯ୍ୟ କରୁଥିବା ରେଳ ଡାକସେବା(ଆର.ଏମ.ଏସ.) କାର୍ଯ୍ୟାଳୟର ବହୁ ଗୁରୁତ୍ୱ ରହିଛି । ତୁରନ୍ତ ଆର.ଏମ.ଏସ. ସ୍ଥାନାନ୍ତରକୁ ସ୍ଥଗିତ କରାନଗଲେ କେନ୍ଦ୍ରାପଡାର ହକ୍, ସ୍ୱାର୍ଥ ଓ ଅଧିକାରର ସୁରକ୍ଷା ନିମନ୍ତେ ବୁଦ୍ଧିଜୀବୀମାନେ ଚରମ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଥିଲେ । ଏହି ଅବସରରେ ଜିଲାପାଳଙ୍କ ଜରିଆରେ ଓଡିଶା ସର୍କଲର ମହାଡାକପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବା ସହ ରାଷ୍ଟ୍ରପତି, ପ୍ରାଧାନମନ୍ତ୍ରୀ ଓ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଏହି ଗଣବିକ୍ଷୋଭରେ ପ୍ରାଧ୍ୟାପକ ନନ୍ଦକିଶୋର ପରିଡା, ସମାଜସେବୀ ପ୍ରଦୀପ କୁମାର ମହାନ୍ତି,ଫକୀର ଚରଣ ଖଟୁଆ, ଭାଗିରଥୀ ଜେନା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଶିକ୍ଷାବିତ ଅଜୟ ସାମଲ, ପ୍ରାଧ୍ୟାପକ ପ୍ରମୋଦ କୁମାର ଦାସ, ଆଦିକନ୍ଦ ରାଉଳ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିଜୟ କୁମାର ନାୟକ, ଦିଲ୍ଲିପ ସାହୁ, ଭାରତ ଭୂଷଣ ସାହୁ, ଇନ୍ଦୁମତି ଜେନା, ଗୟାଧର ଧଳ, ନିରୂପମା ସାମଲ, ଭାବଗ୍ରାହୀ ବେହେରା, ମହେନ୍ଦ୍ର ମିଶ୍ର, ବଂଶିଧର ମହାନ୍ତି, ମୀର ନସିମ, ଲକ୍ଷ୍ମୀଧର ପଲାଇ, ସନ୍ତୋଷ ଜେନା, ବଳରାମ ବେହେରା, ରାଜେନ୍ଦ୍ର ପଣ୍ଡା, ସୁନନ୍ଦା ଭୂୟାଁ, ପ୍ରମୋଦ କୁମାର ଦାସ, ବରଦା ଭୂଷଣ ସାହୁ, ନିରଞ୍ଜନ ପରିଡା ପ୍ରମୁଖ ଶତାଧିକ ଲୋକ ସାମିଲ ହୋଇଥିଲେ ।
