ଗରଦପୁର, ୨୭/୧୨/୨୦୨୫(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ତଥା କୁଦାନଗରୀ ଥାନା ଅନ୍ତର୍ଗତ କଳାବୁଦା ପଂଚାୟତ ସ୍ଥିତ କଳାବୁଦା ବାରୁଣୀ ବଜାର ରେ ଥିବା ଏକ ଦୋକାନ ଘର ଗତକାଲି ବିଳମ୍ବିତ ରାତିରେ ସମ୍ପୂର୍ଣ୍ଣ ଜଳି ଯାଇଛି । ଏହି ଦୋକାନ ଘର ଭିତରୁ ନିଆଁ ରେ ସମ୍ପୂର୍ଣ୍ଣ ଦଗ୍ଧ ହୋଇ ମୃତ୍ୟୁ ବରଣ କରିଥିବା ଦୋକାନ ମାଲିକ ସୁବାସ ମଲିକ (୪୬) ଙ୍କ ଶବ ପୋଲିସ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । କୁଦାନଗରୀ ଥାନାରେ ଏକ ମାମଲା ରୁଜୁ ହେବା ସହିତ ଏହି ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ଅନୁସନ୍ଧାନ ଜାରି ରଖିଛି । ଘଟଣାସ୍ଥଳକୁ ସାଇନ୍ଟିଫିକ୍ ଟିମ୍ ଆସି ଅଧିକ ତଦନ୍ତ କରିଛନ୍ତି ।
ଏହି ଯୁବ ବ୍ୟବସାୟୀ ସୁବାସଙ୍କ ମୃତ୍ୟୁକୁ ନେଇ କଳାବୁଦା ବାରୁଣୀ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି ।ଏପରିକି କେନ୍ଦ୍ରାପଡ଼ା ରୁ ଶବ ବ୍ୟବଛେଦ ହୋଇ ଆସିବା ପରେ ସୁବାସଙ୍କ ମୃତ୍ୟୁ ର ପ୍ରକୃତ କାରଣ ଖୋଜି ବାହାର କରିବା ଦାବିରେ କୋରୁଆ ଛକରେ ଥିବା କୁଦାନଗରୀ ଥାନା ସମ୍ମୁଖରେ ଶବ ରଖି ଉତ୍ୟକ୍ତ ଜନସାଧାରଣ ଥାନା ଘେରାଉ କରିଛନ୍ତି । ତେବେ ଯୁବ ବ୍ୟବସାୟୀ ସୁବାସ ଙ୍କୁ ପୂର୍ବ ଶତୃତା କାରଣରୁ ଜୀଅନ୍ତା ପୋଡ଼ି ଦେଇଛନ୍ତି ବୋଲି ମୃତକଙ୍କ ପତ୍ନୀ ଜୟଶ୍ରୀ ଓ ପୁଅ ଓମ ପ୍ରକାଶ ଅଭିଯୋଗ କରିଛନ୍ତି । ପ୍ରକୃତରେ କିଭଳି ଓ କେଉଁ କାରଣରୁ ସୁବାସ ଜୀଅନ୍ତା ପୋଡ଼ି ଯାଇଛନ୍ତି , ତାହାର ସଠିକ ତଥ୍ୟ ଜଣାପଡ଼ିନଥିଲେ ମଧ୍ୟ ପୋଲିସ ବିଭିନ୍ନ ଦିଗକୁ ତଦନ୍ତ କରି ଠୋସ ପ୍ରମାଣ ଖୋଜୁଥିବାନେଇ ଥାନା ଅଧିକାରୀ ଅରବିନ୍ଦ ଶରଣ ମହାନ୍ତି କହିଛନ୍ତି । ଖବର ଅନୁଯାୟୀ ସୁବାସ ବାରୁଣୀ ବଜାରରେ ଏକ ପକ୍କା ଘରେ ପିଲାଙ୍କ ଡ଼୍ରେସ , ଗ୍ୟାସ ରିଫିଲିଂ , ଖୁରୁରା ପେଟ୍ରୋଲ ଓ ଦୋକାନ ସମ୍ମୁଖରେ ପରିବା ପତ୍ର ରଖି ନିଜର ବ୍ୟବସାୟ କରିଆସୁଥିଲେ ।
ଗତ ରାତିରେ ସାଙ୍ଗ ମାନଙ୍କ ସହିତ ଗ୍ରାମରେ ଥିବା ଏକ ସ୍ଥାନରେ ଭୋଜି କରି ରାତି ୧୧ ଟା ବେଳେ ନିଜ ବାପା ଅରକ୍ଷିତ ମଲିକଙ୍କୁ ଘରେ ନେଇ ମାଂସ ତରକାରୀ ଦେଇଥିଲେ । ସେଠାରୁ କଳାବୁଦା ବାରୁଣୀ ବଜାରରେ ଥିବା ନିଜ ର ଡ଼୍ରେସ , ପେଟ୍ରୋଲ ଓ ପରିବା ଦୋକାନ ରେ ସବୁ ଦିନ ପରି ଶୋଇବାକୁ ଚାଲିଯାଇଥିଲେ । ହେଲେ ଏହି ରାତି ସୁବାସଙ୍କ ପାଇଁ ଶେଷ ରାତି ଥିଲା । ଆଜି ଭୋର ୪ ଟା ସମୟରେ ଗ୍ରାମର ମହାଦେବ ମନ୍ଦିର ପୂଜକ ନଳିନୀକାନ୍ତ ପଣ୍ଡା ଚାଲିବାକୁ ଆସିଥିବାବେଳେ ସୁବାସଙ୍କ ଦୋକାନ ଜଳୁଥିବା ଦେଖି ସୁବାସଙ୍କ ବାପା ଅରକ୍ଷିତଙ୍କୁ ଖବର ଦେଇଥିଲେ । ଖବର ପାଇ ଅରକ୍ଷିତଙ୍କ ସହ ଦାଦା ଗଣେଷ, ପୁଅ ଓମ ପ୍ରକାଶ ଓ ସ୍ତ୍ରୀ ଜୟଶ୍ରୀ ଆସି ଦେଖିଲା ବେଳକୁ ଦୋକାନରେ ଲାଗିଥିବା ଲୁହା କବାଟକୁ ବାହାରୁ ଖିଡ଼ିକି ଦିଆଯାଇଥିବା ଦେଖିବା ସହ ଖିଡ଼ିକି ଭାଙ୍ଗି ଦୋକାନ ଭିତରକୁ ଦେଖିଲା ପରେ ସୁବାସୁ ସମ୍ପୂର୍ଣ୍ଣ ପୋଡ଼ି ଦଗ୍ଧ ହୋଇଯାଇଥିବା ଦେଖିଥିଲେ ।
ଏହି ଘଟଣା ସାରା କୁଦାନଗରୀ ଥାନା ଅଂଚଳରେ ଚାଂଚଲ୍ୟ ସୃଷ୍ଟି ହୋଇଥିବାବେଳେ ସୁବାସଙ୍କ ପୁଅ ଓମ ପ୍ରକାଶ ଙ୍କ ବୟାନ ଅନେକ ସନ୍ଦେହ ସୃଷ୍ଟି କରିଛି । ପୁଅ ଓମ ପ୍ରକାଶ ଙ୍କ କହିବା ଅନୁଯାୟୀ ଜଣେ ଯୁବକଙ୍କ ସହ ଗତ ୮ ଦିନ ତଳେ ପେଟ୍ରୋଲ ଦେବାକୁ ନେଇ ଗଣ୍ଡଗୋଳ ହୋଇଥିଲା । ସେହି ଘଟଣା ଦିନ ଯୁବକ ଜଣକ ରାତି ପ୍ରାୟ ୧୨ ଟା ସମୟରେ ସୁବାସଙ୍କ ଦୋକାନକୁ ଆସି ପେଟ୍ରୋଲ ମାଗିଥିଲେ । ହେଲେ ରାତି ଅନେକ ହେବା ହେତୁ ପେଟ୍ରୋଲ ଦେଇ ହେବ ନାହିଁ ବୋଲି ମନା କରିଥିଲେ । ଫଳରେ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହି ଘଟଣା ସରପଂଚ ଙ୍କ ହସ୍ତକ୍ଷେପ ରେ ଫଇସଲା ହୋଇଥିଲା । ତେବେ ମୃତକଙ୍କ ସ୍ତ୍ରୀ ଜୟଶ୍ରୀ ଙ୍କ କହିବା ଅନୁଯାୟୀ ନିଜ ସ୍ୱାମୀଙ୍କ କାହା ସହିତ ବିବାଦ ନଥିଲେ ମଧ୍ୟ ଯେଉଁଠି ଦୋକାନ ଅଛି , ସେଠାରେ ଦୋକାନ ନକରାଇଦେବା ପାଇଁ କିଛି ଲୋକ ସୁବାସଙ୍କ ସହ ବଚସା କରୁଥିବା ସୁବାସ ଅନେକ ଥର ଘରେ କହୁଥିଲେ ।
ପତ୍ନୀଙ୍କର ଏହି ବୟାନ ସନ୍ଦେହ ସୃଷ୍ଟି ହେବା ସହ ରାତିରେ ଭୋଜି କରୁଥିବା ସାଙ୍ଗ ମାନଙ୍କ ସହ କିଛି ଗଣ୍ଡଗୋଳ ହୋଇଥିଲା କି ନାହିଁ ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ତେବେ ପୋଲିସ ତଦନ୍ତ ଚଳାଇଥିବାବେଳେ ସୁବାସ ଜୀଅନ୍ତା ଜଳିଯିବା ଘଟଣା ରହସ୍ୟ ନିଶ୍ଚୟ ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି ।
ପ୍ରକାଶ ଯୋଗ୍ୟ ଏହିକି ପାଟକୁରା ବିଜେପି ନେତା ତେଜେଶ୍ୱର ପରିଡ଼ା ଘଟଣାସ୍ଥଳରେ ପହଂଚି ଏସପି ଙ୍କ ସହିତ ଆଲୋଚନା କଲା ପରେ ଘଟଣାର ତଦନ୍ତ କେନ୍ଦ୍ରାପଡ଼ା ଡ଼ିଏସପି ସରୋଜ କୁମାର ସାହୁ ତଦନ୍ତ କରିବା ପାଇଁ ପ୍ରତିଶତି ଦେବା ପରେ ଥାନା ଘେରାଉ ପ୍ରତ୍ୟାହୃତ ହୋଇଥିଲା ।
